କନକ ବ୍ୟୁରୋ: ଚନ୍ଦ୍ରଯାନ-୨ ଭଳି ଚନ୍ଦ୍ରର ସାଉଥ୍ ପୋଲ୍ ବା ଦକ୍ଷିଣ ମେରୁ ନିକଟରେ ଚନ୍ଦଯାନ-୩ ଅବତରଣ କରିବ ବୋଲି ଲକ୍ଷ୍ୟ ରଖାଯାଇଛି । ତେବେ ଯଦି ସବୁକିଛି ଠିକ୍ଠାକ୍ ଚାଲେ, ତେବେ ଚନ୍ଦ୍ରର ୭୦ ଡିଗ୍ରୀ ଦକ୍ଷିଣ ଅକ୍ଷାଂଶରେ ଅବତରଣ କରିବ ଲ୍ୟାଣ୍ଡର - ବିକ୍ରମ ଓ ରୋଭର - ପ୍ରଜ୍ଞାନ । ଯାହା ବିଶ୍ୱ ପାଇଁ ନୂଆ ଉପଳବ୍ଧି ଆଣିବ । କାରଣ ଏପର୍ଯ୍ୟନ୍ତ ଚନ୍ଦ୍ରର ଦକ୍ଷିଣ ମେରୁର ଏତେ ନିକଟବର୍ତୀ ଅଞ୍ଚଳରେ ପହଞ୍ଚି ପାରିନି ଚନ୍ଦ୍ରଯାନ ।

Advertisment
  • ଅପହଞ୍ଚ ହୋଇ ରହିଛି ଚନ୍ଦ୍ରର ଦକ୍ଷିଣ ମେରୁ
  • ଏବେ ବି ରହସ୍ୟ ଘେରରେ ଏହି ଅଞ୍ଚଳ

ଆଜି ପର୍ଯ୍ୟନ୍ତ ଯେତେ ଚନ୍ଦ୍ର ଅଭିଯାନ ହୋଇଛି, ଚନ୍ଦ୍ରର ଇକୁଏଟର ବା ମଧ୍ୟରେଖା ଅଞ୍ଚଳରେ ହୋଇଛି । ଅର୍ଥାତ୍ ମଧ୍ୟରେଖା ଓ ଏହାର ପାଶ୍ୱର୍ବର୍ତୀ ଅଞ୍ଚଳରେ ଅବତରଣ କରିଛି ଚନ୍ଦ୍ରଯାନ । ଏପରିକି ଚୀନ ପ୍ରେରଣ କରିଥିବା ଚ୍ୟାଙ୍ଗ’ଇ-୪ ମଧ୍ୟ ୪୫ ଡିଗ୍ରୀ ଅକ୍ଷାଂଶ ପାଖାପାଖି ଅବତରଣ କରିଥିଲା । ଚ୍ୟାଙ୍ଗ’ଇ-୪ ହେଉଛି ବିଶ୍ୱର ପ୍ରଥମ ଅନ୍ତରୀକ୍ଷ ଯାନ, ମଧ୍ୟରେଖା ଓ ଦକ୍ଷିଣ ମେରୁର ମଧ୍ୟସ୍ଥଳରେ ଓହ୍ଲାଇଥିଲା । ଚନ୍ଦ୍ରର ସେହି ପାଶ୍ୱର୍ରେ ଅବତରଣ କରିଥିଲା, ଯେଉଁ ପାଶ୍ୱର୍ ପୃଥିବୀକୁ ପ୍ରାୟତଃ ଦେଖା ଯାଏନାହିଁ ।

କାହିଁକି ମଧ୍ୟରେଖା ଅଂଚଳରେ ଅବତରଣ କରେ ଚନ୍ଦ୍ରଯାନ?

  • ମୁନ୍ ଇକୁଏଟର ବା ଚନ୍ଦ୍ରର ମଧ୍ୟରେଖା ନିକଟରେ ଅବତରଣ ସହଜ ଓ ନିରାପଦ
  • ଚନ୍ଦ୍ରପୃଷ୍ଠର ଏହି ଅଞ୍ଚଳରେ ଅଧିକ ଖାଲଢ଼ିପ ନାହିଁ
  • ଅନ୍ୟ ଅଞ୍ଚଳ ଅପେକ୍ଷା ଏହା ଚିକ୍କଣ
  • ତାପମାତ୍ରା ମଧ୍ୟ ଅପେକ୍ଷାକୃତ ଅନୁକୁଳ
  • ଏଠାରେ ଯନ୍ତ୍ରଗୁଡ଼ିକ ଦୀର୍ଘ ସମୟ ଧରି କାର୍ଯ୍ୟ କରିବାକୁ ସକ୍ଷମ
  • ଏହି ପାଶ୍ୱର୍ ପୃଥିବୀ ଆଡ଼କୁ ରହିଛି
  • ଏଠାରେ ପର୍ଯ୍ୟାପ୍ତ ସୂର୍ଯ୍ୟକିରଣ ଉପଲବ୍ଧ
  • ସୌରଚାଳିତ ଯନ୍ତ୍ର ପାଇଁ ନିରନ୍ତର ଶକ୍ତି ମିଳିଥାଏ

ଚନ୍ଦ୍ରର ମେରୁ ଅଞ୍ଚଳ କାହିଁକି ଅପହଞ୍ଚ?

  • ମେରୁ ଅଞ୍ଚଳରେ ଚନ୍ଦ୍ରପୃଷ୍ଠ ସଂପୂର୍ଣ୍ଣ ଅଲଗା
  • କେଉଁଠି ଉଚ୍ଚ ପାହାଡ଼ ତ କେଉଁଠି ହଜାର ହଜାର କିଲୋମିଟରର ଖାତ
  • ଅଧିକାଂଶ ଅଞ୍ଚଳ ଘନ ଅନ୍ଧାର
  • କିଛି ଅଞ୍ଚଳରେ ଆଦୌ ସୂର୍ଯ୍ୟକିରଣ ପଡ଼େ ନାହିଁ
  • ଅନେକ ସ୍ଥାନରେ ୨୩୦ ଡିଗ୍ରୀ ସେଲସିୟସ୍ରୁ କମ୍ ତାପମାତ୍ରା
  • ସୂର୍ଯ୍ୟକିରଣର ଅଭାବ ଓ ନିମ୍ନ ତାପମାତ୍ରା ଯୋଗୁଁ କାମ କରିନଥାଏ ଯନ୍ତ୍ରପାତି

ଚନ୍ଦ୍ରର ମେରୁ ଅଞ୍ଚଳର କିଛି ଅଂଶରେ ଆଦୌ ସୂର୍ଯ୍ୟକିରଣ ପଡ଼େ ନାହିଁ । କାରଣ ପୃଥିବୀ ୨୩.୫ ଡିଗ୍ରୀ ଢ଼ଳି ରହି ନିଜ ଅକ୍ଷ ଚାରି ପଟେ ଘୂରିବା ସହ ସୂର୍ଯ୍ୟ ଚାରିପଟେ ବୁଲିଥାଏ । ସେହିପରି ଚନ୍ଦ୍ର ମାତ୍ର ୧.୫ ଡିଗ୍ରୀ ଢ଼ଳି ରହି ଘୂରିଥାଏ । ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ବଡ଼ ବଡ଼ ଗାତ ଥିବାରୁ ତାହା ଭିତରକୁ ସୂର୍ଯ୍ୟକିରଣ ଯାଇପାରେ ନାହିଁ ।

ଘନ ଅନ୍ଧାର, ଅତି କମ୍ ତାପମାତ୍ରା ଯୋଗୁଁ ଦକ୍ଷିଣ ମେରୁ ଅଞ୍ଚଳର ପରିବେଶ ଅତ୍ୟନ୍ତ ପ୍ରତିକୂଳ । ତେଣୁ ଏହି ଅଞ୍ଚଳ ଏପର୍ଯ୍ୟନ୍ତ ରହସ୍ୟ ଘେରରେ ରହିଛି । ଯଦିଓ କୌଣସି ଚନ୍ଦ୍ରଯାନ ଏଠାରେ ପହଞ୍ଚି ପାରିନାହିଁ, କିନ୍ତୁ ଅନେକ ଅରବିଟର୍ ମିସନ୍ ମେରୁ ଅଞ୍ଚଳ ସଂପର୍କରେ କିଛି ତଥ୍ୟ ସଂଗ୍ରହ କରିବାରେ ସଫଳ ହୋଇଛନ୍ତି । ଏଠାରେ ବରଫ କଣିକା ଥିବା ନେଇ ମଧ୍ୟ ସଙ୍କେତ ମିଳିଛି । ୨୦୦୮ରେ ଭାରତର ଚନ୍ଦ୍ରଯାନ-୧ ମିସନ୍ ସଂକେତ ଦେଇଥିଲା ଯେ ଚନ୍ଦ୍ରପୃଷ୍ଠରେ ଜଳ କଣିକା ରହିଛି । ଯଦି ଭାରତର ଚନ୍ଦ୍ରଯାନ-୩ ସଫଳ ହୁଏ, ତେବେ ଏହି ଅଞ୍ଚଳର ଅନେକ ରହସ୍ୟ ଉପରୁ ପରଦା ଉଠିବ । ଚନ୍ଦ୍ର ଉପରେ ହେଉଥିବା ଗବେଷଣା ଆଉ କିଛି ପାଦ ଆଗକୁ ଯିବ ।