କନକ ବ୍ୟୁରୋ: ବଦଳିବ ବାରବାଟି ଷ୍ଟାଡିୟମ୍ର ରୂପ ରେଖ । ୩ ବର୍ଷ ଭିତରେ ନୂଆ ରୂପରେ ସାମ୍ନାକୁ ଆସିବି ବାରବାଟୀ । ଷ୍ଟାଡିୟମ୍ ନବକଳେବର ପାଇଁ ଆସନ୍ତା ୨୭ ତାରିଖରେ ଭିତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବହୁ ଅନ୍ତର୍ଜାତୀୟ ମ୍ୟାଚର ଆୟୋଜନ କରି, ପ୍ରସିଦ୍ଧି ଅର୍ଜନ କରିଥିବା ଏହି ଷ୍ଟାଡିମୟକୁ ବିଶ୍ୱସ୍ତରୀୟ କରିବା ପାଇଁ ଖର୍ଚ୍ଚ ହେବ ୬ଶହ କୋଟି ଟଙ୍କା । ଖୁବ୍ଶୀଘ୍ର ଏହି କାର୍ଯ୍ୟ ଆରମ୍ଭ ହେବ । ଏକାଥରେ ୬୦ ହଜାର ଦର୍ଶକ ବସି ଖେଳ ଦେଖିବା ଭଳି ବ୍ୟବସ୍ଥା କରାଯିବ । ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ବାରବାଟୀ ଷ୍ଟାଡିୟମ୍ର ଷ୍ଟାଡିୟମର ଦୁର୍ବଳ ଭିତିଭୂମିକୁ ଅନୁଧ୍ୟାନ କରିବା ପରେ ଏହି ଘୋଷଣା କରାଯାଇଛି ।

ବହୁ ଦିନର ଚର୍ଚ୍ଚା ଓ ଆଲୋଚନା ପରେ ବଦଳିବାକୁ ଯାଉଛି ଓଡିଶାକୁ ସ୍ୱତନ୍ତ୍ର ପରିଚୟ ଦେଇଥିବା କଟକ ବାରବାଟୀ ଷ୍ଟାଡିୟମ । ବଡ ବଡ ଅନ୍ତର୍ଜାତୀୟ ମ୍ୟାଚର ଆୟୋଜନ କରି, ପ୍ରସିଦ୍ଧି ଅର୍ଜନ କରିଥିବା ଏହି ଷ୍ଟାଡିମୟକୁ ବିଶ୍ୱସ୍ତରୀୟ କରିବା ପାଇଁ ନବକଳେବର ହେବ । ଆସନ୍ତା ୨୭ତାରିଖରେ ରୂପାନ୍ତରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତିପ୍ରସ୍ତର ସ୍ଥାପନ କରିବେ ।

ଓସିଏର ସମସ୍ତ କର୍ମକତାଙ୍କ ସହ ଆଲୋଚନା କରିବା ପରେ ଏହି ସୂଚନା ଦେଇଛନ୍ତି ସମ୍ପାଦକ ସଞ୍ଜୟ ବେହେରା । ସକାଳୁ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ବାରବାଟୀ ଷ୍ଟାଡିୟମରେ ପହଁଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଷ୍ଟାଡିୟମର ଦୁର୍ବଳ ଭିତିଭୂମିକୁ ବୁଲି ଦେଖିଥିଲେ । ତା ପରେ ଏହି ବଡ ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ । କହିଛନ୍ତି, ଷ୍ଟାଡିୟମର ଭିତ୍ତିଭୂମି ଦୁର୍ବଳ ହୋଇପଡିଲାଣି । ତେଣୁ ଆଗାମି ୫୦ବର୍ଷକୁ ଆଖି ଆଗରେ ରଖି ନୂଆ ଷ୍ଟାଡିୟମ ନିର୍ମାଣ କରାଯିବ । ରାଜ୍ୟ ସରକାର, ବିସିସିଆଇ ଓ ଓସିଏର ମିଳିତ ସହଯୋଗରେ ଷ୍ଟାଡିୟମର ନବୀକରଣ କାମ କରାଯିବ । ଏଥିରେ ପ୍ରାୟ ୬ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ପ୍ରୋଜେକ୍ଟ ରିପୋର୍ଟ ଏକ ପ୍ରକାର ଚୂଡାନ୍ତ ପର୍ଯ୍ୟାୟରେ ରହିଛି ।

ନୂଆ ଷ୍ଟାଡିୟମରେ ରହିବ ଅତ୍ୟାଧୁନିକ ସୁବିଧା । ନିର୍ମିତ ହେବ ବିରାଟ ସ୍ପୋର୍ଟସ କମ୍ପେ୍ଲକ୍ସ । ନୂଆ ଷ୍ଟାଡିୟମରେ ବସି ଖେଳ ଦେଖି ପାରିବେ ୬୦ ହଜାର ଦର୍ଶକ । ନିର୍ମାଣ ହେବ ଅତ୍ୟାଧୁନିକ ଜିମ୍ ସେଂଟର । ବଦଳିବ ଡ୍ରେସିଂ ରୁମର ରୂପରେଖ । ଏଥିସହ ଷ୍ଟାଡିୟମରେ ରହିବ ମଲ୍, ଷ୍ଟାର ହୋଟେଲ ଓ ଅଫିସ୍ । ଷ୍ଟାଡିୟମ ସମ୍ମୁଖକୁ ସାଧାରଣ ଲୋକଙ୍କ ପାଇଁ ବିକଶିତ କରାଯିବ ।

୩ବର୍ଷ ମଧ୍ୟରେ ନୂଆ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଅନେକ ମ୍ୟାଚର ମୁଖସାକ୍ଷୀ ବନିଥିବା ବାରବାଟୀର ନବକଳେବର ଖବର ଆସିବା ପରେ ଏହା ଚର୍ଚ୍ଚାର ବିଷୟ ହୋଇଛି ।