କନକ ବ୍ୟୁରୋ : କଟକ ବକ୍ସିବଜାର ପୋଲିସ ଲାଇନରେ ଥିବା ବିଚାର ବିଭାଗୀୟ ଚିଟଫଣ୍ଡ କମିସନଙ୍କ କାର୍ଯ୍ୟାଳୟର ଚିତ୍ର ସାମ୍ନାକୁ ଆସିବା ପରେ ଜମାକାରୀ ସେମାନଙ୍କ ଜମାଟଙ୍କା ଫେରିପାଇବା ନେଇ ସରକାରଙ୍କ ଉପରେ ରଖିଥିବା ବିଶ୍ୱାସ ତୁଟିଯାଉଛି । ସତ୍ୟପାଠ ଦସ୍ତାବିଜ ଉପରେ ଛତୁ ଫୁଟିନାହିଁ ଯେ, ୭ ଲକ୍ଷ ଲୋକଙ୍କ ଟଙ୍କା ଫେରି ପାଇବା ନେଇ ଆଶା ସଂପୂର୍ଣ୍ଣ ମଉଳି ଯାଇଛି । ଉଈ ଲାଗି କିଏ ନଷ୍ଟ ହୋଇଯାଇଛି ତ କାହା ଉପରେ ଲଟା ମାଡି ଯାଇଛି । ଏହି ଚିତ୍ର ସାମ୍ନାକୁ ଆସିବା ପରେ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ ନେଇ ରାଜ୍ୟ ସରକାର କେତେ ସମ୍ବେଦନଶୀଳ ତା ଉପରେ ପ୍ରଶ୍ନ ଉଠିଛି ।

Advertisment

୧୦ ବର୍ଷ ତଳ କଥା ମନେ ପକାନ୍ତୁ ଚିଟ୍ଫଣ୍ଡ ଦୁର୍ନୀତୁ ନେଇ ରାଜ୍ୟ ହୁଲୁସ୍ତୁଲ ହେଉଥିବାବେଳେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇ ପରିସ୍ଥିତିକୁ ଆୟତକୁ ଆଣିଥିଲେ ରାଜ୍ୟ ସରକାର । ଏପରିକି ୩୦୦ କୋଟିର କର୍ପସ ପାଣ୍ଠି ଗଠନ ନେଇ ଘୋଷଣା କରାଗଲା ।
ଚିଟଫଣ୍ଡ କମିସନ୍ ଓ ତଦନ୍ତର ଘଟଣାକ୍ରମ
- ୨୦୧୩ରେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଆର.କେ. ପାତ୍ର ତଦନ୍ତ କମିସନ୍ ଗଢାଗଲା
- ଜଷ୍ଟିସ ପାତ୍ରଙ୍କ ପରଲୋକ ପରେ ଜଷ୍ଟିସ ମଦନ ମୋହନ ଦାସଙ୍କୁ ୨୦୧୫ ଫେବ୍ରୁଆରୀ ୫ରେ ତଦନ୍ତ ଦାୟିତ୍ୱ ଦିଆଗଲା
- ୨୦୨୦ ପର୍ଯ୍ୟନ୍ତ କାମ କରିଥିଲେ ଜଷ୍ଟିସ ମଦନ ମୋହନ ଦାସ କମିସନ୍
- ମୋଟ୍ ୪ ଲକ୍ଷ ୯୭ ହଜାର ୮୪୪ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରି ସରକାରଙ୍କୁ ୭ଟି ରିପୋର୍ଟ ପ୍ରଦାନ କରିଥିଲେ
- ଏପର୍ଯ୍ୟନ୍ତ ମାତ୍ର ୨,୧୦୦ କ୍ଷୁଦ୍ର ଜମାକାରୀ କମିସନଙ୍କ ଜରିଆରେ ସେମାନଙ୍କ ଜମାଟଙ୍କା ଫେରି ପାଇଛନ୍ତି

ପ୍ରାୟ ୭ ଲକ୍ଷ ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ ସତ୍ୟପାଠ ଦାଖଲ କରି ନ୍ୟାୟ ପାଇଁ ଅପେକ୍ଷା କରି ରହିଥିବାବେଳେ କଟକରୁ ଆସିଥିବା ଚିତ୍ର ରାଜନୈତିକ ବୟାନବାଜିକୁ ବଢାଇ ଦେଇଛି ।

ରାଜ୍ୟ ସରକାର ଚିଟଫଣ୍ଡ ଘଟଣାକୁ ଚପାଇବାକୁ ଚାହୁଁଥିବା ବିରୋଧୀ ଅଭିଯୋଗ କରିଛନ୍ତି । ଏଥିସହ ଜମାକାରୀଙ୍କୁ ଠକି ଦେଇଥିବା ଅଭିଯୋଗ କରି ବିଧାନସଭାରେ ପ୍ରସଙ୍ଗ ଉଠାଇ ଘେରିବାକୁ ରଣନୀତି କରୁଛନ୍ତି ।