ଜହ୍ନର ଡ୍ରଇଂ ରୁମରେ ବସିବ ମଣିଷ: ଆଉ ଚିତ୍ର ହୋଇ ରହିବନି ଚନ୍ଦ୍ର, ଚନ୍ଦ୍ରାୟନ ସତ କରିବ ମଣିଷର ସ୍ୱପ୍ନ…
କାହିଁକି କେଜାଣି ପିଲାବେଳୁ ହିଁ ଜହ୍ନ ପ୍ରତି ସମସ୍ତଙ୍କର ଦୁର୍ବଳତା ଥାଏ...
କନକ ବ୍ୟୁରୋ: ‘ଜହ୍ନ’ ! ଜୀବନ ସହ ଜଡି଼ତ ଏକ ଜଣାଶୁଣା ନାଁ । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଶୀତଳତା ଦେଉଥିବା ଏକ ମିଠା ଛୁଆଁ । ଜହ୍ନ କେବେ କଅଁଳା ଶିଶୁର ମାମୁ ସାଜେ ତ ପୁଣି କେବେ କଲେଜ ପଢ଼ୁଆ ପ୍ରେମିକର ପ୍ରେମିକା ସାଜେ । ପିଲା ଅଝଟ ହେଲେ ନୀଳ ଆକାଶରେ ଉଇଁଥିବା ଜହ୍ନକୁ ଦେଖାଇ ମାଆ କହେ, ହେଇ…ଦେଖ ତୋ’ ମାମୁ ଆସିଲାଣି … ଆଉ ପ୍ରେମିକା ଅଝଟ ହେଲେ ଅଭିମାନ ଭାଙ୍ଗିବାକୁ ପ୍ରେମିକା କୋଳରେ ମୁଣ୍ଡ ରଖି ପ୍ରେମିକ କହେ, ତମେ ନା ଆଜି ଭାରି ସୁନ୍ଦର ଦିଶୁଛ…ଠିକ୍ ଜହ୍ନ ପରି । ଜହ୍ନ ଖାଲି ମାମୁ ଆଉ ପ୍ରେମିକାରେ ସୀମିତ ରହିନାହିଁ ଜହ୍ନକୁ ଅନେକ ଲୋକ ଅନେକ କ୍ଷେତ୍ରରେ ବର୍ଣ୍ଣନା କରିଛନ୍ତି । କବିର କବିତାରେ ଜହ୍ନ କେତେବେଳେ ରାଜା ସାଜିଛି ତ ଆଉ କେତେବେଳେ ଜହ୍ନ ରାଇଜରେ ଘରଟେ ତୋଳିବାକୁ ମଣିଷ ଚିନ୍ତା କରିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ପୃଥିବୀକୁ ପିଠି କରି ମଣିଷ ଯେତେବେଳେ ଖାଲି ଆଖିରେ ଜହ୍ନକୁ ଦେଖିଛି ଠିକ ସେତିକିବେଳେ ଜହ୍ନକୁ ଯିବାକୁ ମନରେ ଆଶା ବାନ୍ଧିଛି । ପିଲାବେଳେ ତ ଫୁଙ୍ଗୁଳା ଆକାଶ ତଳେ ଶୋଇ ଜହ୍ନକୁ ଦେଖିଲା ମାନେ ଶିଢ଼ି ପକାଇ ଡେଇଁ ପଡି଼ବାକୁ ଇଚ୍ଛା ହୁଏ । ଇଚ୍ଛାହୁଏ ଜହ୍ନକୁ ଯାଇ ସେ କଳା କଳା ଦିଶୁଥିବା ପାହାଡରେ ଚଢ଼ିବାକୁ, ପାଉଁଶିଆ ଦିଶୁଥିବା ପୋଖରୀରେ ଗାଧୋଇବାକୁ । କାହିଁକି କେଜାଣି ପିଲାବେଳୁ ହିଁ ଜହ୍ନ ପ୍ରତି ସମସ୍ତଙ୍କର ଦୁର୍ବଳତା ଥାଏ । ବୋଧହୁଏ ସେଇଥିପାଇଁ ଏବେ ଜହ୍ନକୁ ଯିବାକୁ ଜୁ ଗୋଟାଉଛି, ନିଜକୁ ପ୍ରସ୍ତୁତ କରୁଛି ମଣିଷ ।
‘ଚନ୍ଦ୍ରାୟନ-୨’ ମାଧ୍ୟମରେ ଜହ୍ନକୁ ଚଢ଼ିବାକୁ ଶିଢ଼ି ବାନ୍ଧୁଛି ମଣିଷ । ଜହ୍ନମାମୁକୁ ଯାତ୍ରା କରିବାକୁ ଅଭିଯାନ ଆରମ୍ଭ କରିଛି ଭାରତ । ଆସନ୍ତା ଜୁଲାଇ ୧୫ରେ ଜହ୍ନକୁ ଯାତ୍ରା କରିବାକୁ ଅଭିଯାନ ଆରମ୍ଭ ହେବ । ହାତରେ ମାତ୍ର ମାସଟେ ସମୟ । ଆଉ ତାପରେ ଇତିହାସ ରଚିବ ଭାରତ, ଇତିହାସ ରଚିବ ଇସ୍ରୋ । ଜୁଲାଇ ୧୫, ମଙ୍ଗଳବାର ଦିନ ଜହ୍ନ ଯାତ୍ରା କରିବା ପରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବ ଭାରତର ନାଁ । ଆନ୍ଧ୍ର ଶୀହରିକୋଟାରୁ ରାତି ୨ଟା ୫୧ରେ ଅଭିଯାନ ଆରମ୍ଭ ହେବାକୁ ଥିବାବେଳେ ଅଭିଯାନ ଶେଷ ହେବା ପରେ ସତ ହେବ ସବୁଦିନିଆ ସ୍ୱପ୍ନ ।
ଚନ୍ଦ୍ରରେ ଘର କରିବାକୁ ମଣିଷ ଅନେକ ଦିନରୁ ସ୍ୱପ୍ନ ଦେଖିଛି । ଜହ୍ନରେ ଜଳ ଅଛି କି ନାହିଁ, ଜୀବନ ଜିଇଁହେବ କି ନାହିଁ ଏ ସମସ୍ତ ପ୍ରଶ୍ନର ଉତ୍ତର ଖୋଜିଥିଲା ଚନ୍ଦ୍ରାୟନ-୧ । ୧୪ ନଭେମ୍ବର ୨୦୦୮ରେ ଚନ୍ଦ୍ରାୟନ-୧ ପଠାଇ ଜହ୍ନରେ ଜଳ ଭଳି କିଛି ଅଂଶ ପାଇଥିଲା ଭାରତ । ଆଉ ଏବେ ୧୧ ବର୍ଷ ପରେ ପୁଣି ଚନ୍ଦ୍ରକୁ ଚଢ଼ିବ ଚନ୍ଦ୍ରାୟନ-୨ । ପୂର୍ବଥର ଅପେକ୍ଷା ଏଥର ଅଧିକ ତଥ୍ୟ ଆଣିବାକୁ ଭାରତର ଚନ୍ଦ୍ର ଅଭିଯାନ ।
ତେବେ ଆ ଜହ୍ନମାମୁ ସରଗ ଶଶି…, ଜହ୍ନ ରାଇଜରେ ଘରଟେ ତୋଳିବି, ଜହ୍ନ ଆମକୁ ଲୁଚି ଦେଖୁଛି ଏ ସମସ୍ତ ହିଟ୍ ଓଡିଆ ଗୀତରୁ ମଣିଷମାନଙ୍କ ଜହ୍ନ ପ୍ରେମକୁ କଳି ହେଉଛି । ଜହ୍ନ ଜୀବନର ଗୋଟେ ଅଂଶ ହେଇଥିବାରୁ ଜହ୍ନରେ ଜୀବନ ଜିଇଁବାକୁ ଯାତ୍ରା ଆରମ୍ଭ କରୁଛି ମଣିଷ । ତେବେ ଭାରତର ଏ ଅଭିଯାନ ସଫଳ ହେଉ ଆଉ ଜହ୍ନରେ ଜୀବନ ବିତାଇ ହେବାର ବାର୍ତ୍ତା ନେଇ ଭାରତ ଫେରୁ ଏହା ହିଁ ଆଶା ।