‘କରୋନା ଭାଇରସ’କୁ କିଭଳି ପ୍ରଭାବିତ କରିବ ତାପମାତ୍ରାରେ ପରିବର୍ତ୍ତନ ? ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ…

8,977

କନକ ବ୍ୟୁରୋ: କାୟା ମେଲାଉଛି କରୋନା ଭାଇରସ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କରୋନା ଭାଇରସକୁ ମହାମାରୀ ଘୋଷଣା କରିବା ପରେ ଏବେ ଏହି ଭୁତାଣୁକୁ ନେଇ ଲୋକଙ୍କ ଭିତରେ ଖେଳିଯାଇଛି କୋକୁଆ ଭୟ । କାରଣ ଏହି ଭୟଙ୍କର ଭୁତାଣୁର ଶିକାର ହୋଇ ସାରା ବିଶ୍ୱରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୪ ହଜାରରୁ ଅଧିକ ଲୋକଙ୍କର ଜୀବନ ଚାଲିଯାଇଥିବା ବେଳେ ଲକ୍ଷେରୁ ଅଧିକ ଲୋକ କରୋନା ଭାଇରସର ଶିକାର ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଆଉ ଏହି ତାଲିକାରେ ବାଦ୍ ପଡିନି ଭାରତ । ତେବେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫କୁ ବୃଦ୍ଧି ପାଇଥିବା ବେଳେ ଏଥି ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି ।

ତେବେ ଚିନ୍ତାର ବିଷୟ ହେଉଛି, କରୋନାର ଗତିରୋଧ କରିବାକୁ ବିଶ୍ୱରେ ବର୍ତ୍ତମାନ ସୁଦ୍ଧା କୌଣସି ବି ପ୍ରତିଷେଧକ ବା ଔଷଧ ବାହାରି ନାହିଁ । କେବଳ ସତର୍କତା ଏବଂ ପରିଷ୍କାର ପରିଚ୍ଛନ୍ନତା ହିଁ କରୋନାକୁ ରୋକିବାର ଏକମାତ୍ର ଉପାୟ । ସେହିଭଳି ଜଳବାୟୁ ପରିବର୍ତ୍ତନ ଦ୍ୱାରା କରୋନାକୁ କିଛି ମାତ୍ରାରେ ରୋକା ଯାଇପାରିବ ବୋଲି ଯେଉଁ ଆଶା ସଂଚାର ହେଉଥିଲା ତାହା ବର୍ତ୍ତମାନ ଅନିଶ୍ଚିତତା ଆଡକୁ ଚାଲିଯାଇଛି । କାରଣ ଟାଣ ଖରା ବା ଗରମ ହେଲେ କରୋନା ଭାଇରସର ପ୍ରଭାବ କମିବା ନେଇ ଯେଉଁ ଖବର ଆସୁଥିଲା ତାକୁ ଖଣ୍ଡନ କରିବା ସହ ତାପମାତ୍ରା ସହିତ କରୋନା ଭାଇରସର କିଛି ସଂପର୍କ ନାହିଁ ବୋଲି କହିଛନ୍ତି ଇଣ୍ଡିଆନ କାଉଂସିଲ ଅଫ୍ ମେଡିକାଲ ରିସର୍ଚ୍ଚ ଡିରେକ୍ଟର ଜେନେରାଲ୍ ବଳରାମ ଭର୍ଗାଭା । ତାପମାତ୍ରା ହ୍ରାସ ସହ କରୋନା ଭାଇରସ ବ୍ୟାପିବା ମଧ୍ୟରେ କୌଣସି ସଂପର୍କ ନାହିଁ ବୋଲି କହିଛନ୍ତି ଭର୍ଗାଭା । ଜୀବାଣୁ ବାୟୁ ମାଧ୍ୟମରେ ବିସ୍ତାର ହୋଇନଥାଏ ବରଂ ମାନବ ସଂସ୍ପର୍ଶରେ ବ୍ୟାପାଥାଏ ବୋଲି ସେ କହିଛନ୍ତି । ତେଣୁ କେବଳ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି ବଳରାମ ଭର୍ଗାଭା ।

ଏପଟେ, କରୋନାକୁ ନେଇ ସତର୍କ କରାଇଛି ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ କହିଛନ୍ତି ଯେ, ଭାରତୀୟ ଉଷ୍ମ ପାଣିପାଗରେ ମଧ୍ୟ କରୋନା ବ୍ୟାପିବାର ସନ୍ଦେହ ରହିଛି । ଗରମ ହେଲେ ଯେ କରୋନା ଭାଇରସର ପ୍ରଭାବ କମିଯିବ, ତାହା ଭାବିବା ଭୁଲ । ଏନେଇ କେବଳ ଆକାଳନ କରାଯାଉଛି ସତ କିନ୍ତୁ ବର୍ତ୍ତମାନ ସୁଦ୍ଧା ସେଭଳି କିଛି ସ୍ପଷ୍ଟ ହୋଇନି । କାହିଁକି ନା କରୋନା ଭୂତାଣୁ ଏକ ନୂଆ ଧରଣର ଭୂତାଣୁ ହୋଇଥିବାରୁ ତାର ପ୍ରକୃତ ଲକ୍ଷଣ ଏବେସୁଦ୍ଧା ବି ଜଣାପଡିନାହିଁ । ତେଣୁ ଏନେଇ ଅଧିକ ଗବେଷଣା ଏବେ ଜାରି ରହିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ଚୀନରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ନେଇ ଜଣାପଡିଛି । ତେବେ ଚୀନରେ ତାପମାତ୍ରା ବଢିବା ପରେ ଆକ୍ରାନ୍ତର ସଂଖ୍ୟା କମିଥାଇପାରେ ବୋଲି ଅନୁମାନ କରାଯାଉଛି ।