କନକ ବ୍ୟୁରୋ : ଆପଣ ଖାଉଥିବା ସସ୍ ଅସଲି ନା ନକଲି? ଆପଣ ଘରକୁ ଆଣୁଥିବା ସସରେ କଣ କଣ ସବୁ ମିଶିଛି। ଶସ୍ତା ସସ ଆପଣଙ୍କୁ ଅସୁବିଧାରେ ପକାଇପାରେ । କାହିଁକି ନା ବଜାରରେ ମିଳୁଥିବା ଶସ୍ତା ଟମାଟୋ ସସ ଗୁଡିକରେ ଟମାଟୋ ନୁହେଁ ବରଂ ରାସାୟନିକ ପଦାର୍ଥ ମିଶାଯାଉଛି। ଜାଣି ଆଶ୍ଚର୍ୟ୍ୟ ହେବେ ନାଲି ରଙ୍ଗ ସହ ୟୁରିଆ ମିଶାଇ ଶସ୍ତାରେ ବଜାରରେ ମିଳି ଯାଉଛି ଏହି ସସ। କେମିକାଲ ତଥା ୟୁରିଆ ସାର , ଯାହାକୁ ଶବ ସଂରକ୍ଷଣ ପାଇଁ ବ୍ୟବହାର କରାଯାଏ। ଏହାକୁ ମଣିଷ ଖାଇଲେ କେବଳ ଛାତି ଜନିତ ରୋଗ ନୁହେଁ ବରଂ ଯକୃତ, ହୃତପିଣ୍ଡ ସହ ଏହା ଆପଣଙ୍କ ମସ୍ତିଷ୍କକୁ ବି ଖରାପ କରିପାରେ ବୋଲି କହିଛନ୍ତି ବରିଷ୍ଠ ଡାକ୍ତର।
ସେପଟେ କେବଳ ସସ୍ ନୁହେଁ ବରଂ ମାର୍କେଟରେ ମିଳୁଥିବା ପ୍ୟାକେଜ ଫୁଡ ଆପଣଙ୍କ ଲିଭର ସମସ୍ୟାର ବଡ କାରଣ ହୋଇପାରେ। ହାଇସୋଡିୟମ, ପ୍ରି କୁକଡ ଖାଦ୍ୟ ଖାଇବା ପୂର୍ବରୁ ଏହାର ପ୍ୟାକେଟରେ ଲେଖାଥିବା ଖାଦ୍ୟର ମିଶ୍ରଣ ଉପରେ ନଜିର ଦେବା ଆବଶ୍ୟକ। ବିଶେଷକରି ଅଧିକ ମାତ୍ରାରେ ମାଙ୍ଗାନାଇଜ ଓ ଲେଡ୍ ଥିବା ଖାଦ୍ୟ ଶରୀର ପାଇଁ ଅଧିକ କ୍ଷତିକାରକ ପ୍ରମାଣିତ ହୋଇଛି।
ରାଜଧାନୀର କେବଳ ଏହି ଗୋଟିଏ ସସ କାରଖାନା ନୁହେଁ ବରଂ ବିଭିନ୍ନ ସ୍ଥାନରେ ବେଆଇନ ଭାବେ ନକଲି କାରଖାନା ଚାଲିଛି। ହେଲେ ଏଠାରେ ପ୍ରଶ୍ନ ଏହି ନକଲି କାରବାର ପାଇଁ କିଏ ଦେଉଛି ଏମାନଙ୍କୁ ପଞ୍ଜିକରଣ। କାହା ଛତ୍ରଛାୟା ତଳେ ଦଲାଲ ହେଉଛନ୍ତି ମାଲାମାଲ। ଆଉ ଧରପଗଡ ବେଳେ, ମାର ମାର ଭଣ୍ଡାରିଆକୁ ମାର ନୀତିରେ ମାଲିକ ଧରା ପଡୁଛନ୍ତି କିନ୍ତୁ ପ୍ରଛଦ ପଟର ଖଳନାୟକଙ୍କ ନାଁ କେବେ ବି ସାମନାକୁ ଆସୁନି।