କନକ ବ୍ୟୁରୋ : ଜୀବନ ଜିଇଁବାର କଳା ଶିଖାଇଛି ଚାନ୍ଦୁଆ । ପରିବାର ପ୍ରତିପୋଷଣର ମାଧ୍ୟମ ପାଲଟିଛି ଚାନ୍ଦୁଆ । ଗାଁ ମହିଳାଙ୍କୁ ରୋଜଗାରକ୍ଷମ କରାଇଛି ଚାନ୍ଦୁଆ ହସ୍ତକଳା । କିଏ ଛୁଂଚି ସୁତା ଧରି ଚାନ୍ଦୁଆରେ ଚିତ୍ର ଆଙ୍କୁଛି ତ ପୁଣି କିଏ ମେସିନ୍ ସାହାଯ୍ୟରେ ଚାନ୍ଦୁଆ ପ୍ରସ୍ତୁତ କରୁଛି । ମହିଳାଙ୍କ ନିଖୁଣ କଳାକୃତିରେ ଶୋଭା ପାଉଛି ସୁନ୍ଦର ସୁନ୍ଦର କଳାକୃତି । ନିଜେ ରୋଜଗାର କରିବା ସହିତ ୩୦ରୁ ଉର୍ଦ୍ଧ ମହିଳାଙ୍କୁ ଚାନ୍ଦୁଆ କାମ ବିଷୟରେ ପ୍ରଶିକ୍ଷଣ ଦେଉଛନ୍ତି ଖୋର୍ଦ୍ଧା ଜିଲ୍ଲା କୋଦୁଅବେରଣି ଗାଁର ବାସନ୍ତି ମୁଦୁଲି । ମହିଳା ମାନେ ଘର କାମ ସାରି ବାସନ୍ତିଙ୍କ ଘରେ ଚାନ୍ଦୁଆ କାମ କରୁଛନ୍ତି । ଏହା ଦ୍ୱାରା ଘରର ଅଧା ଖର୍ଚ୍ଚ ବହନ କରିପାରୁଛନ୍ତି ମହିଳା । ମାତ୍ର ୫୦୦ ଟଙ୍କାରୁ ଏହି କାମ ଆରମ୍ଭ କରିଥଲେ ବାସନ୍ତୀ । ଦୀର୍ଘ ୨୮ ବର୍ଷ ହେଲା ଏହି କାମ କରି ସେ ଲକ୍ଷାଧିକ ଟଙ୍କା ରୋଜଗାର କରିଛନ୍ତି । ପରିବାରର ଆର୍ଥିକ ସ୍ଥିତି ସଦୃଢ଼ କରିପାରିଛନ୍ତି । ଏଥିପାଇଁ ଅନେକ ସ୍ଥାନରେ ମଧ୍ୟ ପୁରସ୍କୃତ ହୋଇଛନ୍ତି । ଏବେ ଅନ୍ୟ ମହିଳା ମାନଙ୍କୁ ତାଲିମ ଦେବା ସହ ରୋଜଗାରର କଳା ଶିଖାଉଛନ୍ତି ।

Advertisment

ପିପିଲି ଅଞ୍ଚଳର ଝିଅ ଓ କୋଦୁଅବେରଣି ଅଞ୍ଚଳର ବୋହୁ ହେଉଛନ୍ତି ବାସନ୍ତୀ । ପରିବାରର ଆର୍ଥିକ ଅନଟନ ତାଙ୍କୁ ଚାନ୍ଦୁଆ କଳା ଦିଗକୁ ମନନିବେଶ ପାଇଁ ପଥ ଦେଖାଇଥିଲା । ଦୁଇ ପଇସା ରୋଜଗାର ନିମନ୍ତେ ନିଜ ଅଞ୍ଚଳର ବୃତିକୁ ଆପଣାଇଥିଲେ ବାସନ୍ତି । ପ୍ରଥମେ ନିଜର ଦୁଇପଟ ସୁନା ସଂଖାକୁ ବିକ୍ରି କରି ଚାନ୍ଦୁଆ କପଡ଼ା କିଣି ଏହି କାମ ଆରମ୍ଭ କରିଥିଲେ । ପରେ ଅଧିକ ପରିମାଣର କପଡ଼ା କିଣି ସେଥିରୁ ପର୍ସ, ଚାନ୍ଦୁଆ, ଦୋଳ ମଣ୍ଡଳୀ, ଛତ୍ରୀ, ଆଲଟ, ବିଞ୍ଚଣା, ଚାନ୍ଦୁଆ ବ୍ୟାଗ୍, ୱାଲ ହ୍ୟାଙ୍ଗିଗ୍ ସହିତ ବିଭିନ୍ନ ପ୍ରକାରର ଦେବାଦେବୀଙ୍କ ଫଟୋ ଚିତ୍ର ଅତି ସୁନ୍ଦର ଭାବେ ପ୍ରସ୍ତୁତ କରୁଛନ୍ତି ।

ମନ୍ଦିର ହେଉ ଅବା ଘର, ଦୋଳ ମଣ୍ଡପ ହେଉ ଅବା ବିମାନ, ସାଜସଜା ପାଇଁ ଲୋକେ ଚାନ୍ଦୁଆ ବ୍ୟବହାର କରନ୍ତି । ଆଉ ଓଡ଼ିଶାର ହସ୍ତକଳାରେ ଚାନ୍ଦୁଆର ଏକ ସ୍ୱତନ୍ତ୍ର ପରିଚୟ ଥିବା ବେଳେ ଏହାକୁ ବଜାଇ ରଖିଛନ୍ତି କୋଦୁଅବେରଣି ଗାଁର ମହିଳା ।