ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତି : ଆଜି ବାହାରିବ ଆଡ଼ପ ଅବଢ଼ା । ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ନାହିଁ ଶ୍ରଦ୍ଧାଳୁ ।

152

କନକ ବ୍ୟୁରୋ : ପୁରୀ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି । ଗୁଣ୍ଡିଚା ମନ୍ଦିରରୁ ଆଜି ବାହାରିବ ଆଡପ ଅବଢା । ହେଲେ ଶ୍ରୀଜୀଉଙ୍କ ଦର୍ଶନ କରିପାରିବେ ନାହିଁ ଶ୍ରଦ୍ଧାଳୁ । ଶ୍ରୀମନ୍ଦିର ଅବଢା ଠାରୁ ଏହି ଆଡପ ଅବଢାର ସ୍ୱାଦ ଭିନ୍ନ । ସେଥିପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଏହାର ଚାହିଦା କିଛି ଅଲଗା ରହିଥାଏ । ବିଶ୍ୱାସ ରହିଛି ଆଡପ ମଣ୍ଡପରେ ଦର୍ଶନ ମିଳିଲେ କୋଟି ଜନ୍ମର ପୁଣ୍ୟ ମିଳିଥାଏ । ତେବେ କରୋନା କଟକଣା କାରଣରୁ ଚଳିତ ବର୍ଷ ଆଡପ ଦର୍ଶନକୁ ମନା କରାଯାଇଛି । ଆର୍ଥାତ୍ କୌଣସି ଭକ୍ତ ଆଡପ ଦର୍ଶନ କରିପାରିବେ ନାହିଁ । ଜନ୍ମବେଦୀରେ କେବଳ ମହାପ୍ରଭୁଙ୍କ ରୀତିନୀତି ଚାଲିବ । ସେପଟେ ଆଜିଠାରୁ ଗୁଣ୍ଡିଚା ମନ୍ଦିରରୁ ବାହାରିବ ଆଡପ ଅବଢା । ହେଲେ ଏହା ସୀମିତ ପରିମାଣର ବାହାରିବ । ଯେହେତୁ ଭକ୍ତ ଆସୁନା ନାହାନ୍ତି, ତେଣୁ ଆଡପ ଅବଢା କମ୍ କରିବା ପାଇଁ ନିଷ୍ପତି ନେଇଛି ଶ୍ରୀମନ୍ଦିର ପ୍ରଶାସନ ।

ଗତକାଲି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ନିଆଯାଇଛି । ପ୍ରଥମେ ରାମକୃଷ୍ଣ ଓ ମଦନମୋହନଙ୍କୁ ନିଆଯାଇଥିଲା । ପରେ ସୁଦର୍ଶନଙ୍କ ପହଣ୍ଡି କରାଯାଇଥିଲା । ରାମକୃଷ୍ଣ, ମଦନମୋହନ ଓ ଚକ୍ରରାଜ ସୁଦର୍ଶନ ଆଡପ ମଣ୍ଡପକୁ ବିଜେ କରିବା ପରେ ରଥାରୁଢ ବଡ ଠାକୁର ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ଏବେ ଆଡପମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି ।