ହସ୍ପିଟାଲ୍ ବେଡରେ ପ୍ରେମିକା, ଦୁବାଇରେ ମଜା କରୁଛି ଧୋକାବାଜ୍ ପ୍ରେମିକ ।

4,604

କନକ ବ୍ୟୁରୋ: ହସ୍ପିଟାଲ ବେଡରେ ଲହୁଲୁହାଣ ହୋଇପଡ଼ିଥିବା ଯୁବତୀଙ୍କ ଏହି ଅବସ୍ଥା ପଛରେ ରହିଛି ଏକ ପ୍ରେମ କାହାଣୀ । ଯେଉଁ ପ୍ରେମ କାହାଣୀ ଭଲ ପାଇବାରୁ ଆରମ୍ଭ ହୋଇ, ନିର୍ବନ୍ଧ ହେବା ସହ ମନ୍ଦିରରେ ବିବାହ ପର୍ଯ୍ୟନ୍ତ ଲମ୍ବିଛି । ଯାହାର ପ୍ରମାଣ ହେଉଛି ନିର୍ବନ୍ଧ ବେଳର ଏହି ଫଟୋ ଏବଂ ଯୁବତୀଙ୍କ ଭୋଟ୍ ପରିଚୟପତ୍ର । ଯେଉଁଠି ସ୍ପଷ୍ଟ ଲେଖା ରହିଛି ନିବେଦିତା ମନସ୍ୱିନୀଙ୍କ ସ୍ୱାମୀ ସ୍କୃତିରଂଜନ ।

ମନସ୍ୱିନୀ ଏବଂ ସ୍ମୃତିରଂଜନ ଦୁହେଁ ପୁରୀ ଜିଲ୍ଲା କାଟକପୁର ଅଂଚଳର । ମନସ୍ୱିନୀ ଦିଲ୍ଲୀରେ ଏକ ବ୍ୟାଙ୍କରେ ଚାକିରି କରୁଥିବା ବେଳେ ତାଙ୍କୁ ପ୍ରେମକରି ବିବାହ ପ୍ରସ୍ତାବ ଦେଇଥିଲେ ସ୍ମୃତିରଂଜନ । ଆଉ ଶେଷରେ ଉଭୟ ପରିବାରର ସମ୍ମତିରେ ଏହି ପ୍ରେମିଯୁଗଳଙ୍କ ନିର୍ବନ୍ଧ ବି ହୋଇଥିଲା । ଆଉ ଏହାରି ଭିତରେ ଦିଲ୍ଲୀରେ ଦୁହେଁ ଏକ ମନ୍ଦିରରେ ବିବାହ ମଧ୍ୟ କରିଥିଲେ । ହେଲେ ଯେତେବେଳେ ସ୍କୃତି ରଂଜନ ଚାକିରି ପାଇଁ ଦୁବାଇ ଚାଲିଗଲେ ପୁରା କାହାଣୀ ଓଲଟିଗଲା ।

ମନ୍ଦିରରେ ବିବାହ କରି ସ୍କୃତିରଂଜନ ଦୁବାଇ ଚାଲିଯିବା ପରେ ବିବାହକୁ ସ୍ୱୀକାର କରୁନାହାଁନ୍ତି ତାଙ୍କ ପରିବାର ଲୋକ । ଏମିତି କି ସ୍ମୃତିରଂଜନ ନିବେଦିତାଙ୍କ ସହ କୌଣସି ଯୋଗାଯୋଗ ରଖିନାହାଁନ୍ତି । ଆଉ ଯେତେବେଳେ ସବୁ ରାସ୍ତା ବନ୍ଦ ହେଲା ବୋଲି ନିବେଦିତା ଅନୁଭବ କରିଥିଲେ, ଆଇନର ଆଶ୍ରୟ ନେଇଥିଲେ । ହେଲେ ଥାନାକୁ ଯିବା ବାଟରେ ତାଙ୍କୁ ସ୍ମୃତିରଂଜନଙ୍କ ସଂପର୍କୀୟ ଆକ୍ରମଣ କରି ଲହୁଲୁହାଣ କରିଥିବା ସେ ଅଭିଯୋଗ କରିଛନ୍ତି ।

ବଡ଼ କଥା ହେଉଛି ଯେତେବେଳେ ନିବେଦିତା ଥାନାରେ ଅଭିଯୋଗ କରିବା ପାଇଁ ଯାଇଥିଲେ ପୁଲିସ୍ ବି କର୍ଣ୍ଣପାତ କରିନଥିଲା । ଫଳରେ ବାଧ୍ୟ ହୋଇ ସେ ଡିଆଇଜି ଓ ଏସ୍ପିଙ୍କୁ ଭେଟିଥିଲେ । ଆଉ ଏସବୁ ପରେ ପୁଣି ଥରେ ଥାନାକୁ ଯିବା ବାଟରେ ଘଟିଗଲା ଏଭଳି ଏକ ଘଟଣା ।