ରଥ ଯାଏ ଗଡି ଗଡି… ସିଂହଦ୍ୱାର ସାମ୍ନାକୁ ରଥଟାଣି ନେଲା ବେଳେ ଭାବ ବିହ୍ୱଳ ହେଲେ ସେବାୟତ । ବଡଦାଣ୍ଡରେ ତିନି ଦିଅଙ୍କ ଅପେକ୍ଷାରେ ତିନି ରଥ

626

କନକ ବ୍ୟୁରୋ: ହାତରେ ବଳ ନାହିଁ କିନ୍ତୁ କାଳିଆର ରଥ ଟାଣିବାକୁ ଦେହରେ ଖେଳିଯାଉଛି ଶତ ସିଂହର ବଳ । ତା ବଡଦାଣ୍ଡରେ ଛିଡା ହେଲା ପରେ ଏ ଥରିଲା ହାତରେ କେଉଁଠୁ କେଜାଣି ଏତେ ଶକ୍ତି ଚାଲି ଆସେ କେବଳ ସେହି କଳିଆକୁ ଜଣା… ରଥଯାତ୍ରା ବନ୍ଦ ପାଇଁ ଯେତେବେଳେ ସୁପ୍ରିମକୋର୍ଟ ରାୟ ଦେଇଥିଲେ । ସେତେବେଳେ ଭାଙ୍ଗି ପଡିଥିଲେ ଭକ୍ତ, ସାଆନ୍ତଙ୍କ ଆଗରେ ହାତଯୋଡି ଗୁହାରୀ କରିଥିଲେ ସେବାୟତ । ଆଉ ଆଜି ପୁନର୍ବିଚାର ପରେ ସୁପ୍ରିମକୋର୍ଟରୁ ଯେତେବେଳେ ଖୁସି ଖବର ଆସିଲା ସେତେବେଳେ ଭକ୍ତର ମନ ନାଚି ଉଠିଲା । ସେବାୟତ ପ୍ରାଣ ଝୁମି ଯାଇଥିଲା । ଆଉ ତିନି ରଥକୁ ରଥଖଳାରୁ ସିଂହଦ୍ୱାର ସାମ୍ନକୁ ନେବାବେଳେ ଘଣ୍ଟଘଣ୍ଟାରେ ଫାଟି ବଡିଥିଲା ବଡଦାଣ୍ଡ । ଜୟ ଜଗନ୍ନାଥ ନାରାରେ ପ୍ରକମ୍ପିତ ହେଉଥିଲା ଶ୍ରୀକ୍ଷେତ୍ର । ଆଉ ନନ୍ଦିଘୋଷ ରଥ ଟାଣି ଟାଣି ନେଇ ସିଂହଦ୍ୱାର ଆଗରେ ରଖିବାକୁ ରଥଟଣା ଆରମ୍ଭ ବେଳେ ଜଣେ ସେବାୟତ ଖୁସିରେ ଆତ୍ମହରା ହୋଇ ପ୍ରଭୁଙ୍କୁ ଡାକିଥିଲେ । ଯାହା ଏ ଚିତ୍ର ହିଁ ବୟାନ କରୁଛି ।

 

ସେପଟେ ରଥଟଣା ପରେ ସିଂହଦ୍ୱାର ସମ୍ମୁଖରେ ତିନି ଦିଅଁଙ୍କ ଅପେକ୍ଷାରେ ରହିଛି ତିନି ରଥ । କେତେବେଳେ ଭାଇ ଭଉଣୀ ବଡଦେଉଳରୁ ବାହାରି ବଡଦାଣ୍ଡକୁ ଆସିବେ ଆଉ ତାଙ୍କ ଉପରେ ବସିବେ ସେହି ଅପେକ୍ଷା ନେଇ ରାତିକୁ ଶୀଘ୍ର ପାହିଯିବାକୁ କହୁଛନ୍ତି ୩ ରଥ । ରାତି ପାହି, ସକାଳ ହେଲେ ଜଗା ଆସିବ, ରଥରେ ବସିବ ଆଉ ସାରା ବିଶ୍ୱ ଦେଖିବ ବିଶ୍ୱ ନିଅନ୍ତାଙ୍କ ସହାସ୍ୟ ବଦନ ।

କରୋନା କଟକଣା ଦୃଷ୍ଟିରୁ ରଥଯାତ୍ରା ଉପରେ ରୋକ ଲାଗିବା ପରେ ପରେ ସାରା ଓଡ଼ିଶାରେ ହଲଚଲ ସୃଷ୍ଟି ହୋଇଥିଲା । ରାୟର ପରିବର୍ତନ କରି କେବଳ ପୁରୀରେ ରଥଯାତ୍ରା କରିବା ପାଇଁ ଅନୁମତି ଦେବାକୁ ଗୋଟିଏ ପରେ ଗୋଟିଏ ପିଟିସନ ଦାୟର ହେଲା ସୁପ୍ରିମକୋର୍ଟରେ । ଶନିବାର ଓ ରବିବାର କୋର୍ଟ ବନ୍ଦ ରହିଥିଲା । ମଙ୍ଗଳବାର ଦିନ ରଥଯାତ୍ରା । ମଝିରେ ଥିଲା ଗୋଟିଏ ଦିନ । ସମସ୍ତଙ୍କ ମନରେ ଆଶା ଓ ଆଶଙ୍କା ବଢ଼ି ଚାଲିଥିଲା । ଯଦି ଜଗନ୍ନାଥ ଚାହାଁନ୍ତି, ଏହି ଗୋଟିଏ ଦିନରେ ସବୁ ସମସ୍ୟା ହଟିଯିବ, ଆଉ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ମିଳିବ ବୋଲି ଭକ୍ତ ଓ ସେବାୟତଙ୍କ ବିଶ୍ୱାସ ।

 

ଆଜି ସୁପ୍ରିମକୋର୍ଟ କି ନିଷ୍ପତି ନେଉଛନ୍ତି, ଏହା ଉପରେ ଓଡ଼ିଶା ସମେତ ବିଶ୍ୱରେ ଥିବା କୋଟି କୋଟି ଜଗନ୍ନାଥ ପ୍ରେମୀ ନଜର ର୍ଖିଥିଲେ । ଉଭୟ କେନ୍ଦ୍ର ଓ ଓଡ଼ିଶା ସରକାର ରଥଯାତ୍ରା ସପକ୍ଷରେ ସୁପ୍ରିମକୋର୍ଟରେ ପକ୍ଷ ରଖିବା ପାଇଁ ଆଗେଇ ଆସିଲେ । ରଥଯାତ୍ରା ସପକ୍ଷରେ ସର୍ବୋଚ୍ଚ ନ୍ୟାୟାଳୟରେ ଦେଶର ବଡ଼ ବଡ଼ ଓକିଲ ଯୁକ୍ତି ଦର୍ଶାଇବା ପାଇଁ ପ୍ରସ୍ତୁତ ହେଲେ । ଅଲୌକିକ ଘଟଣା ଭଳି ସବୁକିଛି ଘଟିଥିଲା ଖୁବ କମ୍ ସମୟ ମଧ୍ୟରେ । ଶେଷରେ କୋଭିଡ୍ କଟକଣା ଭିତରେ ବିନାଭକ୍ତରେ ପୁରୀରେ ରଥଯାତ୍ରା କରିବା ପାଇଁ ଅନୁମତି ଦେଇଥିଲେ ସୁପ୍ରିମକୋର୍ଟ । ଆଉ ନିଷ୍ପତ୍ତି ପରେ ଇଏ ହେଉଛି ତାଙ୍କରି ଲୀଳା ।