କନକ ବ୍ୟୁରୋ : ରଥ ନିର୍ମାଣରେ ନିୟୋଜିତ ୮ଜଣ ସେବକ ଆଜି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ ୩ଜଣ ମହାରଣା ସେବକ ଓ ୫ଜଣ ଭୋଇ ସେବକ ରହିଛନ୍ତି। ରଥ ନିର୍ମାଣ ସେବକଙ୍କ ମହଲରେ ଏହା ଭୟର ବାତାବରଣ ସୃଷ୍ଟି କରିଥିବାବେଳେ ରଥଖଳାରେ ସଂକ୍ରମଣମୁକ୍ତ ପରିବେଶ ପାଇଁ ଅଣ୍ଟା ଭିଡ଼ିଛି ଶ୍ରୀମନ୍ଦିର ପ୍ରଶାସନ । ସମ୍ପୂର୍ଣ୍ଣ ରଥଖଳାକୁ ବାୟୋ ବବଲ୍ ବଳୟରେ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି । କେବଳ ରଥ ନିର୍ମାଣରେ ନିୟୋଜିତ ସେବକ ଓ ଅଧିକାରୀଙ୍କୁ ବାଦ୍ ଦେଲେ ଅନ୍ୟମାନଙ୍କ ପ୍ରବେଶ ନିଷେଧ କରାଯାଇଛି । ନିୟୋଜିତ ସେବକଙ୍କ ପାଇଁ ଏନ୍-୯୫ ମାସ୍କ ସହ ସାନିଟାଇଜର୍ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନିଆଯାଇଛି ।
ରଥ ନିର୍ମାଣ ପୂର୍ବରୁ ନିୟୋଜିତ ସେବକଙ୍କ କୋଭିଡ୍ ଟେଷ୍ଟ ପାଇଁ ନିଷ୍ପତ୍ତି ହୋଇଥିଲା । ସେହି ଅନୁଯାୟୀ ସମସ୍ତ ସେବକଙ୍କ କୋଭିଡ୍ ଟେଷ୍ଟ କରାଯାଇଥିଲା। ଏଥିରୁ ନନ୍ଦିଘୋଷ ରଥର ଦୁଇ ଜଣ ଓ ଦର୍ପଦଳନ ରଥର ଜଣେ ସେବକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ୫ଜଣ ଭୋଇ ସେବକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କୁ ନୀଳାଚଳ ଯାତ୍ରୀ ନିବାସ କୋଭିଡ୍ କେୟାର୍ ସେଣ୍ଟର୍ରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ରଥଖଳା ନିର୍ମାଣ କାର୍ଯ୍ୟ ଓ ସେବକ ସଂକ୍ରମଣ ସ୍ଥିତିର ସମୀକ୍ଷା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର। ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନାଙ୍କ ସମେତ ତିନି ରଥର ମୁଖ୍ୟ ବିଶ୍ବକର୍ମା ଓ ଅନ୍ୟ ସେବକମାନେ ଉପସ୍ଥିତ ଥିଲେ। କରୋନା ସଂକ୍ରମଣ ବଢ଼ି ଚାଲିଥିବାରୁ ସମସ୍ତଙ୍କୁ ଜଗିରଖି କାମ କରିବାକୁ ପରାମର୍ଶ ଦିଆଯାଇଥିଲା ।
ବାୟୋ ବବଲ୍ ବ୍ୟବସ୍ଥା କ’ଣ ?
କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରଖିବା ତଥା ସଂକ୍ରମଣମୁକ୍ତ ପରିବେଶ ପାଇଁ ବାୟୋ ବବଲ୍ ପନ୍ଥା ଆପଣା ଯାଇଥାଏ । ଶ୍ରୀମନ୍ଦିର ପ୍ରଶାସନ ଜିଲ୍ଲା ପ୍ରଶାସନ ସହ ଯୋଗରେ ରଥଖଳାରେ ଏହି ବ୍ୟବସ୍ଥା ଆପଣାଇଛି । ଏ ସମ୍ପର୍କରେ ସୂଚନା ଦେଇ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ରଥଖଳାରେ ନିୟୋଜିତ ସେବକଙ୍କୁ ସଂକ୍ରମଣଠାରୁ ଦୂରେଇ ରଖିବା ପାଇଁ ଏହି ବ୍ୟବସ୍ଥା ଗ୍ରହଣ ଯାଇଛି। ଏହା ଏକ ସୁରକ୍ଷା ବଳୟ । ଯେଉଁମାନେ ରଥ ନିର୍ମାଣରେ ନିୟୋଜିତ ଅଛନ୍ତି, ସେମାନେ ବାହାର ଲୋକଙ୍କ ସଂସ୍ପର୍ଶରେ ଆସିବେନି । ସେମାନଙ୍କୁ ସ୍ବତନ୍ତ୍ର ଭାବେ ଅଲଗା ରଖାଯିବ । ସାମ୍ବାଦିକଙ୍କ ସହ ଜନସାଧାରଣଙ୍କ ପ୍ରବେଶ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି । ରଥଖଳା ଅଞ୍ଚଳ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ବର୍ମା କହିଛନ୍ତି ।