ମହିଳା କଲେଜରେ ଜାଲ୍ ନିଯୁକ୍ତି ! ଚିନ୍ତାରେ ସାଲେପୁର ମହିଳା ଡିଗ୍ରୀ କଲେଜର ୧୨ କର୍ମଚାରୀ । ସମସ୍ତଙ୍କ ଅଭିଯୋଗ ଟଙ୍କା ନେଇ ଚାକିରୀ ଦେଇ ଠକିଦେଲେ କଲେଜ ସଭାପତି ।

259

କନକ ବ୍ୟୁରୋ: ଚାକିରୀ ପାଇଁ ଟଙ୍କା ଦେଇଥିଲେ । ସମସ୍ତଙ୍କୁ ମିଳିଥିଲା ନିଯୁକ୍ତି ପତ୍ର । ସମସ୍ତେ ଚାକିରୀ କରୁଥିଲେ । ହେଲେ ଏବେ ଜଣାପଡୁଛି ସେମାନଙ୍କୁ ମିଳିଥିବା ସବୁ ନିଯୁକ୍ତି ପତ୍ର ଜାଲିଆତି । ଏପରି ସ୍ଥିତିରେ ମୁଣ୍ଡରେ ହାତ ଦେଇ ବସିଛନ୍ତି ସାଲେପୁର ଯପକୁଦ ମହିଳା ଡିଗ୍ରୀ କଲେଜର ୧୨ ଜଣ କର୍ମଚାରୀ । ଟଙ୍କା ନେଇ ସମସ୍ତଙ୍କୁ ଠକି ଦେଇଥିବା ନେଇ କଲେଜ ସଭାପତିଙ୍କ ନାଁରେ ଥାନାରେ ଏତଲା କରିଛନ୍ତି ଚାକିରୀ ହରାଇଥିବା କର୍ମଚାରୀ ।

ଚାକିରୀ କରାଇ ଦେବାକୁ ଟଙ୍କା ଦେଇଥିଲେ । କିଏ କଲେଜରେ କିରାଣୀ ପାଇଁ ଟଙ୍କା ଦେଇଥିଲା, କିଏ ପିଅନ ତ କିଏ ସୁଇପର ପାଇଁ ଟଙ୍କା ଦେଇଥିଲା । ଏହା ପ୍ରତିବଦଳରେ ମିଳିଥିଲା ନିଯୁକ୍ତି ପତ୍ର । ଟଙ୍କା ନେଇ ନିଯୁକ୍ତି ପତ୍ର ଦେଇଥିଲେ ସାଲେପୁର ଯପକୁଦ ମହିଳା ଡିଗ୍ରୀ କଲେଜର ସଭାପତି ବିଜୟ ମିଶ୍ର । ହେଲେ ଏସବୁ ଜାଲି ନିଯୁକ୍ତି ପତ୍ର ବୋଲି ଜଣାପଡିବା ପରେ ସମସ୍ତଙ୍କ ମୁଣ୍ଡରେ ଚଡକ ପଡିଛି । ଜଣେ କି ଦୁଇ ଜଣ ନୁହଁ ମୋଟ୍ ୧୨ ଜଣଙ୍କୁ ଜାଲି ନିଯୁକ୍ତି ପତ୍ର ଦିଆଯାଇଛି । ଏନେଇ କଲେଜ ସଭାପତିଙ୍କ ନାଁରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ସଭିଏଁ ।

ସାଲେପୁର ଯପକୁଦ ମହିଳା ଡିଗ୍ରୀ କଲେଜରେ ଚାକିରୀ ପାଇଁ ଏମାନେ ୨୦୦୭ ଓ ୨୦୦୮ ମସିହାରେ କଲେଜ କିରାଣୀଙ୍କ ଜରିଆରେ କଲେଜ ସଭାପତିଙ୍କୁ ଟଙ୍କା ଦେଇଥିବା ଅଭିଯୋଗ କରିଛନ୍ତି । ଘଟଣା ନେଇ କଲେଜ ସଭାପତିଙ୍କୁ ଯୋଗାଯୋଗ କରାଯାଇଥିଲା । ହେଲେ ସମସ୍ତ ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । କଲେଜର ସଂପୃକ୍ତ କିରାଣୀ ମଧ୍ୟ କିଛି ଜାଣିନଥିବା କହିଛନ୍ତି । ସେପଟେ ଥାନାରେ ଅଭିଯୋଗକୁ ୧୫ ଦିନ ବିତିଲାଣି ହେଲେ ଘଟଣା ନେଇ କୌଣସି କାର୍ଯ୍ୟାନୁଷ୍ଠାନ ନେଉନି ପୋଲିସ୍ । ଏହାକୁ ନେଇ ଚିନ୍ତାରେ ପଡିଛନ୍ତି ସାଲେପୁର ଯପକୁଦ ମହିଳା ଡିଗ୍ରୀ କଲେଜର ଚାକିରୀ ହରାଇଥିବା ୧୨ କର୍ମଚାରୀ ।