ଆସୁଛି ଲଘୁଚାପ : ନେଇପାରେ ଅବପାତର ରୂପ; ଆଜି ୫ ଜିଲ୍ଲାରେ ବର୍ଷା ସମ୍ଭାବନା

651

କନକ ବ୍ୟୁରୋ : ଗତକାଲି ଥିଲା ମାର୍ଗଶିର ପ୍ରଥମ ଗୁରୁବାର । କିନ୍ତୁ ଏଯାଏ ଖୋଜା ପଡ଼ିନି ଶୀତ ପୋଷାକ। ଲଗାତାର ତିନି ତିନିଟି ଲଘୁଚାପ ଯୋଗୁଁ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ଶୀତ ଅନୁଭୂତ ହୋଇନାହିଁ । ଅଧିକାଂଶ ସ୍ଥାନରେ ରାତ୍ରି ତାପମାତ୍ରା ଏବେ ବି ସ୍ବାଭାବିକଠାରୁ ଅଧିକ ରହିଛି । ତେବେ ଆସନ୍ତା ୩ ଦିନ ମଧ୍ୟରେ ଏଥିରେ ପରିବର୍ତ୍ତନ ହେବା ସହ ଶୀତ ଆରମ୍ଭ ହୋଇଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ରାଜ୍ୟରେ ଗତକାଲିଠାରୁ ପାଗ ଶୁଖିଲା ଓ ଖରାଟିଆ ରହିଛି । କିଛି କିଛି ସ୍ଥାନରେ ରାତ୍ରି ତାପମାତ୍ରା ୧ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି । ଆସନ୍ତା ୩ ଦିନରେ ରାଜ୍ୟର ରାତି ତାପମାତ୍ରା ୩ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ । ଅପରପକ୍ଷେ ଆଜି ସକାଳୁ ରାଜ୍ୟର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର କୁହୁଡ଼ି ମଧ୍ୟ ଦେଖିବାକୁ ମିଳିଛି । ଏବେ ରାଜ୍ୟର ସବୁଠୁ ଥଣ୍ଡା ସହର ଦାରିଙ୍ଗବାଡ଼ି ହୋଇଥିବା ବେଳେ ଏଠାରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରି ରେକର୍ଡ ହୋଇଛି । ଭୁବନେଶ୍ବର ସମେତ ଅଧିକାଂଶ ସ୍ଥାନର ରାତ୍ରି ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିଛି । ଭୁବନେଶ୍ବରରେ ସର୍ବନିମ୍ନ ତାପମାତ୍ରା ୧୯.୫ଡିଗ୍ରି ରେକର୍ଡ ହୋଇଛି ।

ଏହା ସ୍ବାଭାବିକଠାରୁ ୨ ଡିଗ୍ରି ଅଧିକ । ଆଜି ଉପକୂଳ ସମେତ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ ଓ କନ୍ଧମାଳ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହେବାର ସମ୍ଭାବନା ରହିଛି । ଆସନ୍ତା ୩ ଦିନରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୩ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି । ଅର୍ଥାତ ନଭେମ୍ବର ସୁଦ୍ଧା ରାଜ୍ୟରେ ରାତ୍ରି ସର୍ବନିମ୍ନ ତାପମାତ୍ରା ସ୍ବାଭାବିକ ଭାବେ ଯେତିକି ରହିବା କଥା, ସେତିକିକୁ ଚାଲି ଆସିବ ଓ ରାଜ୍ୟରେ ଶୀତ ଆରମ୍ଭ ହୋଇଯିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ପ୍ରାଥମିକ ଅକଳନ ଅନୁଯାୟୀ, ୩ ରୁ ୫ ମଧ୍ୟରେ ଉପକୂଳ ଜିଲ୍ଲାଗୁଡିକରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଉତ୍ତର-ପଶ୍ଚିମ ଭାରତରୁ ବାୟୁମଣ୍ଡଳର ଉପରିଭାଗରେ ଟ୍ରଫଲାଇନ ଆଭ୍ୟନ୍ତରୀଣ ଓଡିଶା ଆଡକୁ ମୁହାଁଉଥିବା ବେଳେ ଦୁଇଟି ଯାକ ସିଷ୍ଟମର ମିଳିତ ପ୍ରଭାବରେ ବର୍ଷାର ପରିମାଣ ବଢିବ । ଗଞ୍ଜାମ, ନୟାଗଡ, ଖୋର୍ଦ୍ଧା, ପୁରୀ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ସେହିପରି ଆସନ୍ତା ୨୯ ତିରଖ ପର୍ଯ୍ୟନ୍ତ ରାତି ତାପମାତ୍ରା କମ୍ ରହିବ । ତା’ପରେ ପୁଣି ରାତି ତାପମାତ୍ରା ବଢିବ । ବର୍ଷା ସମ୍ଭାବନା ଥିବାରୁ ଚାଷୀମାନେ ସେମାନଙ୍କ ଅମଳ ହୋଇଥିବା ଫସଲଗୁଡିକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ପରାମର୍ଶ ଦିଆଯାଇଛି ।