କନକ ବ୍ୟୁରୋ: ଚନ୍ଦ୍ରଯାନ-୩କୁ ଚନ୍ଦ୍ରରେ ପହଞ୍ଚିବାକୁ ଲାଗିବ ୪୦ରୁ ୪୨ ଦିନ । ପୂର୍ବରୁ ୪ ଦିନରେ ଆମେରିକା ଓ ଋଷ ଚନ୍ଦ୍ରରେ ପହଞ୍ଚିଥିବାବେଳେ, ସାଢେ ଚାରି ଦିନରେ ଚନ୍ଦ୍ରରେ ପହଞ୍ଚିଥିଲା ଚୀନ୍ । ତେଣୁ ପ୍ରଶ୍ନ ଉଠୁଛି, ଭାରତକୁ ଏତେ ସମୟ କାହିଁକି ଲାଗିବ?

Advertisment
  • ୪ ଦିନରେ ଚନ୍ଦ୍ରରେ ପହଞ୍ଚିଥିଲେ ଆମେରିକା, ଋଷ
  • ଚୀନକୁ ଲାଗିଥିଲା ସାଢେ ୪ ଦିନ
  • ଭାରତକୁ ଲାଗିପାରେ ୪୦ରୁ ୪୨ ଦିନ

ଶ୍ରୀହରିକୋଟା ଲଞ୍ଚ ପ୍ୟାଡରୁ ଲଞ୍ଚ ହେଇସାରିଛି ଚନ୍ଦ୍ରଯାନ । ଭାରତର ଚନ୍ଦ୍ରଯାନ-୩ ପୃଥିବୀ ପୃଷ୍ଠରୁ ଯାଇ ଚନ୍ଦ୍ରରେ ପହଞ୍ଚିବାକୁ ଲାଗିବ ୪୦ରୁ ୪୨ ଦିନ । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ ଯେ, ଭାରତର ଚନ୍ଦ୍ରଯାନକୁ ଚନ୍ଦ୍ର ପୃଷ୍ଠରେ ପହଞ୍ଚିବାକୁ ମାସେରୁ ଅଧିକ ସମୟ କାହିଁକି ଲାଗିବ? ଆମେରିକା ଓ ଋଷ ଭଳି ଦେଶ ୫୦ ବର୍ଷ ତଳୁ ପୃଥିବୀ ଓ ଚନ୍ଦ୍ରର ଦୂରତାକୁ ମାତ୍ର ୪ ଦିନରେ ଶେଷ କରିଥିଲେ । କିଛିବର୍ଷ ତଳେ ଚୀନ ମଧ୍ୟ ଚନ୍ଦ୍ରରେ ପହଞ୍ଚିବାକୁ ୪ ଦିନ ୧୨ ଘଣ୍ଟା ସମୟ ନେଇଥିଲା ।

ଲୁନାର ମିସନ୍

  • ୧୯୫୯ରେ ସୋଭିଏତ ସଂଘ ଅର୍ଥାତ ଋଷିଆ ଚନ୍ଦ୍ର ପୃଷ୍ଠକୁ ଲୁନାର-୨ ପଠାଇଥିଲା, ଯାହା ମାତ୍ର ୯୬ ଘଣ୍ଟାରେ ଚନ୍ଦ୍ର ପୃଷ୍ଠରେ ପହଞ୍ଚିଗଲା
  • ୧୯୬୯ ଜୁଲାଇ ୨୦ ତାରିଖରେ ଆମେରିକା ଏହାର ଆପୋଲୋ-୧୧କୁ ଚନ୍ଦ୍ରକୁ ପଠାଇଲା, ଯାହା ୪ ଦିନ ୬ ଘଣ୍ଟା ୪୫ ମିନିଟରେ ପହଞ୍ଚିଥିଲା
  • ଚୀନର ‘ଚ୍ୟାଙ୍ଗ-ଇ-୧’କୁ ଚନ୍ଦ୍ର ପୃଷ୍ଠରେ ପହଞ୍ଚିବା ପାଇଁ ଲାଗିଥିଲା ମାତ୍ର ୪ ଦିନ ୧୨ ଘଣ୍ଟା ସମୟ
  • ଭାରତର ‘ଚନ୍ଦ୍ରଯାନ-୩’ ଚନ୍ଦ୍ର ପୃଷ୍ଠରେ ଅଗଷ୍ଟ ୨୩ କିମ୍ବା ୨୪ରେ ସଫ୍ଟ ଲ୍ୟାଣ୍ଡିଂ ପାଇଁ ଚେଷ୍ଟା କରିବ

ତେବେ ଏହାରି ଭିତରେ ପ୍ରଶ୍ନ ଉଠୁଛି, ଅନ୍ୟ ଦେଶଗୁଡିକ ମାତ୍ର ୪ ଦିନରେ ଚନ୍ଦ୍ର ପୃଷ୍ଟରେ ପହଞ୍ଚି ଯାଉଥିବାବେଳେ ଏଥିପାଇଁ ଭାରତକୁ ୪୦ରୁ ୪୨ ଦିନ କାହିଁକି ଲାଗିବ? କୁହାଯାଉଛି ଏଥିପାଇଁ ରକେଟର ଡିଜାଇନ, ଏଥିରେ ଖର୍ଚ୍ଚ ହେଉଥିବା ଇନ୍ଧନ ଏବଂ ଏହାର ବେଗ ଉପରେ ନିର୍ଭର କରୁଛି ।

  • ‘ଚନ୍ଦ୍ରଯାନ-୩’ ପାଇଁ ଖର୍ଚ୍ଚ ପ୍ରାୟ ୬୫୦ କୋଟି
  • ‘ଚନ୍ଦ୍ରଯାନ-୨’ ପାଇଁ ଖର୍ଚ୍ଚ ହୋଇଥିଲା ୯୭୦ କୋଟି

ଆମେରିକାର ଆପୋଲୋ-୧୧କୁ ଚନ୍ଦ୍ର ପୃଷ୍ଠକୁ ପଠାଇବା ପାଇଁ ବ୍ୟବହାର ହୋଇଥିଲା SATURN-V ରକେଟ୍ ଲଞ୍ଚର । ଏହାଥିଲା ସବୁଠାରୁ ଭାରି ରକେଟ୍ ଲଞ୍ଚର, ଯାହା ଘଣ୍ଟା ପ୍ରତି ୩୯ ହଜାର କିଲୋମିଟର ବେଗରେ ମଧ୍ୟ ଗତି କରିପାରେ । ଏହା ୪୩ ଟନ୍ ଓଜନର ସାମଗ୍ରୀ ବହନ କରିପାରେ । ପୃଥିବୀରୁ ଚନ୍ଦ୍ରର ଦୂରତା ୩.୮ ଲକ୍ଷ କିଲୋମିଟର ଅତିକ୍ରମ କରିବାକୁ ନାସାର ରକେଟ୍ ଲଞ୍ଚର ୪ ଦିନ ସମୟ ନେଇଥିଲା । ସେତେବେଳେ ନାସା ଏଥିପାଇଁ ପ୍ରାୟ ୧୬ ଶହ କୋଟି ଟଙ୍କା ଖର୍ଚ୍ଚ କରିଥିଲା । କିନ୍ତୁ ଭାରତର ଏହି ଶସ୍ତା ରକେଟ୍ ଲଞ୍ଚରର ଓଜନ ଅପେକ୍ଷାକୃତ କମ୍ ।

ଜିଏସଏଲଭି ମାକ୍-୩

  • ଚନ୍ଦ୍ରଯାନ-୩କୁ ନେଇ ଯାତ୍ରା କରିଛି GSLV MK-3 ରକେଟ୍ ଲଞ୍ଚର
  • GSLV MK-3 ମାତ୍ର ୪ ଟନ୍ ଓଜନ ବହନ କରିପାରିବ
  • କେବଳ GSLV MK-3 ନିର୍ମାଣ ପାଇଁ ଖର୍ଚ୍ଚ ୩୭୫ କୋଟି
  • ଏହା ପୃଥିବୀର ମାଧ୍ୟାକର୍ଷଣ ଶକ୍ତିକୁ ବ୍ୟବହାର କରି ଚନ୍ଦ୍ରରେ ପହଞ୍ଚିବ
  • କମ୍ ସମୟରେ ଚନ୍ଦ୍ରରେ ପହଞ୍ଚୁଥିବା ରକେଟ୍ ଅଧିକ ଇନ୍ଧନ ବ୍ୟବହାର କରେ
  • GSLV MK-3 କମ୍ ଇନ୍ଧନ ବ୍ୟବହାର କରି କମ୍ ଖର୍ଚ୍ଚରେ ଯିବ

କମ୍ ଶକ୍ତିଶାଳୀ ଛୋଟ ରକେଟ୍ GSLV MK-3 ଚନ୍ଦ୍ରରେ ପହଞ୍ଚିବା ପାଇଁ ପୃଥିବୀ ଓ ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତିକୁ ବ୍ୟବହାର କରିବ । ସେଥିପାଇଁ ଏହାକୁ ୪୦ରୁ ୪୨ ଦିନ ଲାଗିଯିବ ।