କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପୀଠରେ ଛତର ଯାତ୍ରା : କଟକଣା ମଧ୍ୟରେ ହେଲା ମା’ଙ୍କ ଛତ୍ର ପ୍ରତିମା ପୂଜା

୧୪୪ ଧାରା ସତ୍ୱେ ପଡ଼ିଲା ଶହ ଶହ ବଳି

216

କନକ ବ୍ୟୁରୋ : କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପିଠରେ ଛତର ଯାତ୍ରା । ବିନା ଭକ୍ତରେ ମା’ ମାଣିକେଶ୍ୱରୀଙ୍କ ପିଠରେ ଛତର ଯାତ୍ରା ଅନୁଷ୍ଠିତ ହୋଇଛି । କୋଭିଡ଼ କଟକଣା ପାଇଁ ଗତକାଲି ଠାରୁ ସହରରେ ୧୪୪ ଧାରା ଜାରି କରାଯାଇଥିଲା । ସହରରେ ସବୁ ବନ୍ଦ ରହିଥିବା ବେଳେ ସହର ଭିତରକୁ କାହାକୁ ଛଡ଼ାଯାଉନାହିଁ । ଗତକାଲି ମନ୍ଦିର ପରିସରରେ ନିଶାର୍ଦ୍ଧରେ ପୋଢ ବଳି ପରେ ଆଜି ସ୍ଥାନୀୟ ଜେନା ଖାଲରୁ ମା’ଙ୍କ ଛତ୍ର ପ୍ରତିମାକୁ ପୂଜାର୍ଚ୍ଚନା କରାଯାଇଛି । ପୋଲିସର ବ୍ୟାପକ ସୁରକ୍ଷାରେ ମା’ଙ୍କ ଯାତ୍ରା ଆରମ୍ଭ ହୋଇଥିଲେ ମଧ୍ୟ ଶହ ଶହ ସଂଖ୍ୟାରେ ଭକ୍ତ ମା’ଙ୍କୁ ବଳୀ ଦେଇଛନ୍ତି ।

ସେପଟେ, ମା’ ବିରଜାଙ୍କ ପୀଠରେ ନବମୀ ପୂଜା । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ଷୋଢଶ ଉପଚାରେ ପୂଜାର୍ଚ୍ଚନା କରାଯାଇଛି । ବିଳମ୍ବିତ ରାତିରେ ମା’ ଯଜ୍ଞକୁଣ୍ଡରୁ ଆବିର୍ଭାବ ପରେ ମହାସ୍ନାନ କରାଯାଇଥିଲା । ପରେ ସକାଳୁ ବୈତରଣୀ ଜଳରେ ମାଅଙ୍କର ପୁନଃ ସ୍ନାନ ଓ ବେଶ କରାଯାଇଛି । ଆଜି ରାତିରେ ମହିଂସାମର୍ଦ୍ଧିନୀ ବେଶରେ ଅସୁର ସଂହାର କରାଯିବା କାର୍ଯ୍ୟକ୍ରମ ରହିଛି । ମା’ ବିରଜା ରଥରୁ ଓହ୍ଲାଇ ଲାଖବିନ୍ଧା କରିବାକୁ ଯିବେ । ସେଠାରୁ ଆସିବା ପରେ ମନ୍ଦିରରେ ଗୁପ୍ତପୂଜା ଅନୁଷ୍ଠିତ ହେବ । ଅନ୍ୟପଟେ ମା’ଙ୍କୁ ଦର୍ଶନ ପାଇଁ କୋଭିଡ଼ କଟକଣା ଭିତରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି ।