ସଫଳ ହେଲା ଉତକ୍ଷେପଣ: ଇସ୍ରୋ କହିଲା ଭାରତ ପାଇଁ ଏହା ଐତିହାସିକ ଯାତ୍ରା

208

କନକ ବ୍ୟୁରୋ: ଜହ୍ନମାମୁକୁ ଯାତ୍ରା କରି ଇତିହାସ ରଚିଛି ଇସ୍ରୋ, ଇତିହାସ ରଚିଛି ଭାରତ । ଅନେକ ଅପେକ୍ଷା ପରେ ଆଜି ଦିନ ୨ଟା ୪୩ ମିନିଟରେ ଶ୍ରୀହରିକୋଟାରୁ ଅନ୍ତରୀକ୍ଷକୁ ଅଭିଯାନ ଆରମ୍ଭ କରିଛି ଭାରତ । ତେବେ ଭାରତର ଚନ୍ଦ୍ର ଅଭିଯାନ, ଚନ୍ଦ୍ରାୟନ-୨ ଉତକ୍ଷେପଣ ସଫଳ ହୋଇଥିବା ସୂଚନା ଦେଇଛି ଇସ୍ରୋ ।


ତେବେ ୨ଟା ୪୩ ମିନିଟରେ ମହାକାଶକୁ ଯାତ୍ରା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରୋ ଅଧ୍ୟକ୍ଷ କେ. ଶିବନ । ଚନ୍ଦ୍ରାୟନ-୨ର ଉତକ୍ଷେପଣ ସଫଳ ହୋଇଛି । ପ୍ରଥମ ସୋପାନରେ ଆମେ ସଫଳତା ପାଇଛୁ । ରକେଟର ଗତି ଓ ସ୍ଥିତି ସ୍ୱାଭାବିକ ରହିଛି । ଆଶା ଠାରୁ ଅଧିକ ସଫଳତା ମିଳିଛି । ଏହା ଭାରତ ପାଇଁ ଏକ ଐତିହାସିକ ଯାତ୍ରା କହିଲେ ଇସ୍ରୋ ଅଧ୍ୟକ୍ଷ ।


ସଫଳତା ପାଇଁ ପୂରା ଟିମକୁ ଧନ୍ୟବାଦ ଦେଲେ ଇସ୍ରୋ ମୁଖ୍ୟ । ସବୁ ବୈଜ୍ଞାନିକ, ଇଞ୍ଜିନିୟର, ଟେକ୍ନିସିଆନ ଅନକେ କଷ୍ଟ କରିଛନ୍ତି । ବହୁତ ରିସ୍କ ନେଇ ଉତକ୍ଷେପଣ କରାଯାଇଛି ତେଣୁ ପ୍ରଥମ ସଫଳତା ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭାକାମନା ଦେଲେ ଶିବନ । ଖାଲି ଏଇଟା ନୁହେଁ ଆଗକୁ ଆମକୁ ଆହୁରି ଅନେକ ସଫଳତା ଅପେକ୍ଷା କରିଛି ବୋଲି ଇସ୍ରୋ ମୁଖ୍ୟ କହିଛନ୍ତି ।
ସେପଟେ ଚନ୍ଦ୍ରାୟନ-୨ର ସଫଳ ପରୀକ୍ଷଣ ପରେ ସବୁଠି ଖୁସିର ମାହୋଲ ଦେଖିବାକୁ ମିଳିଛି । ସଫଳ ପରୀକ୍ଷଣ ପାଇଁ ଇସ୍ରୋକୁ ସବୁଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଅନେକ ବଡ ବଡ ନେତା ଇସ୍ରୋକୁ ଶୁଭେଚ୍ଛା ଜଣାଉଛନ୍ତି ।