କନକ ବ୍ୟୁରୋ: ସରକାରର ଚେହରା ବଦଳିଲା, ଶାସନର ଚରିତ୍ର ବଦଳିଲା । ରାଜ୍ୟରେ ମୋହନ ସରକାର ଆସିବା ପରେ ଦେଖିବାକୁ ମିଳିଛି ଏପରି କିଛି ଚିତ୍ର । ଆଉ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ବିଭିନ୍ନ ସଂଗଠନର କର୍ମକର୍ତା, ସାଧାରଣ ଜନତା ଓ ସରକାରୀ ଅଧିକାରୀ । ଯାହା ପୂର୍ବ ସରକାରରେ ଦେଖିବାକୁ ମିଳିନଥିଲା ।

Advertisment

ଯାହା ଚାଲି ଆସିଛି, ତାହା ଗତାନୁଗତିକ ଭାବେ ଚାଲିଥିବ ସେମିତି ନୁହେଁ । ପରିବହର୍ତ୍ତନ ତ’ ପ୍ରକୃତ ନିୟମ । ଏହି ପରିବର୍ତ୍ତନର ନାରା ଦେଇ ସରକାର ଗଢ଼ିଥିବା ବିଜେପି, ଶାସନ ଶୈଳୀରେ ବି ନୂଆ ପରିବର୍ତ୍ତନକୁ ଆପଣାଇ ନେଇଛି ।

ଯେଉଁଠୁ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସରକାରୀ ଦପ୍ତର ଚଳାଉଛନ୍ତି, ତାହା ଲୋକସେବା ଭବନର ତୃତୀୟ ମହଲା ନୁହେଁ, ବରଂ ରାଜ୍ୟ ଅତିଥିଭବନର ପ୍ରଥମ ମହଲା । ବିଧିବଦ୍ଧ ଭାବେ ନିଜ କାର୍ଯ୍ୟାଳୟକୁ ଯିବା ପୂର୍ବରୁ ସରକାରୀ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ । ସରକାରୀ ଅଧିକାରୀ ଆସୁଛନ୍ତି, ସାଧାଣର ଜନତା ଆସୁଛନ୍ତି । ଆଉ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଆସି ମୁଖ୍ୟମନ୍ତ୍ରୀଙ୍କୁ ନିଜ ସମସ୍ୟା ଜଣାଉଛନ୍ତି ।

ପୁରୀରୁ ଫେରିବା ପରେ ରାଜ୍ୟ ଅତିଥି ଭବନରେ ସରକାରୀ ଅଧିକାରୀଙ୍କୁ ଡାକି ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରଥମେ ନଗର ଉନ୍ନୟନ ସଚିବ ଜି. ମାଥିଭାଥନନଙ୍କ ସହ ଆଲୋଚନା କରୁଛନ୍ତି । ବିଧାନସଭା ସଚିବ ଦାଶରଥୀ ଶତପଥୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଏହାସହ ରାଜ୍ୟ ଅତିଥି ଭବନରେ ବିଭିନ୍ନ ଦଳର ନେତାମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟୁଛନ୍ତି । ନିଜ ଜିଲ୍ଲାର ନେତା ମୁଖ୍ୟମନ୍ତ୍ରୀ ହୋଇଥିବାରୁ ମୋହନ ମାଝୀଙ୍କୁ ଭେଟିଛନ୍ତି ଘଷିପୁରା ବିଧାୟକ ।

ମୃତ ବିଜେପି କର୍ମୀ ଦିଲ୍ଲୀପ ପାହାନଙ୍କ ପରିବାର ସଦସ୍ୟ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି । ଶ୍ରୀକୃଷ୍ଣଶରଣପୁର ଗାଁର ଦିଲ୍ଲୀପ ପାହାନଙ୍କ ପରିବାର ସମସଦ୍ୟଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବକୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା । ପାହାନ ପରିବାର ବିଭିନ୍ନ ବିଷୟ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ।

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ନିକଟରେ ଥିବା ସରକାରୀ ଭବନରେ ରହିବେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଉ ସେଠୁ ହିଁ କାର୍ଯ୍ୟାଳୟ ଚାଲିବ । ସେହିପରି ଲୋକସଭା ଭବନ କାର୍ଯ୍ୟାଳୟରେ କାର୍ଯ୍ୟ ଆରମ୍ଭ ହେବା ଯାଏଁ, ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ ଚାଲିବ ।