କୋଟି କୋଟି ଟଙ୍କାକୁ ବାଏ ବାଏ କରି ସନ୍ନ୍ୟାସୀ ହୋଇଗଲେ ୨୪ ବର୍ଷୀୟ ଚାଟାର୍ଡ ଆକାଉଣ୍ଟାଟ ! ମୋକ୍ଷ ପାଇବା ପାଇଁ ଜୈନ ଧର୍ମ ଗ୍ରହଣ କଲେ ମୋକ୍ଷେସ

88

କାହାଣୀ କୋଟିପତିରୁ ସନ୍ନ୍ୟାସୀ ହୋଇଥିବା ଜଣେ ଚାଟାର୍ଡ ଆକାଉଣ୍ଟାଟଙ୍କର । ଯିଏ ପରିବାର ମୋହ, ଘରଦ୍ୱାର ଓ ଧନସମ୍ପତି ଛାଡ଼ି ଜୈନ ସନ୍ନ୍ୟାସୀ ହେବାର ରାସ୍ତାକୁ ଗ୍ରହଣ କରିଛନ୍ତି । ଯୁବକ ଜଣକ ହେଲେ ମୋକ୍ଷେଶ୍ ସେଠ୍ । ଯିଏ କୋଟିପତିରୁ ପାଲଟିଯାଇଛନ୍ତି ଜଣେ ସନ୍ୟାସୀ । କୋଟି କୋଟି ଟଙ୍କାର ସମ୍ପତିକୁ ଏଡ଼ାଇ ଜୈନ ସନ୍ନ୍ୟାସୀ ହେଲେ ଅହମ୍ମଦାବାଦର ୨୪ ବର୍ଷୀୟ ଚାଟାର୍ଡ ଆକାଉଂଟାଂଟ୍ ମୋକ୍ଷେସ୍ । ଯେଉଁ ବୟସରେ ସାଂସାରିକ ମୋହ ମାୟା ତାଙ୍କୁ ବାନ୍ଧି ରଖିଥାନ୍ତା ସେହି ଯୁବ ବୟସରେ ତାଙ୍କୁ ଘାରିଛି ମୋକ୍ଷ ଚିନ୍ତା । ଆପଣ ଭାବୁଥିବେ କାହାଣୀ ତେବେ ଏହା ସତ ।

ଦଶମ ବୋର୍ଡ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ନମ୍ବର । ଦ୍ୱାଦଶ ପରୀକ୍ଷାରେ ୮୫ ପ୍ରତିଶତରୁ ଉଦ୍ଧ୍ୱର୍ ମାର୍କ । ୨୪ ବର୍ଷରେ ଚାଟାର୍ଡ ପରୀକ୍ଷାରେ ସଫଳତା । ଆଉ ଏହାପରେ ମେଧାବୀ ମୋକ୍ଷେଶଙ୍କୁ ଘାରେ ମୋକ୍ଷପ୍ରାପ୍ତିର ଚିନ୍ତା । ପରିବାରର ମୋହ, ସମ୍ପତିର ଆକର୍ଷଣ ଓ ପ୍ରାଚୁର୍ଯ୍ୟର ଲୋଭ୍ ମୋକ୍ଷେଶଙ୍କୁ ଅଟକାଇପାରେ ନାହିଁ ବେଶି ସମୟ । ସବୁକିଛି ପରିତ୍ୟାଗ କରି ମୋକ୍ଷେଶ୍ ଆଜି ବନିଛନ୍ତି ଜୈନ ସନ୍ନ୍ୟାସୀ । ପାଠପଢ଼ାରେ ଆଗୁଆ ଥିବା ମୋକ୍ଷେଶ୍ ପାରମ୍ପରିକ ରୀତିନୀତିରେ ଜୈନ ଭିକ୍ଷୁ ହେବାର ବାଟକୁ ବାଛିଛନ୍ତି । ଚାଟାର୍ଡ ଆକାଉଁଟାଂଟ୍ ଭାବେ କାମ କରୁଥିବା ମୋକ୍ଷେଶ୍ ଧର୍ମର ଅଡିଟ୍ କରିବେ ବୋଲି କହିଛନ୍ତି ।

କିଛିଦିନ ପୂର୍ବେ ବାର ବର୍ଷରେ ଜୈନ ସନ୍ନ୍ୟାସୀ ହୋଇଥିଲେ ଭବ୍ୟ ଓ ତାଙ୍କ ଭଉଣୀ । ସୁରାଟର ଏକ ଧନୀ ପରିବାରରେ ଜନ୍ମ ହୋଇଥିବା ଭବ୍ୟ ଘରଛାଡ଼ି ହୋଇଥିଲେ ଜୈନ ସନ୍ନ୍ୟାସୀ । ତେବେ ଏହା ଏକମାତ୍ର ଉଦାହରଣ ନଥିଲା ଯେଉଁଠି ବଛାଯାଇଥିଲା ସନ୍ନ୍ୟାସର ରାସ୍ତା । ଜାନୁଆରୀ ୨୦୧୮ – ବର୍ଷକୁ ୧୨ ଲକ୍ଷ ଟଙ୍କା ଆୟକର ଦେଉଥିବା ୨୯ ବର୍ଷୀୟ ଆଇଆଇଟି ଇଂଜିନିୟର୍ ସଙ୍କେତ ପାରେଖ ସବୁକିଛି ଛାଡ଼ି ସନ୍ନ୍ୟାସୀ ହୋଇଥିଲେ ।ସେପଟେମ୍ବର ୨୦୧୭ – ସୁରାତରେ ୧୦୦ କୋଟି ଟଙ୍କାର ସମ୍ପତିର ମାଲିକ ସୁମିତ୍ ରାଠୋର୍ ଓ ପତ୍ନୀ ଅନାମିକା ନିଜ ୩ ବର୍ଷର ଝିଅକୁ ଛାଡ଼ି ସନ୍ନ୍ୟାସକୁ ବାଛିଥିଲେ ।ଜୁନ୍ ୨୦୧୭ – ଦ୍ୱାଦଶରେ ୯୦ ପ୍ରତିଶତ ନମ୍ବର ରଖିଥିବା ଗୁଜରାଟର ୧୭ ବର୍ଷୀୟ ବର୍ଷିଲ୍ ନିଜ ମାର୍କସିଟ୍ ସଂଗ୍ରହ ନକରି ଜୈନ ସନ୍ନ୍ୟାସୀ ହୋଇଥିଲେ ।

ଗୁଜରାଟର ମୋକ୍ଷେଶ୍ ହୁଅନ୍ତୁ କି ଭବ୍ୟ, ପାରିବାରିକ ସମ୍ପତି ଓ ପ୍ରାଚୁର୍ଯ୍ୟ ସେମାନଙ୍କୁ ଜୈନ ସନ୍ନ୍ୟାସୀ ହେବାରୁ ଅଟକାଇପାରିନାହିଁ । ଅନ୍ୟପଟେ ଏଭଳି ଅଳ୍ପ ବୟସରେ ସନ୍ନ୍ୟାସ ହେବା ଓ ମୋକ୍ଷର କାମନା କରିବା କେତେ ଦୁର ଯଥାର୍ଥ ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନବାଚୀ ।