ଧରାପଡିଲା ମିଲରଙ୍କ ଚାଲାକି । କମ୍ ଧାନ ମିଲିଂ କରୁଥିବା ନେଇ ଧରାଇଲା ବିଦ୍ୟୁତ୍ ବିଲ୍, ଚାଷୀଙ୍କ ଧାନ ନକିଣି ସିଧା ଚାଉଳ କିଣି କାରବାର କରୁଛନ୍ତି ମିଲର, ବୋକା ବନୁଛି ଚାଷୀ ।

370

କନକ ବ୍ୟୁରୋ : ବଲାଙ୍ଗୀରରେ ଚାଷୀଙ୍କୁ ବୋକା ବନାଉଛନ୍ତି ମିଲର୍ସ । ଚାଷୀଙ୍କ ଠାରୁ ଧାନ ନକିଣି ବାହାରୁ ଚାଉଳ କିଣି ଟାର୍ଗେଟ ପୂରଣ କରୁଛନ୍ତି ମିଲରମାନେ । ମିଲରଙ୍କ ବିଦ୍ୟୁତ୍ ବିଲରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ମିଲରମାନେ ଅଧିକ ଧାନ ମିଲିଂ କରୁଛନ୍ତି ବୋଲି କାଗଜପତ୍ରରେ ଦର୍ଶାଉଛନ୍ତି । କିନ୍ତୁ ବିଦ୍ୟୁତ୍ ବିଲରୁ ଜଣାପଡିଯାଇଛି ଯେ, ଏସବୁ କଥା ମିଛ । ସବୁଠାରୁ ସାଙ୍ଘାତିକ କଥା ହେଉଛି, ରାଜ୍ୟରେ ଚାଷୀ ଅଭିଯୋଗ କରୁଛନ୍ତି ସେମାନଙ୍କ ଧାନ କିଣାଯାଉନାହିଁ । ତେବେ କାହିଁକି ଧାନ କିଣାଯାଉନାହିଁ ସେକଥା ଏବେ ସାମ୍ନାକୁ ଆସିଛି ।

ହେରଫେର୍ ଧରାଇଲା ବିଦ୍ୟୁତ୍ ବିଲ୍ । ବଲାଙ୍ଗୀରରେ ମିଲର କରୁଛନ୍ତି ହେରଫେର୍ । ଗରିବ ଚାଷୀଙ୍କ ଧାନ ନନେଇ କରୁଛନ୍ତି ମୁନାଫା । ଜିଲ୍ଲା ଯୋଗାଣ ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ,

(ଡାଟା) ୧- ତୁସୁରା ଠାରେ ଥିବା ସନ୍ତୋଷ ରାଇସ ମିଲ ଗତ ଜାନୁୟାରୀ ମାସରେ ୧୦ ହଜାର ୭୭୦ କ୍ୱିଂଟାଲ ଧାନ ମିଲିଂ କରିଥିଲା । ଆଉ ଏହାର ବିଦ୍ୟୁତ ବିଲ ଆସିଥିଲା ୧ ଲକ୍ଷ ୭୭ ହଜାର ୫୯୩ ଟଙ୍କା ।

୨-ଫେବୃଆରୀ ମାସରେ ଏହି ରାଇସ ମିଲ ୧୨ ହଜାର ୯୬୦ କ୍ୱିଂଟ୍ୱାଲ ଧାନ ମିଲିଂ କରିଥିଲା । କିନ୍ତୁ ବିଦ୍ୟୁତ ବିଲ୍ ପ୍ରାୟ ୪୦ ହଜାର ଟଙ୍କା କମି, ୧ ଲକ୍ଷ ୩୧ ହଜାର ୯୮୧ ଟଙ୍କା ଆସିଥିଲା ।

୩-ମାର୍ଚ୍ଚ ମାସରେ ୨୧ ହଜାର ୩୫୦ କ୍ୱିଂଟାଲ ଧାନ ମିଲିଂରେ ବିଦ୍ୟୁତ ବିଲ୍ ଆସିଥିଲା ୧ ଲକ୍ଷ ୭୨ ହଜାର ୮୭୩ ଟଙ୍କା । ଅର୍ଥାତ ୧୦ ହଜାର କ୍ୱିଂଟାଲ ଅଧିକ ମିଲିଂ କରିଥିଲେ ବି ବିଦ୍ୟୁତ ବିଲ ପ୍ରାୟ ଜାନୁଆରୀ ମାସର ବିଲ ସହିତ ସମାନ ହୋଇଛି ।

ଏହାର ଭିତିରି କଥା ଜାଣିନଥିବା ଲୋକେ ଭାବୁଥିବା ଏହି ବିଦ୍ୟୁତ୍ ବିଲ୍ କଣ କହୁଛି । ଅଧିକ ଧାନ ମିଲିଂ ହେଉଛି, କିନ୍ତୁ ବିଦ୍ୟୁତ୍ ବିଲ କମ୍ ଆସୁଛି । ମିଲିଂ ଅଧିକ କିନ୍ତୁ ବିଦ୍ୟୁତ୍ ବିଲ କମ୍, କ’ଣ ଭିତିରିଆ କାରବାର କରନ୍ତି ମିଲର?
ଏମିତି ପ୍ରଶ୍ନର ଉତ୍ତର ଖୋଜୁ ଖୋଜୁ ଏକ ବଡ ହେରଫେରର ବାସ୍ନା ସହଜରେ ବାରି ହେଉଥିଲା । ଏ ମିଲରମାନେ ଯଦି ଅଧିକ ଧାନ କିଣୁଛନ୍ତି ଏବଂ ମିଲିଂ କରୁଛନ୍ତି, ତେବେ ସ୍ୱାଭାବିକ ଭାବେ ବିଦ୍ୟୁତ ଖର୍ଚ୍ଚ ହେବ ଏବଂ ବିଲ୍ ଅଧିକ ଆସିବ । ବଲାଙ୍ଗୀରରେ ଏହି ମିଲରମାନଙ୍କ ବିଲ୍ କମ୍ ଆସିବାର ଅର୍ଥ ହେଉଛି, ଏମାନେ ଯେତିକି ଧାନ କିଣୁଛନ୍ତି ବୋଲି କହୁଛନ୍ତି, ତାହା ଅଦୌ ସତ ନୁହେଁ । ସେମାନେ ସିଧା ଚାଉଳ କିଣୁଥିବାରୁ ମିଲିଂ କମ ହେଉଛି ।

ରାଜ୍ୟରେ ଚାରିଆଡୁ ଚାଷୀଙ୍କ ଅଭିଯୋଗ ଆସୁଛି, ଯେ ସେମାନଙ୍କ ଧାନ କିଣାଯାଉନାହିଁ । ସନ୍ଦେହ କରାଯାଉଛି, ମିଲରମାନେ ଚାଷୀଙ୍କ ଠାରୁ ଧାନ ନକିଣି, ମିଛରେ କାଗଜପତ୍ର କରି, ଚାଉଳ କିଣି ବେପାର ଚଳାଇଛନ୍ତି । ଗୋଟିଏ କଥା ସମସ୍ତେ ଜାଣିଛନ୍ତି, ଯୋଗାଣ ବିଭାଗ ଅଧିକାରୀଙ୍କ ବିନା ସହାୟତାରେ ମିଲର ଏମିତି କାରବାର କରିପାରିବେ ନାହିଁ । ବର୍ତମାନ ସନ୍ଦେହ ଉଠୁଛି ସାରା ରାଜ୍ୟରେ ଏମିତି କାରବାର ଚାଲିଛି, ଏବଂ ଚାଷୀଙ୍କୁ ବୋକା ବନା ଯାଉଛି ।