ଶୀତକାଳୀନ ଅଧିବେଶନ ପୂର୍ବରୁ ବାଚସ୍ପତିଙ୍କ ତାଗିଦ । ଗୃହରେ ହୋହଲ୍ଲା କରିପାରିବେନି ବିଧାୟକ ।

150

କନକ ବ୍ୟୁରୋ : ବିଧାନସଭାରେ ହଙ୍ଗାମା କରିପାରିବେ ନାହିଁ ବିଧାୟକ । ଶୀତ ଅଧିବେଶନ ପୂର୍ବରୁ ଏମିତି ତାଗିଦ୍ କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । କହିଛନ୍ତି, ସିମଲା ବୈଠକରେ ହୋଇଥିବା ନିଷ୍ପତି ଆଧାରରେ ଗୃହରେ ରାଜ୍ୟପାଳଙ୍କ ଅଭିଭାଷଣ ଓ ପ୍ରଶ୍ନ କାଳ ସମୟରେ ହୋହଲ୍ଲା କରିପାରିବେନି ବିଧାୟକ । ବାଚସ୍ପତିଙ୍କ ତାଗିତ ପରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ । ବାଚସ୍ପତି ନିରପେକ୍ଷତାର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି ।

ବିଧାନସଭା ପୂର୍ବରୁ ବାଚସ୍ପତିଙ୍କ ତାଗିଦ । ‘ଗୃହରେ ହୋହଲ୍ଲା କରିପାରିବେନି ବିଧାୟକ’ । ଆଗାମି ବିଧାନସଭା ଅଧିବେଶନ ଯେମିତି ସୁରଖୁରୁରେ ଚାଲିବ, ସେଥିପାଇଁ ଗୃହରେ କୌଣସି ବିଧାୟକ ହୋହଲ୍ଲା ନକରିବାକୁ ତାଗିଦ କରିଛନ୍ତି ବାଚସ୍ପତି । କହିଛନ୍ତି, ବିଧାସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ଓ ପ୍ରଶ୍ନକାଳ ସମୟରେ କେହି ହୋହଲ୍ଲା କରିପାରିବେ ନାହିଁ । ସିମଲାରେ ହୋଇଥିବା ବାଚସ୍ପତି ବୈଠକରେ ଏନେଇ ନିଷ୍ପତି ନିଆଯାଇଛି । ଆସନ୍ତା ୨୯ରେ ହେବାକୁ ଥିବା ସର୍ବଦଳୀୟ ବୈଠକରେ ସବୁ ଦଳଙ୍କୁ ଏହା ଅବଗତ କରାଯିବ ।

ବାଚସ୍ପତିଙ୍କ ତାଗିଦ ପରେ ବିରୋଧୀଙ୍କ ପରାମର୍ଶ । କଂଗ୍ରେସ କହିଲା, ବିଜେଡିର ନ ହୁଅନ୍ତୁ ବାଚସ୍ପତି । ବିଜେପି କହିଲା, ବିରୋଧୀ ଭୂମିକା ପାଳନ କରିବୁ । ବିଧାନସଭାରେ ହୋହାଲ୍ଲା ନକରିବାକୁ ବାଚସ୍ପତିଙ୍କ ତାଗିଦ ପରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ବାସ୍ତବ କ୍ଷେତ୍ରରେ ପ୍ରଶ୍ନକାଳ ସମୟରେ ହୋହଲ୍ଲା କରିବା ଠିକ୍ ନୁହେଁ । କିନ୍ତୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନାକୁ ଅନୁମତି ନଦେଲେ ହୋହଲ୍ଲା ହେବ । ବିଜେଡିର ନହୁଅନ୍ତୁ ବାଚସ୍ପତି ।

ବିଜେପି ବିଧାୟକ ମୋହନ ମାଝୀ କହିଛନ୍ତି, ବିରୋଧୀ ଦଳ ବିଧାନସଭାରେ ତାର ଭୂମିକା ପାଳନ କରିବ । ସାମ୍ପ୍ରତିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପ୍ରଶ୍ନ କରାଯିବ । କେଉଁଠି ଆଇନ ଅଛି, ହୋହାଲ୍ଲା କରିପାରିବୁ ନାହିଁ । ଆଦୌ ଚୁପ ରହିବୁ ନାହିଁ । ବିଭିନ୍ନ ପ୍ରସଙ୍ଗରେ ବିଧାନସଭାରେ ହାଙ୍ଗାମା କରିବୁ ।

ବିଧାନସଭାରେ ମମିତା ମେହେର ହତ୍ୟାକାଣ୍ଡ ମାମଲା, ମାହାଙ୍ଗା ଡବଲ ମର୍ଡର ଘଟଣା ଓ ନାରୀ ନିର୍ଯାତନା ପ୍ରସଙ୍ଗ ଉଠାଇବାକୁ ପୂର୍ବରୁ ସରକାରଙ୍କୁ ଚେତାବନୀ ଦେଇଛନ୍ତି ବିରୋଧୀ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବିରେ ବିରୋଧୀ ରାସ୍ତାରେ ଆନ୍ଦୋଳନ କରିବା ପରେ ଏବେ ବିଧାନସଭାରେ ସରକାରଙ୍କୁୁ ଘେରିବାକୁ ଯୋଜନା କରିଛନ୍ତି । ତେବେ ଡିସେମ୍ବର ୧ରୁ ଆରମ୍ଭ ହେବାକୁ ଯାଉଥିବା ଶୀତକାଳିନ ଅଧିବେଶନରେ କେମିତି ରହିବ ଶାସକ ଓ ବିରୋଧୀ ସଦସ୍ୟଙ୍କ ଆଭିମୁଖ୍ୟ ତାହା ଆଗାମି ଦିନରେ ସ୍ପଷ୍ଟ ହେବ ।