ବର୍ଷା ସତ୍ୱେ ବଡଦାଣ୍ଡରେ ଆଗେଇ ଚାଲିଛି ରଥ ନିର୍ମାଣ କାମ ।ଶ୍ରୀଜିଉଙ୍କ ରଥ କାମରେ ଲାଗିଛନ୍ତି ୨ ଶହ ସେବକ, ଆଜି ରଥ ଅଖରେ ଲାଗିଲା ଦଣ୍ଡା ।

121

କନକ ବ୍ୟୁରୋ : ବର୍ଷା ସତ୍ୱେ ବଡଦାଣ୍ଡରେ ଆଗେଇ ଚାଲିଛି ରଥ ନିର୍ମାଣ କାମ । ରଥ ଖଳାରେ ରୂପକାରମାନେ ନାଟଗଡୁ କାମ ଅନୁକୁଳ କରିଛନ୍ତି । ବର୍ଷା ସତ୍ୱେ ୨ ଶହ ଜଣ ରଥ ନିର୍ମାଣ ସେବକ ଶ୍ରୀଜିଉଙ୍କ କାମରେ ଲାଗିଛନ୍ତି । ପ୍ରତି ରଥରେ ୮ଟି ଲେଖାଏଁ ମୋଟ ୩ ରଥର ୨୪ଟି ନାଡଗଡୁ ନିର୍ମାଣ କରାଯିବ ।

ଅନ୍ୟପଟେ ଗତକାଲି ତିନି ରଥରେ ସମସ୍ତ ଚକ-ଅଖ ସଂଯୋଗ ହୋଇ ସାରିଛି । ଆଜି ରଥରେ ଦଣ୍ଡା ପଡିଛି । ମୋଟ ୨୫ଟି ଦଣ୍ଡା ୩ଟି ରଥରେ ଲଗାଯାଇଛି । ଅର୍ଥାତ୍ ସ୍ନାନ ପୂର୍ଣ୍ଣିମା ଆଗରୁ ତିନିରଥର ଫ୍ରେମ କାମ ଶେଷ ହୋଇଛି । ଆଜି ସୁଦ୍ଧା ୯ଟି ଜଳଯନ୍ତ୍ର, ୬ଟି ଗରଗରା ନିର୍ମାଣ ସରିଛି । ସେହିଭଳି କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ ଓ ବଡ ଠାକୁରଙ୍କ ତାଳଧ୍ୱଜ ରଥର ୧୬ଟି ଲେଖାଏଁ କୋଣଗୁଜ କାମ ସରିଛି ।

ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ୧୨ଟି କୋଣଗୁଜ କାମ ମଧ୍ୟ ଶେଷ ହୋଇଛି । ତେବେ ୩ଟି ଯାକ ରଥର କାମ ସମାନ୍ତରାଳ ଭାବେ ଚାଲିଛି । ଜୁନ୍ ୨୪ ତାରିଖରେ ଦେବସ୍ନାନ ପୂର୍ଣ୍ଣିମାରେ ୩ ରଥର ୪ ନାହାକା ଉଠିବାର ପରମ୍ପରା ରହିଛି । ରଥର ଫ୍ରେମ ତିଆରି କରାଯିବା ପରେ ୪ ନାହାକା ମଧ୍ୟ ପ୍ରସ୍ତୁତ ହୋଇ ରହିଛି । ଫ୍ରେମ ଉପରେ ଚାରି ନାହାକା ଉଠିବ ।