କନକ ବ୍ୟୁରୋ: ଇତିହାସ ରହିଲା ଭାରତ । ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଆକାଶର ଛାତି ଚିରି ଯେତେବେଳେ ସଫଳତାର ସହ ଉପରକୁ ଚନ୍ଦ୍ରଯାନ-୩ ଉଠିଥିଲା, ଖାଲି ଇସ୍ରୋର କଣ୍ଟ୍ରୋଲ ରୁମ ନୁହେଁ, ବରଂ ସାରା ଭାରତ ଖୁସିରେ ଝୁମି ଉଠିଥିଲା । ୪ ବର୍ଷର ଅକ୍ଳାନ୍ତ ପରିଶ୍ରମ ପରେ ଏହି ସଫଳତା ମିଳିଛି । ଉତକ୍ଷେପଣ ହେବାର ୧୬ ମିନିଟ୍ ୯ ସେକେଣ୍ଡ ପରେ ଲ୍ୟାଣ୍ଡର ଓ ରୋଭରକୁ ନେଇ ଚନ୍ଦ୍ର ଅଭିମୁଖେ ଗତି କରିଛି ଚନ୍ଦ୍ରଯାନ-୩ । ୪୨ ଦିନ ପରେ ଏହା ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ ବୋଲି ଲକ୍ଷ୍ୟ ରହିଛି ।

Advertisment
  • ଚନ୍ଦ୍ରଯାନ-୩ର ସଫଳ ଉତକ୍ଷେପଣ
  • ନୂଆ ଇତିହାସ ରଚିବ ଇସ୍ରୋ

ଅପରାହ୍ଣ ୨ଟା ୩୫ରେ ସରିଲା କାଉଣ୍ଟଡାଉନ । ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଆକାଶର ଛାତି ଚିରି ସଫଳତାର ସହ ଉପରକୁ ଉଠିଥିଲା ଚନ୍ଦ୍ରଯାନ-୩ । ଏହାପରେ ଇସ୍ରୋର କଣ୍ଟ୍ରୋଲ ରୁମରେ ହସର ଲହରି ଖେଳିଯାଇଥିଲା, କାରଣ ୪ ବର୍ଷର ପରିଶ୍ରମ ଶେଷରେ ସାକାର ହୋଇଥିଲା ।

ଚନ୍ଦ୍ରଯାନ-୩ ଉତକ୍ଷେପଣର ଟାଇମ୍ ଲାଇନ୍

  • ଅପରାହ୍ଣ ୨ଟା ୩୫: ପ୍ରଜ୍ୱଳିତ ହେଲା ରକେଟ ଇଞ୍ଜିନ୍
  • ୧୦୮ ସେକେଣ୍ଡ: ଏଲ୍-୧ ୧୦ ଇଞ୍ଜିନ କାର୍ଯ୍ୟ କଲା
  • ୧୨୭ ସେକେଣ୍ଡ: ଦୁଇ ପାର୍ଶ୍ୱରେ ଥିବା ବୁଷ୍ଟର ଅଲଗା ହୋଇଗଲା
  • ୧୯୫ ସେକେଣ୍ଡ: ଅଲଗା ହେଲା ପେ-ଲୋଡ୍
  • ୩୦୬ ସେକେଣ୍ଡ: ଅଲଗା ହେଲା ଏଲ୍-୧ ୧୦ ଇଞ୍ଜିନ
  • ୩୦୮ ସେକେଣ୍ଡ: କାମ କଲା ସି-୨୫ ଇଞ୍ଜିନ
  • ୯୬୯ ସେକେଣ୍ଡ: ରକେଟରୁ ଅଲଗା ହେଲା ସାଟେଲାଇଟ୍

ଉତକ୍ଷେପଣ ହେବାର ୧୬ ମିନିଟ୍ ୯ ସେକେଣ୍ଡ ପରେ ଲ୍ୟାଣ୍ଡର ଓ ରୋଭରକୁ ନେଇ ଚନ୍ଦ୍ର ଅଭିମୁଖେ ଗତି କରିଛି ଚନ୍ଦ୍ରଯାନ-୩ । ତେବେ ଏକ ମାସରୁ ଅଧିକ ଦିନ ଏହି ମଡ୍ୟୁଲ୍ ଗତି କରିବ । ଅଗଷ୍ଟ ୨୩ ତାରିଖ ସଂଧ୍ୟା ୫ ଟା ୪୭ ମିନିଟରେ ଚନ୍ଦ୍ରପୃଷ୍ଠରେ ଏହା ସଫ୍ଟ ଲ୍ୟାଣ୍ଡିଂ କରିବ ବୋଲି ଲକ୍ଷ୍ୟ ରଖାଯାଇଛି । ଯଦି ଆବଶ୍ୟକ ହୁଏ, ତେବେ ଏହା ପରିବର୍ତନ କରାଯିବ । ପୃଥିବୀର ୧୪ ଦିନ ଚନ୍ଦ୍ରର ଗୋଟିଏ ଦିନ ହୋଇଥିବାରୁ ସୂର୍ଯ୍ୟ ଉଦୟ ସମୟରେ ଲ୍ୟାଣ୍ଡିଂ କରାଇବା ପାଇଁ ଉଦ୍ୟମ କରାଯିବ ।

  • ଲ୍ୟାଣ୍ଡର ଓ ରୋଭର ୧୪ ଦିନ ଧରି କାର୍ଯ୍ୟ କରିବ
  • ଚନ୍ଦ୍ରପୃଷ୍ଠରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଅର୍ବିଟର ଜରିଆରେ ଇସ୍ରୋକୁ ପଠାଇବ
  • ଚନ୍ଦ୍ରରେ ରାତି ହୋଇଗଲେ ବିନା ସୂର୍ଯ୍ୟକିରଣ ଓ ଅତ୍ୟଧିକ ଥଣ୍ଡା ଯୋଗୁଁ ଯନ୍ତ୍ରପାତି କାର୍ଯ୍ୟ କରିବ ନାହିଁ
  • ଚନ୍ଦ୍ରଯାନ-୨ ସହ ଯାଇଥିବା ଅର୍ବିଟର ଏବେ ବି ଚନ୍ଦ୍ର କକ୍ଷପଥରେ ରହିଛି

ସଫଳ ଉତକ୍ଷେପଣ ପରେ ରା୍ଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଟ୍ୱିଟ୍ କରି କହିଛନ୍ତି ମହାକାଶ କ୍ଷେତ୍ରରେ ଏହା ଏକ ମାଇଲଖୁଣ୍ଟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି କହିଛନ୍ତି, ଏହା ଇସ୍ରୋର ବୈଜ୍ଞାନିକଙ୍କ ଅକ୍ଳାନ୍ତ ପରିଶ୍ରମର ଫଳ । ଏହି ମୁନ୍ ମିସନ୍ ମହାକାଶ ଗବେଷଣା କ୍ଷେତ୍ରରେ ନୂଆ ଅଧ୍ୟାୟ ଯୋଡ଼ିବ ।