କନକ ବ୍ୟୁରୋ : ଚାନ୍ଦୁଆ ଦେଉଛି ରୋଜଗାର । ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟକୁ ପ୍ରଶିକ୍ଷଣ ଦେଉଛନ୍ତି ଯାଜପୁର ରସୁଲପୁର ବ୍ଲକ ଓଡଙ୍ଗ ଗାଁର ସୀମା ପଣ୍ଡା । ଘର କାମ ସହିତ ବଳକା ସମୟକୁ ବ୍ୟବହାର କରି ବିଭିନ୍ନ ପ୍ରକାର ଘର ସାଜସଜା ସାମଗ୍ରୀ ତିଆରି କରୁଛନ୍ତି ମହିଳା ।

Advertisment

ଚାନ୍ଦୁଆ ତିଆରିରେ ବ୍ୟସ୍ତ ମହିଳା କାରିଗର । ମହିଳାଙ୍କ ନିଖୁଣ କାରୁକାର୍ଯ୍ୟରେ ଶୋଭାପାଉଛି ସୁନ୍ଦର ସୁନ୍ଦର କଳାକୃତି । ଏଥିପାଇଁ ଆବଶ୍ୟକ ହେଉଥିବା କପଡ଼ା, ସୁତା ଛୁଂଚି ସାହାଯ୍ୟରେ ମହିଳା ମାନେ ଆଙ୍କୁଛନ୍ତି ଜଗନ୍ନାଥ, ରାଧା କୃଷ୍ଣଙ୍କ ଭଳି ବିଭିନ୍ନ ପ୍ରକାରର ଦେବା ଦେବୀଙ୍କ ଚିତ୍ର । ଏଭଳି ଏକ ସୁନ୍ଦର ପ୍ରୟାସ ଆରମ୍ଭ କରିଛନ୍ତି ଯାଜପୁର ରସୁଲପୁର ବ୍ଲକ ଓଡଙ୍ଗ ଗାଁର ସୀମା ପଣ୍ଡା । ପାଠପଢା ଅଧାରୁ ଛାଡିବା ପରେ କିଛି ରୋଜଗାର କରିବା ଆଶାରେ ମାତ୍ର ୬ମାସର ପ୍ରଶିକ୍ଷଣ ନେଇଥିଲେ । ଏହି ପ୍ରଶିକ୍ଷଣରେ ଚାନ୍ଦୁଆ ଓ ଅନ୍ୟାନ୍ୟ ଘରକରଣା ସାମଗ୍ରୀ ପ୍ରସ୍ତୁତି ସମ୍ପର୍କରେ ତାଙ୍କୁ ତାଲିମ ଦିଆଯାଇଥିଲା । ଏହାକୁ ଉପଯୋଗ କରି ସେ ବିଭିନ୍ନ କିସମର ଚାନ୍ଦୁଆ,ରଙ୍ଗୀନ ଛତା, ତକିଆ ଖୋଳ, ମନିପର୍ସ ଓ ଅନେକ ଘରସଜ୍ଜା ସାମଗ୍ରୀ ପ୍ରସ୍ତୁତ କରି ଏହାକୁ ବିକ୍ରି କରି ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । ଜିଲ୍ଳା ଭିତରେ ବିଭିନ୍ନ ସମୟରେ ହେଉଥିବା ହସ୍ତଶିଳ୍ପ ମେଳାରେ ନିଜ ପ୍ରସ୍ତୁତ ସାମଗ୍ରୀର ବିକ୍ରୟ କରି ପରିବାର ଚଳାଇବାରେ ସକ୍ଷମ ହୋଇଛନ୍ତି ।

ଦୀର୍ଘ ୮ ବର୍ଷ ହେବ ସୀମା ନିଜସ୍ୱ ଉଦ୍ୟମରେ ୫୦ହଜାର ଟଙ୍କାର ମୂଳଧନ ଖଟାଇ ବ୍ୟବସାୟ ଆରମ୍ଭ କରିଥିଲେ । ଏବେ ତାଙ୍କ ମୂଳଜମା ବଢିଛି । ନିଜେ ସାମଗ୍ରୀ ପ୍ରସ୍ତୁତ କରିବା ସହ ନିଜ ଗାଁର ୭ରୁ ୮ଜଣ ମହିଳାଙ୍କୁ ଚାନ୍ଦୁଆ ଓ ଅନ୍ୟାନ୍ୟ ଘରକରଣା ସାମଗ୍ରୀ ପ୍ରସ୍ତୁତିର ପ୍ରଶିକ୍ଷଣ ମଧ୍ୟ ଦେଉଛନ୍ତି । ଜିଲ୍ଳା ହସ୍ତଶିଳ୍ପ ବିଭାଗ ପକ୍ଷରୁ ପ୍ରଶିକ୍ଷକ ଭାବେ ନିଯୁକ୍ତ ସୀମା ମାସିକ ୧୫ ହଜାର ଟଙ୍କା ଦରମା ପାଉଥିବା ବେଳେ ତାଙ୍କ ନକିଟରେ ଶିକ୍ଷା ନେଉଥିବା ମହିଳା କାରିଗରମାନେ ମଧ୍ୟ ମାସିକ ଏକ ହଜାର ଟଙ୍କାର ଷ୍ଟାଇପେଣ୍ଡ ପାଉଛନ୍ତି । ଜଣେ ଗ୍ରାମୀଣ ମହିଳା ଭାବେ ସୀମାଙ୍କର ଏହି ଉଦ୍ୟମ ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି ।

ମନ୍ଦିର ହେଉ ଅବା ଘରେ ସାଜସଜା ପାଇଁ ଲୋକେ ଚାନ୍ଦୁଆର ବ୍ୟବହାର କରିଥାଆନ୍ତି । ସମୟ ଯେତେ ଆଗେଇଲେ ମଧ୍ୟ ହାତ ତିଆରି ସାମଗ୍ରୀର ଚାହିଦା ଏବେ ବି କମିନାହିଁ । ଓଡ଼ିଶାର ହସ୍ତକଳାରେ ଚାନ୍ଦୁଆର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଏହାକୁ ଉପଯୋଗ କରି ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟକୁ ରୋଜଗାର ବାଟ ଦେଖାଇଛନ୍ତି ଯାଜପୁର ରସୁଲପୁର ବ୍ଲକର ଜଣେ ସଫଳ ମହିଳା ସୀମା ପଣ୍ଡା ।