ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଘନ ଘନ ବୈଠକ ଜାରି । ପରିଚାଳନା କମିଟି ପରେ ଏବେ ଚାଲିଛି ଛତିଶା ନିଯୋଗ ବୈଠକ । ଗଜପତି କହିଲେ, ଶ୍ରୀମନ୍ଦିର ସତ୍ୱଲିପି ଛାଡି ଗ୍ରହଣ କରାଯିବ ନୂଆ ବ୍ୟବସ୍ଥା । ଶଙ୍କରାଚାର୍ଯ୍ୟ କହିଲେ, ପୁନର୍ବିଚାର ହେଉ ।

629

କନକ ବ୍ୟୁରୋ: ରଥଯାତ୍ରା ବନ୍ଦ କରିବା ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ଶୁକ୍ରବାର ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସିଥିଲା । କେମିତି ହେବ ମହାପ୍ରଭୁଙ୍କ ରୀତିନୀତି, କଣ କରାଯିବ, ଠାକୁର କେମିତି ଅଣସର ପିଣ୍ଡିରୁ ରତ୍ନବେଦୀକୁ ଯିବେ, ଏସବୁ ଜଟିଳ ପ୍ରସଙ୍ଗରେ ଆଲୋଚନା ଚାଲିଲା । କାରଣ, ରଥ ତିଆରି ପ୍ରାୟ ୯୫ ପ୍ରତିଶତ ସରିଯାଇଥିଲା ଏବଂ ସ୍ନାନପୂର୍ଣ୍ଣିମା ସୁରୁଖୁରୁରେ ହୋଇଥିବାରୁ ସମସ୍ତେ ଧରିନେଇଥିଲେ ଯେ, ରଥଯାତ୍ରା ହେବାକୁ ଯାଉଛି । କିନ୍ତୁ ସୁପ୍ରିମକୋର୍ଟଙ୍କ ରାୟ ଏଥିରେ ପୂର୍ଣ୍ଣଚ୍ଛେଦ ଟାଣିଦେଲା ।

ମନ୍ଦିର ଭିତରେ ହେବ ରଥ ନୀତିର ଧାର୍ମିକ ପ୍ରକ୍ରିୟା
ଶ୍ରୀମନ୍ଦିର ସ୍ୱତ୍ୱଲିପି ଛାଡି ଅନ୍ୟ ବ୍ୟବସ୍ଥା ହେବ

ପ୍ରଥମ ପର୍ଯ୍ୟାୟ ପରିଚାଳନା କମିଟି ବୈଠକରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳିବାକୁ ନିଷ୍ପତି ହୋଇଛି । ଧାର୍ମିକ କାରଣରୁ ନୁହେଁ ବରଂ କରୋନା ପାଇଁ ଦୁଃଖର ସହ ରଥଯାତ୍ରା ବନ୍ଦ ନିଷ୍ପତ୍ତି ନିଆଯାଇଛି । ତେବେ ମନ୍ଦିର ଭିତରେ ଧାର୍ମିକ ପ୍ରକ୍ରିୟା ଅନୁସାରେ ମହାପ୍ରଭୁଙ୍କ ସବୁ ନୀତିକାନ୍ତି ପାଳନ ହେବ ବୋଲି କହିଛନ୍ତି ପୁରୀ ଗଜପତି ।

ବର୍ତମାନ କରୋନା ମହାମାରୀ ଭଳି ଅସାଧାରଣ ପରିସ୍ଥିତି । ଏଭଳି ସମୟରେ ମହାପ୍ରଭୁଙ୍କ ପାଇଁ ଆସାଧାରଣ ବ୍ୟବସ୍ଥା କରିବାକୁ ପଡିବ । ତେଣୁ ଶ୍ୱୀମନ୍ଦିର ସ୍ୱତ୍ୱଲିପି ଛାଡି ଅନ୍ୟ ବ୍ୟବସ୍ଥା ଗ୍ରହଣ କରିବାକୁ ସମ୍ମତି ପ୍ରକାଶ ପାଇଛି । ଶ୍ରୀମନ୍ଦିର ଭିତରେ କିଭଳି ମହାପ୍ରଭୁଙ୍କ ବିଧି ରକ୍ଷା ହେବ ତାଉପରେ ଗୁରୁତ୍ୱ ଦେଇଛି ପରିଚାଳନା କମିଟି । ଏପଟେ ଦ୍ୱନ୍ଦ୍ୱ ବଢାଇଛି ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ମତ । ଶଙ୍କରାଚାର୍ଯ୍ୟ କହିଛନ୍ତି, ରଥଯାତ୍ରା ନିଷ୍ପତିର ପୁନର୍ବିଚାର ହେଉ । ଆବଶ୍ୟକ ସେବାୟତ ଓ ପୁଲିସ ସହାୟତାରେ ଶାସ୍ତ୍ର ସମ୍ମତ ଓ ପରମ୍ପରା ମୁତାବକ ରଥଯାତ୍ରା ହୋଇପାରିବ ।

ଗୋଟିଏ ପଟେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମାନି ମନ୍ଦିର ଭିତରେ ରଥ ନୀତି କରିବାକୁ ପରିଚାଳନା ବୈଠକରେ ସ୍ଥିର ହୋଇଥିବା ବେଳେ, ଏହାକୁ ମାନିବାକୁ ନାରାଜ ସେବାୟତ । ବରିଷ୍ଠ ସେବାୟତ ସଫା ସଫା କହିଛନ୍ତି, ମନ୍ଦିର ଭିତରେ ରଥଯାତ୍ରାର ବିକଳ୍ପ ନାହିଁ ତେଣୁ ମହାପ୍ରଭୁ ବର୍ଷେ ଯାଏ ଅଣସରପିଣ୍ଡିରେ ରହିବେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପରିଚାଳନା କମିଟି, ଛତିଶା ନିଯୋଗ ଓ ଦଇତାପତି ନିଯୋଗ ସହ ଆଲୋଚନା କରି ମନ୍ଦିର ଭିତରେ ରଥ ଯାତ୍ରା ନୀତି ସ୍ଥିର ହେବ ।