କନକ ବ୍ୟୁରୋ : ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାରେ ବଲାଙ୍ଗ ପୁଲିସ ଚାର୍ଜସିଟ ଦାଖଲ କରିଛି । ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ଏହି ଚାର୍ଜସିଟ ଦାଖଲ ହୋଇଛି । ହଜାରେରୁ ଅଧିକ ପୃଷ୍ଠାର ଏହି ଚାର୍ଜସିଟରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତାଙ୍କ ଡ୍ରାଇଭର ରାଧେ ନାଁରେ ରହିଛି । ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଥିଲା ଗୋବିନ୍ଦ ସାହୁ ।

Advertisment

ଆସନ୍ତା ୧୫ ତାରିଖରେ ଗୋବିନ୍ଦ ସାହୁ କୋର୍ଟ ଚାଲାଣକୁ ୧୨୦ ଦିନ ପୁରୁଥିଲା । ତା ପୂର୍ବରୁ ଏହି ଚାର୍ଜସିଟ ଦାଖଲ କରିଛି ପୁଲିସ । କଳାହାଣ୍ଡି ମହାଲିଙ୍ଗରେ ଥିବା ସନସାଇନ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ଗତବର୍ଷ ଅକ୍ଟୋବର ୮ ତାରିଖରେ ନିଖୋଜ ହୋଇଯାଇଥିଲେ । ଏ ନେଇ ଏତଲା ହେବା ପରେ ପୁଲିସ ଖୋଳତାଡ ଆରମ୍ଭ କରିଥିଲା । ଏହି ଘଟଣାରେ ମହାଲିଙ୍ଗ କଲେଜ ପରିଚାଳନା କମିଟି ଅଧ୍ୟକ୍ଷ ଗୋବିନ୍ଦ ସାହୁଙ୍କ ନାଁ ସାମ୍ନାକୁ ଆସିଥିଲା ।

ଗୋବିନ୍ଦ କିଛିଦିନ ଫେରାର ରହି ଗିରଫ ହେବା ପରେ ପୁରା କାହାଣୀ ସାମ୍ନାକୁ ଆସିଥିଲା । ନିଜର କଳା କାରନାମା ଧରାପଡିଯିବା ଭୟରେ ସେ ମମିତାଙ୍କୁ କାର ଭିତରେ ତଂଟି ଚିପି ହତ୍ୟା କରିଥିଲା । ପରେ ପ୍ରମାଣ ନଷ୍ଟ ପାଇଁ ମହାଲିଙ୍ଗ ଷ୍ଟାଡିମୟରେ ପୋଡିକି ପୋତି ଦେଇଥିଲା । ପୁରା ଘଟଣାରେ ଗୋବିନ୍ଦ ସାହୁର ଡ୍ରାଇଭର ରାଧେ ବି ସାମିଲ ଥିଲା ।

ପରେ ଘଟଣାକୁ ନେଇ ରାଜନୀତି ଜୋର ଧରିଥିଲା । ଗୋବିନ୍ଦ ସାହୁଙ୍କ ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗଭୀର ସମ୍ପର୍କ ଥିବା ନେଇ ବିରୋଧୀ ଅଭିଯୋଗ ଆଣିଥିଲେ । ଏପରିକି କଂଗ୍ରେସ ଓ ବିଜେପି ଆନ୍ଦୋଳନକୁ ଓହ୍ଳାଇଥିଲେ , ଯାହା ଆଜି ଯାଏଁ ବି ଥମିନାହିଁ । ବିରୋଧୀ ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଥିଲେ ।