ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ବାଛିଲା କଂଗ୍ରେସ : ଆଜି ଦିନ ୧୧ଟାରେ ଶପଥ ଗ୍ରହଣ

96

କନକ ବ୍ୟୁରୋ : ଚମକୁର ସାହିବର ବିଧାୟକ ଚରଣଜିତ ସିଂ ଚନ୍ନି ହେବେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ । ଏ ନେଇ ପ୍ରଭାରୀ ହରିଶ ରାୱତ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ନାଁ ଘୋଷଣା ପରେ ଚରଣଜିତ ସିଂ ଚନ୍ନି ରାଜ୍ୟପାଳଙ୍କୁ ଭେଟିଛନ୍ତି । ଆଜି ଦିନ ୧୧ଟାରେ ଶପଥଗ୍ରହଣ ସମାରୋହ ହେବ । ରାଜ୍ୟରେ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ବି ହେବେ । ଚନ୍ନି ୩ ଥର ବିଧାୟକ ନିର୍ବାଚିତ ହୋଇଛନ୍ତି । ଅମରିନ୍ଦିର ସିଂ, ସରକାରରେ ସେ କ୍ୟାବିନେଟ ମନ୍ତ୍ରୀ ଥିଲେ ।

ଆଗକୁ ବିଧାନସଭା ନିର୍ବାଚନ ରହିଛି । ଏହା ପୂର୍ବରୁ ଜଣେ ଦଳିତ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କରି କଂଗ୍ରେସ ଭୋଟ୍ ବ୍ୟାଙ୍କ ଉପରେ ନଜର ପକାଇଛି । ଅମରିନ୍ଦର ସିଂହଙ୍କ ଘୋର ବିରୋଧୀ ଭାବେ ଜଣାଶୁଣା ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯିବା ପୂର୍ବରୁ ରବିବାର ଦିନସାରା ହଟଚମଟ ଲାଗି ରହିଥିଲା । ରାଜ୍ୟ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କ ଗୋଷ୍ଠୀର ସୁଖ୍‌ଜିନ୍ଦର ରନ୍ଧାୱାଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଆପାତତଃ ଚୂଡ଼ାନ୍ତ ହୋଇଥିଲା । ତେବେ ତାଙ୍କୁ ନେଇ ଦଳରେ ତୀବ୍ର ମତଭେଦ ଆରମ୍ଭ ହୋଇଯିବାରୁ ଚରଣଜିତ୍‌ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ହାଇକମାଣ୍ଡ ନିଷ୍ପତ୍ତି ନେଇଥିଲେ । ଚନ୍ନିଙ୍କ ନାମ ଘୋଷଣାର ମାତ୍ର କିଛି ମିନିଟ୍‌ ପୂର୍ବରୁ ମଧ୍ୟ ସୁଖ୍‌ଜିନ୍ଦର ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ପ୍ରଚାର ହୋଇଥିଲା ଏବଂ ତାଙ୍କ ସମର୍ଥକମାନେ ଉତ୍ସବ ମନାଇବା ଆରମ୍ଭ କରିଦେଇଥିଲେ । ଏହାର କିଛି ସମୟ ପରେ ପଂଜାବ କଂଗ୍ରେସ ପ୍ରଭାରୀ ହରିଶ ରାୱତ ଟ୍ବିଟ୍‌ କରି ସ୍ଥିତି ସ୍ପଷ୍ଟ କରିଥିଲେ ଏବଂ ଚରଣଜିତ୍‌ ସିଂହ ଚନ୍ନି ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିବା ଘୋଷଣା କରିଥିଲେ ।

କ୍ୟାପ୍‌ଟେନ ଅମରିନ୍ଦର ଗତକାଲି ତାଙ୍କ ପଦରୁ ଇସ୍ତଫା ଦେବାପରେ ସୁରୁଖୁରୁରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଚୟନ କରିବା ପାଇଁ ହାଇକମାଣ୍ଡ୍‌ଙ୍କ ପ୍ରୟାସ କାମ ଦେଇନଥିଲା । ଦଳର ବରିଷ୍ଠ ନେତ୍ରୀ ଅମ୍ବିକା ସୋନିଙ୍କୁ ମୁଖ୍ୟମନ୍ତ୍ରୀ ହେବା ପାଇଁ ଦଳ ପ୍ରସ୍ତାବ ଦେଇଥିଲା । କିନ୍ତୁ ରାଜ୍ୟର ସାଂପ୍ରତିକ ପରିସ୍ଥିତିରେ ଜଣେ ଶିଖ୍‌ ହିଁ ମୁଖ୍ୟମନ୍ତ୍ରୀ ହେବା ଉଚିତ ବୋଲି ଦର୍ଶାଇ ସେ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ସୋନି ମନା କରିଦେବା ପରେ ବିଧାୟକ ଦଳ ବୈଠକ ମଧ୍ୟ କିଛି ସମୟ ପାଇଁ ସ୍ଥଗିତ ରଖାଯାଇଥିଲା ଏବଂ ସୁଖ୍‌ଜିନ୍ଦର ରନ୍ଧାୱାଙ୍କୁ ବିଧାୟକ ଦଳ ନେତା ନିର୍ବାଚନ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଥିଲା । ସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ କରାଗଲେ ଅମରିନ୍ଦରଙ୍କ ଗୋଷ୍ଠୀ ଖୋଲା ବିଦ୍ରୋହ ଆରମ୍ଭ କରିଦେବା ଆଶଙ୍କା ଥିବାରୁ ରନ୍ଧାୱାଙ୍କୁ ହିଁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଅଧିକାଂଶ ବିଧାୟକ ମତ ରଖିଥିଲେ । ତେବେ ଆଉ ଏକ ଗୋଷ୍ଠୀ ଏହାକୁ ବିରୋଧ କରିବା ଆରମ୍ଭ କରିଦେଲେ ଏବଂ ଜଣେ ଦଳିତ ନେତାଙ୍କୁ ହିଁ ମୁଖ୍ୟମନ୍ତ୍ରୀ କରିବାକୁ ଜିଦ୍‌ କରିଥିଲେ। ଏଭଳି ସ୍ଥିତିରେ ବରିଷ୍ଠ ନେତା ସୁନୀଲ ଝାକରଙ୍କ ନାମ ମଧ୍ୟ ଗ୍ରହଣୀୟ ହେବନାହିଁ ବୋଲି ଜଣାପଡ଼ିବା ପରେ ଶେଷରେ ଦଳିତ ନେତା ଚନ୍ନିଙ୍କ ନାମରେ ମୋହର ଲାଗିଥିଲା ଏବଂ ତାଙ୍କୁ ବିଧାୟକ ଦଳ ନେତା ନିର୍ବାଚିତ କରାଯାଇଥିଲା ।

ରବିବାର ସନ୍ଧ୍ୟାରେ କଂଗ୍ରେସ ବିଧାୟକ ଦଳର ନବ ନିର୍ବାଚିତ ନେତା ଚନ୍ନି ଦଳ ପ୍ରଭାରୀ ରାୱତ, ପିପିସିସି ସଭାପତି ସିଦ୍ଧୁ ଓ ଅନ୍ୟ ନେତାଙ୍କ ଗହଣରେ ସହ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟିଛନ୍ତି ଏବଂ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଛନ୍ତି । ଆଜି ପୂର୍ବାହ୍ନରେ ଶପଥର ଗ୍ରହଣ ପାଇଁ ରାଜ୍ୟପାଳ ଚନ୍ନିଙ୍କୁ ସମୟ ଦେଇଛନ୍ତି । କ୍ୟାପ୍‌ଟେନ ଅମରିନ୍ଦର ସିଂହ ଚନ୍ନିଙ୍କୁ ସ୍ବାଗତ କରିବା ସହ ଲୋକଙ୍କ ସୁରକ୍ଷାକୁ ଗୁରୁତ୍ବ ଦେବାକୁ କହିଛନ୍ତି । ପାକିସ୍ତାନ ପଟୁ ଆସୁଥିବା ବିପଦକୁ ରୋକିବା ଦିଗରେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି ।