ଅନଲାଇନର କରୁଣ କାହାଣୀ ! ଝିଅ ବାହାଘର ପାଇଁ ବ୍ୟାଙ୍କରେ ରଖିଥିଲେ ଟଙ୍କା, ଆଧାର ଲିଙ୍କ୍ କରିବା ବାହାନାରେ ୩ ଲକ୍ଷ ୨୦ ହଜାର ଟଙ୍କା ଲୁଟି ନେଲା ଜନସେବା କେନ୍ଦ୍ର ମାଲିକ, ଠକ ଦମ୍ପତିଙ୍କୁ ଗିରଫ କଲା କମିସନରେଟ୍ ପୋଲିସ୍

528

କନକ ବ୍ୟୁରୋ: ବ୍ୟାଙ୍କ ଆକାଉଂଟରେ ଆଧାର ଲିଙ୍କ୍ କରିବାକୁ କହି କରାଯାଉଛି ଲୁଟ୍ । ଟିକେ ସଚେତନ ନହେଲେ ଆପଣଙ୍କ ଆକାଉଂଟରୁ ଖାଲି ହୋଇଯିବ ଟଙ୍କା । ରାଜଧାନୀ ଭୁବନେଶ୍ୱରରେ ଜଣେ ବରିଷ୍ଠ ନାଗରିକ ଏଭଳି ଠକେଇର ଶୀକାର ହୋଇଥିବା ବେଳେ ପୋଲିସ ଧୂର୍ତ ଦମ୍ପତିଙ୍କୁ ଗିରଫ କରିଛି । ଆଉ ସାମ୍ନାକୁ ଆସିଛି ଠକେଇର ପୁରା କାହାଣୀ ।

୭୦ ବର୍ଷର ମାଲ୍ୟବନ୍ତ ସ୍ୱାଇଁ ଏଭଳି ଠକେଇର ଶୀକାର ହୋଇଛନ୍ତି ଯାହା ଶୁଣିଲେ ଆପଣବି ଆଶ୍ଚର୍ଯ୍ୟ ହୋଇଯିବେ । ବ୍ୟାଙ୍କ ଆକାଉଂଟ ସହ ଆଧାର ଲିଙ୍କ କରିବାକୁ କହି ଦୁର୍ବୃତ ତାଙ୍କ ଠାରୁ ୩ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି । ଦୁଇ ମାସ ପରେ ଝିଅର ବାହାଘର ଥିଲା । ଏଥିପାଇଁ ନିଜ କଷ୍ଟ ଉପାର୍ଜିତ ସମସ୍ତ ଟଙ୍କା ସେ ବ୍ୟାଙ୍କରେ ରଖିଥିଲେ । ହେଲେ ଚଂଚକତା କରି ତାଙ୍କ ଆକାଉଂଟ ଖାଲି କରିଦେଇଛନ୍ତି ଦୁର୍ବୃତ ।

ପୋଲିସ ହାତରେ ଧରାପଡିଥିବା ଅଭିଯୁକ୍ତ ବିଭୁପ୍ରସାଦ ଭରତପୁରରେ ସାଇବର ପଏଂଟ୍ କରିଥିଲା । ଯେଉଁଠି ସେ ବ୍ୟାଙ୍କ ଆକାଉଂଟ ସହ ଆଧାର ଓ ପାନ୍ ଲିଙ୍କ କରାଉଥିଲେ । ଗତମାସରେ ଆଧାର ଲିଙ୍କ କରିବାକୁ ପହଁଚିଥିଲେ ମାଲ୍ୟବନ୍ତ ସ୍ୱାଇଁ । ଆଧାର ଲିଙ୍କ ପ୍ରକ୍ରିୟାରେ ମୋବାଇଲ ଫୋନକୁ ଓଟିପି ଆସିବା ଭଳି ଜଟିଳ ବ୍ୟବସ୍ଥା ବୁଝିନପାରି ବିଭୁପ୍ରସାଦକୁ ମୋବାଇଲ ଦେଇଥିଲେ ଏହି ବରିଷ୍ଠ ନାଗରିକ । ଆଉ ତାଙ୍କ ସରଳତାର ସୁଯୋଗ ନେଇ ୫ ଥରରେ ୩ ଲକ୍ଷ ୨୦ ହଜାର ଟଙ୍କା ଲୁଟି ନେଇଥିଲା ବିଭୁପ୍ରସାଦ । ଝିଅ ବାହାଘର ପାଇଁ ଟଙ୍କା ଉଠାଇବାକୁ ବ୍ୟାଙ୍କ ଯିବା ପରେ ସାମ୍ନାକୁ ଆସିଥିଲା ପୁରା କାହାଣୀ ।..

ଥାନାରେ ଅଭିଯୋଗ ପରେ ପୋଲିସ କେନ୍ଦ୍ରାପଡା ରାଜକନିକାର ବିଭୂପ୍ରସାଦ ନାୟକ ଓ ତାଙ୍କ ପତ୍ନୀ ରେଖାରାଣୀ ନାୟକଙ୍କୁ ଗିରଫ କରିଛି । ବିଭୁ ଠକିଥିବା ସମସ୍ତ ଟଙ୍କା ତା ପତ୍ନୀଙ୍କ ଆକାଉଂଟକୁ ଟ୍ରାନ୍ସଫର କରିଥିବା ପୁଲିସ ଆଗରେ ସ୍ୱୀକାର କରିଛି । ପୋଲିସ କମ୍ୟୁନିକେସନ କେନ୍ଦ୍ରରୁ କମ୍ପ୍ୟୁଟର ଓ ୮ ହଜାର ଟଙ୍କା ଜବତ କରିବା ସହ ଅଧିକ ତନାଘନା ଚଲାଇଛି ।