ଆସନ୍ତା ୧୪ ତାରିଖ ଯାଏଁ ପ୍ରବଳ ବର୍ଷା ! ଜାଣନ୍ତୁ କେଉଁ କେଉଁ ଜିଲ୍ଲାକୁ ସତର୍କ ସୂଚନା ଜାରି

1,584

କନକ ବ୍ୟୁରୋ : ଆସନ୍ତା ୧୦ ତାରିଖରେ ଉତ୍ତର ବଙ୍ଗୋପସାଗର ପୂର୍ବ ଭାଗରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ । ଯାହାକି ୧୧ରେ ଲଘୁଚାପରେ ପରିଣତ ହୋଇ ୧୩ କିମ୍ବା ୧୪ ତାରିଖ ସକାଳେ ଦକ୍ଷିଣ ଓଡ଼ିଶା ଉପକୂଳ ଓ ସଂଲଗ୍ନ ଉତ୍ତର ଆନ୍ଧ୍ର ଉପକୂଳ ଦେଇ ପଶ୍ଚିମ ଆଡ଼କୁ ଗତି କରିବ । ଏହାର ପ୍ରଭାବରେ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ । ଅନ୍ୟାନ୍ୟ ଅଞ୍ଚଳରେ ୧୧ରୁ ୧୩ ଯାଏ ବର୍ଷା ହେବା ନେଇ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

ଆକଳନ ଅନୁଯାୟୀ ଏହି ସମୟ ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କଳାହାଣ୍ଡି ଓ ଅଭ୍ୟନ୍ତରୀଣ ଗଞ୍ଜାମରେ ସପ୍ତାହକ ଭିତରେ ସମୁଦାୟ ୧୦୦ ମିମିରୁ ଅଧିକ ବର୍ଷା ହୋଇପାରେ । ସ୍ଥାନେ ସ୍ଥାନେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ବାଲେଶ୍ବର ଓ ସମୁଦ୍ର ସଂଲଗ୍ନ ଗଞ୍ଜାମ, ପୁରୀ ଓ ଜଗତ୍‌ସିଂହପୁରରେ ୧୪ ତାରିଖ ଭିତରେ ସମୁଦାୟ ୯୦ ମିମି ବର୍ଷା ହେବାକୁ ଥିବା ବେଳେ ଖୋର୍ଦ୍ଧା ସମେତ ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକରେ ସମୁଦାୟ ୬୦ରୁ ୭୦ ମିମି ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର ଅଭ୍ୟନ୍ତରୀଣରେ ସବୁଠାରୁ କମ୍‌ ବର୍ଷା ହେବ । ଏହି ଲଘୁଚାପ ଦ୍ବାରା ଆନ୍ଧ୍ର, ତେଲେଙ୍ଗାନା ଓ ଦକ୍ଷିଣ ଛତିଶଗଡ଼ରେ ଅତିପ୍ରବଳ ବର୍ଷା ହେବ। ତାହାକୁ ନଜରରେ ରଖି ଚାଷୀମାନେ ସତର୍କ ହେବା ଆବଶ୍ୟକ । ୧୦ରୁ ୧୪ ପର୍ଯ୍ୟନ୍ତ ଜମିରେ ସାର ପ୍ରୟୋଗ କରନ୍ତୁ ନାହିଁ । ୧୪ରୁ ୧୭ ତାରିଖ ମଧ୍ୟରେ ଅଣଧାନ ଫସଲ ଲଗାଇବାକୁ ପ୍ରଫେସର ପଶୁପାଳକ ପରାମର୍ଶ ଦେଇଛନ୍ତି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌ ଆର ବିଶ୍ବାସଙ୍କ କହିବାନୁଯାୟୀ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ । ସ୍ଥାନେ ସ୍ଥାନେ ପ୍ରବଳ ବର୍ଷାର ବି ସମ୍ଭାବନା ରହିଛି । ୧୧ ତାରିଖରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ବର୍ଷା ପରିମାଣ ବଢ଼ିବ । ଏବେ ବି ରାଜ୍ୟରେ ନିଅଣ୍ଟିଆ ବର୍ଷା ଲାଗିରହିଛି । ଜୁନ୍‌ ପହିଲାରୁ ଆଜି ସୁଦ୍ଧା ସ୍ବାଭାବିକ ଭାବେ ୯୯୯.୪ ମିମି ବର୍ଷା ହେବା କଥା। ମାତ୍ର ଏବେ ସୁଦ୍ଧା ୭୩୩.୫ ମିମି ବର୍ଷା ହୋଇଛି । ୧୨ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥିବା ବେଳେ ୧୮ ଜିଲ୍ଲାରେ ନିଅଣ୍ଟିଆ ରହିଛି । ଭଦ୍ରକ, ବଲାଙ୍ଗୀର, ଝାରସୁଗୁଡ଼ା, ଯାଜପୁର, ସମ୍ବଲପୁର ଜିଲ୍ଲାରେ ନିଅଣ୍ଟିଆ ପରିମାଣ ଅଧିକ ରହିଥିବା ସେ କହିଛନ୍ତି ।