ଛତିଶଗଡରେ ବଦଳିଲା ସରକାର: ବଦଳିବ କି ମହାନଦୀର ଭାଗ୍ୟ?

81

କନକ ବ୍ୟୁରୋ: ଛତିଶଗଡରେ ବଦଳିଲା ସରକାର । ଆଉ ସରକାର ବଦଳିବା ପରେ ମହାନଦୀର ବିବାଦର ଭାଗ୍ୟ ବଦଳିବ କି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ମହାନଦୀ ଜଳ ବିବାଦକୁ ନେଇ ଛତିଶଗଡ ଓ ଓଡିଶା ମଧ୍ୟରେ ଦୀର୍ଘବର୍ଷ ଧରି ବିବାଦ ଲାଗିରହିଛି । ଟ୍ରିବ୍ୟୁନାଲ ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ସମାଧାନ ନ ହୋଇ ରାଜନୀତି ଅଧିକ ହେଉଛି । ତେବେ ପଡୋଶୀ ରାଜ୍ୟରେ ନୂଆ ସରକାର ଆସିବା ପରେ ମହାନଦୀ ପ୍ରସଙ୍ଗ କୁଆଡେ ଯିବ ତା ଉପରେ ସମସ୍ତଙ୍କ ନଜର ରହିଛି ।

ଓଡିଶାର ଜୀବନରେଖା ହେଉଛି ମହାନଦୀ । ଆଇନର କାଠଗଡା ଭିତରେ ଛନ୍ଦି ହୋଇଯାଇଛି ମହାଦନୀ ଜଳ ବିବାଦ । ଛତିଶଗଡରେ ସରକାର ବଦଳୁଛନ୍ତି ହେଲେ ମହାନଦୀ ପାଇଁ ଓଡିଶାକୁ ନିଜର ହକ ମିଳୁନାହିଁ । ୨୦୧୮ ପୂର୍ବରୁ ତତକାଳୀନ ବିଜେପି ମୁଖ୍ୟମନ୍ତ୍ରୀ ରମଣ ସିଂ ସରକାର ମହାନଦୀ ଲଢେଇର ବାଧକ ସାଜିଥିଲେ । ଆଉ ଭୁପେଶ ବଘଲେ କଂଗ୍ରେସ ମୁଖ୍ୟମନ୍ତ୍ରୀ ହେବା ପରେ ମହାନଦୀରେ ଆନିକଟ କରି ପାଣିକୁ ଅଟକାଇଥିଲେ । ମହାନଦୀରେ ଅନେକ ପାଣି ପାଣି ବୋହିଗଲାଣି । ଏବେ ସରକାର ବଦଳି ପୁଣି ବିଜେପି ସରକାର ଆସିଛି । ହେଲେ ଓଡିଶା-ଛତିଶଗଡ ଭିତରେ ଚାଲିଥିବା ମହାନଦୀ ବିବାଦର ସମାଧାନ ହେବ କି ? କେନ୍ଦ୍ର ଓ ଛତିଶଗଡରେ ବିଜେପି ସରକାର, ତେଣୁ ବୁଝାମଣାରେ ମହାନଦୀକୁ ନ୍ୟାୟ ମିଳିବ କି? ବୁଦ୍ଧିଜୀବୀ ଓ ରାଜନୈତିକ ମହଲରେ କିଛି ଏଭଳି ପ୍ରଶ୍ନ ଏବେ ଉଠିଛି ।

ଛତିଶଗଡରେ ସରକାର ବଦଳିବା ପରେ କଂଗ୍ରେସ ଆଉ ବିଜେପି ଦୋଷ ଲଦାଲଦି ହୋଇଛନ୍ତି । କଂଗ୍ରେସ କୋର୍ଟକୁ ବିଜେପି ବଲ୍ ଫିଙ୍ଗିିଥିବାବେଳେ ବିଜେପି କହିଛି, ବିଜେଡି ସରକାର ବିବାଦର ସମାଧାନ ଚାହୁଁନାହାନ୍ତି । ବିଜେଡି ଆଉ ଟ୍ରିବ୍ୟୁନାଲ ଉପରେ ଭରସା କରିିଛି ।

ମହାନଦୀ ଜଳ ବିବାଦର ସମାଧାନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ଟ୍ରିବ୍ୟୁନାଲରେ ୩୦ରୁ ଅଧିକ ଶୁଣାଣି ମଧ୍ୟ ସରିଲାଣି । ହେଲେ ତାରିଖ ପରେ ତାରିଖ ଗଡୁଛି । ଗତ ମେ ମାସରେ ଟ୍ରିବ୍ୟୁନାଲର ଏକ ଟିମ ଓଡିଶା ଆସି ମହାନଦୀ ରେ ଜଳସ୍ତର କେତେ ଅଛି, କେତେ କମୁଛି ଅନୁଧ୍ୟାନ ମଧ୍ୟ କରିି ଯାଇଛନ୍ତି ।