ରଥଖଳାରେ ହେବ ଜୈବ ବଳୟ । ଆଇପିଏଲ ଭଳି ରଥ ନିର୍ମାଣରେ ବ୍ୟବହାର ହେବ ‘ଜୈବବଳୟ’ ପ୍ରଣାଳୀ । ୮ ଜଣ ଭୋଇ ଓ ମହାରଣା ସେବାୟତ ପଜିଟିଭ ପରେ ପ୍ରଶାସନର ନିଷ୍ପତ୍ତି ।

144

କନକ ବ୍ୟୁରୋ: ପରମ୍ପରା ଅନୁସାରେ ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ । କିନ୍ତୁ ଏବେ ରଥନିର୍ମାଣ କାର୍ଯ୍ୟରେ ନିୟୋଜିତ ସେବକଙ୍କ ମଧ୍ୟରୁ ୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୩ ଜଣ ମହାରଣା ସେବାୟତ ଓ ୫ ଜଣ ଭୋଇ ସେବକ ସଂକ୍ରମିତ ହେବା ପରେ କେମିତି ରଥ ନିର୍ମାଣ କାର୍ଯ୍ୟ ଜାରି ରହିବ ତାହା ପ୍ରଶାସନର ଚିନ୍ତାକୁ ବଢ଼ାଇ ଦେଇଛି ।

ଧାର୍ଯ୍ୟ ସମୟ ପୂର୍ବରୁ ରଥନିର୍ମାଣ କାର୍ଯ୍ୟ ଶେଷ କିପରି କରାଯିବ ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି । ଏସବୁକୁ ନଜରରେ ରଖି ରଥଖଳାକୁ କିଭଳି ସଂକ୍ରମଣମୁକ୍ତ ରଖାଯାଇ ପାରିବ ସେଥିପାଇଁ ଜୈବ ବଳୟ ସୃଷ୍ଟି କରି କାର୍ଯ୍ୟ କରିବାକୁ ଯୋଜନା କରିଛି ପ୍ରଶାସନ । ଯେଉଁମାନେ ରଥନିର୍ମାଣ କାର୍ଯ୍ୟରେ ନିୟୋଜିତ ହେବେ ସେମାନେ ଏହି ବଳୟ ଭିତରେ ରହିବେ ଓ କାହା ସଂସ୍ପର୍ଶରେ ନଆସି କାର୍ଯ୍ୟ କରିବେ ।

ତେବେ ଜାଣନ୍ତୁ ଜୈବ ବଳୟ କଣ ?

– ଜୈବ ବଳୟ ହେଉଛି ଏକ କୁତ୍ରିମ ସୁରକ୍ଷା କବଚ
– ଏହି ବଳୟ ଭିତରକୁ ଯିବା ପୂର୍ବରୁ କରୋନା ପରୀକ୍ଷା କରାଯାଇ ଥାଏ
– ଯେଉଁମାନଙ୍କର ନେଗେଟିଭ୍ ରିପୋର୍ଟ ଆସିଥାଏ, ସେହିମାନେ ଏହି ବଳୟ ଭିତରକୁ ଯାଇଥାନ୍ତି ।
– ଯେଉଁମାନେ ଜୈବ ବଳୟ ଭିତରକୁ ଯାଇଥାନ୍ତି କାର୍ଯ୍ୟ ଶେଷ ନହେବା ପର୍ଯ୍ୟନ୍ତ ଅନ୍ୟ କାହା ସଂସ୍ପର୍ଶରେ ଆସି ନଥାନ୍ତି
– ସଂକ୍ରମଣ ହେବାର ଆଶଙ୍କା କମ ରହିଥାଏ

ତେବେ ଏହା ପୂର୍ବରୁ ଆଇପିଏଲ ଭଳି ବଡ ବଡ ଟୁର୍ଣ୍ଣାମେଂଟରେ ଖେଳାଳିଙ୍କୁ ଜୈବ ବଳୟ ମଧ୍ୟରେ ରଖାଯାଇଥିଲା । କିନ୍ତୁ ସେଠାରେ ଏହା ଫେଲ ମାରିଥିଲା । ଅଧାରୁ ଅଟକିଥିଲା ଆଇପିଏଲ ଟୁର୍ଣ୍ଣାମେଂଟ । ଏବେ ରଥଖଳାରେ ଏହି ପ୍ରଣାଳୀ କେତେ କାମ ଦେଉଛି ତାହା ଦେଖିବାର ବାକି ।