ଡାକ୍ତର ହେବ ବାରମଜା ବିକାଳୀ ପୁଅ । ନିଟ୍ ପରୀକ୍ଷା ପାସ୍ ପରେ ଡାକ୍ତରୀ ପଢିବାକୁ ଫିଟିଲା ବାଟ । ବାପାଙ୍କ ସଙ୍ଘର୍ଷକୁ ସଫଳ କଲା ପୁଅ…

1,154

କନକ ବ୍ୟୁରୋ: ଡାକ୍ତର ହେବ ବାରମଜା ବିକାଳୀ ପୁଅ । ଅଭାବ ଭିତରେ ଡାକ୍ତର ହେବାକୁ ଯେଉଁ ସ୍ୱପ୍ନ ଦେଖିଥିଲା, ସ୍ୱପ୍ନ ସତ କରିବାକୁ ଯେଉଁ ସଙ୍ଘର୍ଷ କରିଥିଲା ତାହା ସତ ହୋଇଛି । ଆଉ ସେ ନିଟ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଡାକ୍ତରୀ ପଢିବାକୁ ସଫଳତା ପାଇଁଛନ୍ତି ।

ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ଗାଁର ରମେଶ ସେଠୀ । ଚଳିତ ବର୍ଷ ନିଟ୍ ପରୀକ୍ଷାରେ ୫୫୬ ନମ୍ବର ରଖି ପାସ୍ କରିଛନ୍ତି । ସୋର ବାଗୁଡି ନବୋଦୟ ବିଦ୍ୟାଳୟରେ ପଢିବା ବେଳେ ନିଜ ପିଲା ବେଳର ଡାକ୍ତର ସ୍ୱପ୍ନକୁ ପୂରା କରିବାକୁ ରମେଶ ଅକ୍ଲାନ୍ତ ପରିଶ୍ରମ କରୁଥିଲେ । ଆଉ ସେହି କଠିନ ସଙ୍ଘର୍ଷ ଆଜି ତାଙ୍କୁ ସଫଳତା ଦେଇଛି ।

ତେବେ ରମେଶଙ୍କ ବାପା ବାରମଜା ବିକାଳୀ ହୋଇଥିବାରୁ ପିଲାକୁ ଅନେକ କଷ୍ଟରେ ପାଠ ପଢାଇଛନ୍ତି । ପାଟିଚାଖଣା ବିକ୍ରି କରି ପେଟ ପୋଷନ୍ତି । ରମେଶ ବି ଦୋକାନରେ ବାପାଙ୍କ ସହ ବାରମଜା ବିକ୍ରି କରି ପାଠ ପଢନ୍ତି ।

ଡାକ୍ତର ସ୍ୱପ୍ନ ପୂରଣ ପାଇଁ ସିନା ବାଟ ଖୋଲିଗଲା ହେଲେ ପଢିବା ପାଇଁ ଏବେ ଅର୍ଥ ଦରକାର । ସଫଳତା ପାଇଁ ସିନା ସବୁଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି ହେଲେ ସୁନ୍ଦର ଭବିଷ୍ୟତ ଗଢିବାକୁ ସାମର୍ଥ୍ୟ ଦରକାର । ଆଉ ତାହା କିଏ ଦେବ ? କେଉଁଠୁ ଆସିବ ? ସ୍ୱପ୍ନ ସତ କରିବାକୁ କେହି ସାହାଯ୍ୟ କରିବେ କି ?