୬ ମାସ ପାଇଁ ମୁଖ୍ୟମନ୍ତ୍ରୀ ହେଲେ ଚନ୍ନୀ, ସତ୍ତା ସମ୍ଭାଳିବାକୁ କେତେ ହେବେ ସମର୍ଥ

116

କନକ ବ୍ୟୁରୋ : ପଞ୍ଜାବରେ କିଛିଦିନ ଧରି ଚାଲିଥିବା କ୍ୟାପଟେନ ବନାମ କ୍ୟାପଟେନ ରାଜନୀତିରେ ଶେଷରେ କ୍ୟାପଟେନ ସିଦ୍ଧୁ ବିଜୟୀ ହୋଇଛନ୍ତି । ପ୍ରଥମେ ରାଜନୈତିକ ବିବାଦ ଘେରକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ଆଣିଥିଲେ । ଦୀର୍ଘଦିନ ଧରି ରାଜ୍ୟ କଂଗ୍ରେସରେ ବାରମ୍ବାର ବିବାଦ ଲାଗି ରହିବା ଫଳରେ ଗତକାଲି ବାଧ୍ୟ ହୋଇ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ନିଜ ପଦରୁ ଇସ୍ତଫା ଦେଇଥିଲେ । ଆଜି ନୂଆ ମୁଖ୍ୟମନ୍ତ୍ରୀ ଚୟନ ନେଇ ବସିଥିବା ବିଧାୟକ ଦଳ ବୈଠକରେ ଅମରିନ୍ଦରଙ୍କ ସମର୍ଥକଙ୍କ ମଧ୍ୟରୁ କାହାକୁ ମୁଖ୍ୟମନ୍ତ୍ରୀ ଭାବେ ହାଇକମାଣ୍ଡ ନିର୍ବାଚିତ କରିବେ ବୋଲି ଅନୁମାନ କରାଯାଉଥିଲା । ହେଲେ ଶେଷରେ ବି ସିଦ୍ଧୁ ପୁଣିଥରେ ବାଜି ମାରିନେଲେ । ପୂର୍ବମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ଘୋର ବିରୋଧୀ ତଥା ସିଦ୍ଧୁଙ୍କ ସମର୍ଥକ କୁହାଯାଉଥିବା ଚରଣଜିତସିଂ ଚନ୍ନୀଙ୍କ ନାମରେ ମୋହର ମାରିଛନ୍ତି ଦଳର ହାଇକମାଣ୍ଡ ।

କଥା ହେଉଛି ଆଗାମୀ ୨୦୨୨ ଆରମ୍ଭରୁ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବ । ଏବେ ଚରଣଜିତ କେବଳ ୬ ମାସ ପାଇଁ ମୁଖ୍ୟମନ୍ତ୍ରୀ ରହିବେ । ଏହାରି ମଧ୍ୟରେ କ୍ୟାପଟେନଙ୍କ ଗଡଭାଙ୍ଗି ସିଦ୍ଧୁ ପୂରା ରାଜ୍ୟ କଂଗ୍ରେସକୁ ନିଜ ହାତକୁ ଆଣିପାରବେ କି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ବେଳେ ଅମରିନ୍ଦର ସିଂ ଏବେ କଂଗ୍ରେସରେ ରହିବେ ନା ନିଜ ଟିମକୁ ନେଇ ଅନ୍ୟ ଦଳରେ ସାମିଲ ହେବେ ତାହା ବି ଆଗାମୀ ଦିନର ପ୍ରଶ୍ନବାଚୀ ।

ଅନ୍ୟପଟେ ୨୦୧୭ ବିଧାନସଭା ନିର୍ବାଚନ ପରେ ଅକାଳିଦଳ ପରିବର୍ତ୍ତେ ଆମ୍ ଆଦମୀ ପାର୍ଟି ଦିନକୁ ଦିନ ସେଠାରେ ବିରୋଧୀଦଳ ଭୂମିକା ନିର୍ବାହ କରିବା ସହ କ୍ରମାଗତଭାବେ ଶକ୍ତି ବୃଦ୍ଧି କରିବାରେ ଲାଗିଛି । ଯଦି କ୍ୟାପଟେନ ଅମରିନ୍ଦର ସିଂ ତାଙ୍କ ସହଯୋଗୀ ଓ ସମର୍ଥକଙ୍କ ସହ ଆପରେ ଯୋଗ ଦେଉଛନ୍ତି ତେବେ ସିଦ୍ଧୁ କଂଗ୍ରେସ ପାଇଁ ଘାତକ ହୋଇପାରନ୍ତି ।