ବ୍ରଜରାଜନଗରରେ ପ୍ରଚାର କରିବେ ବାଘେଲଙ୍କ ମନ୍ତ୍ରୀ! କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରେ ଅଛନ୍ତି ଛତିଶଗଡ ମନ୍ତ୍ରୀ, ସୂଚନା ଦେଲେ ପିସିସି ସଭାପତି ।

170

କନକ ବ୍ୟୁରୋ : ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ଶେଷ ହୋଇଛି । ୩ ପ୍ରମୁଖ ଦଳ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ଏବେ ପ୍ରଚାର ମୈଦାନକୁ ଓହ୍ଲାଇବାକୁ ଅଣ୍ଟା ଭିଡ଼ିଲେଣି ପ୍ରାର୍ଥୀ । କେଉଁ ନେତାଙ୍କୁ ଧରି ଦଳ ଗୁଡିକ ପ୍ରଚାର ମୈଦାନକୁ ଓହ୍ଲାଇବ ସେନେଇ ଅଙ୍କା କଷା ଚାଲିଛି । ୩ ଦଳ ପକ୍ଷରୁ ଏଯାବତ ଷ୍ଟାର ପ୍ରଚାରକ ତାଲିକା ଘୋଷଣା ହୋଇନଥିଲେ ମଧ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକା ବାବଦରେ ସୂଚନା ଦେଇଛନ୍ତି ।

ବ୍ରଜରାଜନଗରରେ ପ୍ରଚାର କରିବେ ବାଘେଲଙ୍କ ମନ୍ତ୍ରୀ । କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ଛତିଶଗଡର କିଛି ମନ୍ତ୍ରୀ । ଯେଉଁମାନଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରାଯିବ । ରାଜସ୍ଥାନ ଉଦୟପୁରରେ ଆସନ୍ତା ୧୩ ରୁ ୧୫ ଯାଏ ହେବାକୁ ଥିବା ଚିନ୍ତନ ଶିବିରରେ ଯୋଗ ଦେବାକୁ ଯିବା ଅବସରରେ ଏଭଳି ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଯେହେତୁ ବ୍ରଜରାଜନଗର ନିର୍ବାଚନମଣ୍ଡଳୀ ସୀମାନ୍ତ ରାଜ୍ୟ ଛତିଶଗଡକୁ ଲାଗିକି ରହିଛି, ତେଣୁ ଏଠାରେ ଛତିଶଗଡ ମନ୍ତ୍ରୀଙ୍କର ପ୍ରଚାର ବଡ ଧରଣର ପ୍ରଭାବ ପକାଇବ ବୋଲି କଂଗ୍ରେସ ଆଶାବାଦୀ । ଏହାଛଡା ପୂର୍ବରୁ ଏହା କଂଗ୍ରେସର ଗଡ ରହିଥିଲା ତେଣୁ ପୁଣିଥରେ ଏହାକୁ ଅକ୍ତିଆର କରିବାକୁ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ନିରଞ୍ଜନ କହିଛନ୍ତି, ବ୍ରଜରାଜନଗର ପାଇଁ କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକା ହୋଇଛି। ୪୦ ଜଣିଆ ତାଲିକା ହୋଇଛି । ଏହାସହ ଏଥର ବ୍ରଜରାଜନଗର ବାଜି ଜିତିବାକୁ ତୃଣମୂଳସ୍ତରରେ କଠିନ ପରିଶ୍ରମ କରିବାକୁ ପଡିବ ବୋଲି କହିଛନ୍ତି ନିରଞ୍ଜନ ।

ଏହାସହ ନିରଞ୍ଜନ କହିଛନ୍ତି, ରାହୁଲଙ୍କ ସହ ଆଲୋଚନା ସମୟରେ ସ୍ୱାସ୍ଥ୍ୟଗତ କାରଣରୁ ପିସିସି ସଭାପତି ପଦରୁ ଅବ୍ୟାହତି ଦିଅନ୍ତୁ ବୋଲି କହିଥିଲି । କାରଣ ଡାକ୍ତର କହିଛନ୍ତି ୩ରୁ ୪ ମାସ ବିଶ୍ରାମ ଦରକାର । ସେହି ଦୃଷ୍ଟିରୁ ପଦରୁ ଅବ୍ୟାହତି ଦେବାକୁ ରାହୁଲଙ୍କୁ କହିଛି । ଏହାସହ ଦୃଢୋକ୍ତି ନେଇ ନିରଞ୍ଜନ କହିଛନ୍ତି, ୨୦୨୪ରେ ଦିଲ୍ଲୀରେ ଓ ରାଜ୍ୟରେ କଂଗ୍ରେସ ସରକାରକୁ ଆସିବ।