କାଲି ଶପଥ ନେବେ ଚରଣଜିତ ସିଂ ଚନ୍ନୀ: ହେବେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ 

Advertisment
କାଲି ଶପଥ ନେବେ ଚରଣଜିତ ସିଂ ଚନ୍ନୀ: ହେବେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ 

କନକ ବ୍ୟୁରୋ: ଆଗାମୀକାଲି ପୂର୍ବାହ୍ନ ୧୧ଟାରେ କଂଗ୍ରେସର ଦଳିତ ନେତା ଚରଣଜୀତ ସିଂହ ଚନ୍ନୀ ପଞ୍ଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଗୋଟିଏ ଦିନର କଳ୍ପନାଜଳ୍ପନାର ଅବସାନ ଘଟାଇ ଅନ୍ୟତମ କଂଗ୍ରେସ ନେତା ହରିଶ ରାୱତ୍‌ ଟୁଇଟ୍‌ କରି କରି ଏକଥା ଜଣାଇଛନ୍ତି।

ତାଙ୍କୁ ଅଭିନନ୍ଦନ ଜଣାଇ ରାହୁଲ୍‌ ଗାନ୍ଧୀ ଟୁଇଟ୍‌ କରିଛନ୍ତି, ନୂତନ ଦାୟିତ୍ବ ନିମନ୍ତେ ଶ୍ରୀ ଚରଣଜୀତ୍‌ ସିଂହ ଚନ୍ନୀ ଜୀଙ୍କୁ ଅଭିନନ୍ଦନ। ଆମେ ପଞ୍ଜାବବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ନିଶ୍ଚୟ ଜାରି ରଖିବା। ସେମାନଙ୍କର ବିଶ୍ବାସ ହେଉଛି ଆମର ଚରମ ଗୁରୁତ୍ବ।

ଦଳିତ ସମ୍ପ୍ରଦାୟରୁ ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ୫୮ ବର୍ଷିୟ ଚରଣଜୀତ୍‌ ସିଂହ ଚନ୍ନୀ ଚମକୌର୍‌ ସାହିବ ନିର୍ବାଚନ ମଣ୍ଡଳୀରୁ ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ରାଜନୈତିକ ରେକର୍ଡରେ କୌଣସି କଳୁଷ ନ ଥିବା ଚନ୍ନୀ ମଧ୍ୟ ୨୦୧୫-୧୬ରେ ପଞ୍ଜାବ ବିଧାନସଭାରେ ବିରୋଧୀଦଳର ନେତା ଥିଲେ। ବିଦାୟୀ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହଙ୍କ କ୍ୟାବିନେଟ୍‌ରେ ସେ ଥିଲେ ବୈଷୟିକ ଶିକ୍ଷା ଏବଂ ଉଦ୍ୟୋଗ ତାଲିମ ମନ୍ତ୍ରୀ।

୨୦୦୭ରେ ଚନ୍ନୀ ପ୍ରଥମେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହା ପୂର୍ବରୁ ସେ ଖରାରରେ ସେ ଦୁଇ ପାଳି ପୌରପାଳିକାର ଅଧ୍ୟକ୍ଷ ଭାବେ କାର୍ୟ୍ୟ ତୁଲାଇଥିଲେ।

ପଞ୍ଜାବ ଜନସଂଖ୍ୟାର ୩୩% ଦଳିତ ସମ୍ପ୍ରଦାୟର ହୋଇଥିବାରୁ ଏବଂ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନରେ କଂଗ୍ରେସ ପାଇଁ ସେମାନେ ପ୍ରମୁଖ ଭୋଟ୍‌ ବ୍ୟାଙ୍କ୍ ହୋଇଥିବାରୁ ଚନ୍ନୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ କରିବା ଦଳ ପାଇଁ ଯଥାର୍ଥ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe