କନକ ବ୍ୟୁରୋ : ସନ୍ଧ୍ୟା ୬ଟା ବାଜି ମିନିଟ୍ । ପୂରା ବିଶ୍ୱର ନଜର ଅଟକିଯିବ । କାରଣ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଭାରତର ଚନ୍ଦ୍ରଯାନ-୩ । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ-୩ । ଯେଉଁଥିପାଇଁ ଏବେଠାରୁ ଦେଶରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । କିଭଳି ସଫଳତାର ସହ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡ କରିବ ତାହାକୁ ନେଇ ଦେଶବାସୀ ଉତ୍ସାହିତ । ଏବେ ସୁଦ୍ଧା ସବୁ ଠିକ୍ ଠାକ ରହିଥିବା ବେଳେ ଚନ୍ଦ୍ରଯାନର ପ୍ରତିଟି ଗିତିବିଧି ଉପରେ ନଜର ରଖିଛି ଇସ୍ରୋ ।

Advertisment

ଯଦି ସବୁ କିଛି ଠିକ୍ ଚାଲେ ତେବେ ସନ୍ଧ୍ୟା ୬ଟା ବାଜି ୪ ମିନିଟରେ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନର ଅବତରଣ ପ୍ରକ୍ରିୟା ଆରମ୍ଭ ହେବ । ଏହି ସମୟରେ ଚନ୍ଦ୍ରଯାନକୁ ଇସ୍ରୋ ପକ୍ଷରୁ କୌଣସି କମାଣ୍ଡ ଦିଆଯାଇପାରିବ ନାହିଁ । ଏହି ସମୟରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଲ୍ୟାଣ୍ଡରକୁ ପାରିପାଶ୍ୱିର୍କ ସ୍ଥିତି ଦେଖି ଲ୍ୟାଣ୍ଡ କରିବାକୁ ହେବ । ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡ କରିବା ପରେ ର୍ୟାମ୍ପ ଜରିଆରେ ରୋଭର ବାହାରକୁ ଆସିବ । ଆଉ ଏହାପରେ ଇସ୍ରୋର କମାଣ୍ଡ ପାଇବା ମାତ୍ରେ ରୋଭର ତାର କାର୍ଯ୍ୟ ଆରମ୍ଭ କରିବ ।

ଚନ୍ଦ୍ରଯାନ-୩ ପାଇଁ ଶେଷ ୧୭ ମିନିଟ୍ ବେଶ ଗୁରୁତ୍ୱପୂର୍ଣ୍ଣ । ବିକ୍ରମ ଲ୍ୟାଣ୍ଡର ୨୫ କିଲୋମିଟର ଉପରୁ ଚନ୍ଦ୍ରପୃଷ୍ଠରେ ଅବତରଣ ପାଇଁ ଯାତ୍ରା ଆରମ୍ଭ କରିବ । ଏହି ସମୟରେ ଏହାର ବେଗ ୧.୭ କିଲୋମିଟର ପ୍ରତି ସେକେଣ୍ଡ ରହିବ । ତେଣୁ ଆଗାମୀ ପର୍ଯ୍ୟାୟରେ ପହଞ୍ଚିବାକୁ ଲ୍ୟାଣ୍ଡରକୁ ୧୧.୫ ମିନିଟ୍ ସମୟ ଲାଗିବ । ଚନ୍ଦ୍ରପୃଷ୍ଠର ୭.୪ କିଲୋମିଟର ଉଚ୍ଚରୁ ଏହାର ବେଗ ୩୫୮ ମିଟର ପ୍ରତି ସେକେଣ୍ଡ ରହିବ । ଏହିପରି ଭାବେ ଚନ୍ଦ୍ରପୃଷ୍ଠରୁ ୬.୮ କିଲୋମିଟର ଥିବା ବେଳେ ଏହାର ଗତି ୩୩୬ ମିଟର ପ୍ରତି ସେକେଣ୍ଡ ରହିବ । ଅଥାର୍ତ ଚନ୍ଦ୍ରପୃଷ୍ଠ ଯେତିକି ନିକଟ ହେବ ଲ୍ୟାଣ୍ଡର ଗତି ସେତିକି ହ୍ରାସ ପାଇବ । ଏହିପରି ଭାବେ ଚନ୍ଦ୍ରପୃଷ୍ଠର ୮୦୦ ମିଟର ଉପରେ ଥିବା ବେଳେ ଲେଜର କିରଣ ପକାଇ ଲ୍ୟାଣ୍ଡିଂ ପାଇଁ ଉପଯୁକ୍ତ ସ୍ଥାନ ଖୋଜିବ ଲ୍ୟାଣ୍ଡର ।

୧୫୦ ମିଟର ଉପରେ ଥିବା ବେଳେ ଏହାର ଗତି ୬୦ ମିଟର ପ୍ରତି ସେକେଣ୍ଡ ରହିବ । ସେହିଭଳି ୬୦ ମିଟର ଉଚ୍ଚରେ ଥିବା ବେଳେ ଏହାର ବେଗ ୪୦ ମିଟର ପ୍ରତି ସେକେଣ୍ଡ ରହିବ । ସବୁଠୁ ଗୁରୁତ୍ୱପୂର୍ଣ୍ଣ ୧୦ ମିଟର ଉପରେ ଥିବା ବେଳେ ଲ୍ୟାଣ୍ଡରର ଗତି ୧୦ ମିଟର ପ୍ରତି ସେକେଣ୍ଡ ରହିବ । ସେହିଭଳି ସଫ୍ଟ ଲ୍ୟାଣ୍ଡିଂ ସମୟରେ ଲ୍ୟାଣ୍ଡର ଗତି ୧.୬୮ ପ୍ରତି ସେକେଣ୍ଡ ରହିବ ।

ପୂର୍ବଥର ଚନ୍ଦ୍ରଯାନ-୨ ନିଜର ଅଧିକ ଗତି ଓ ଟେକ୍ନୋଲୋଜିରେ ସମସ୍ୟା କାରଣରୁ ଇଞ୍ଜିନ ଖରାପ ହୋଇ ଲ୍ୟାଣ୍ଡ କରିବା ପୂର୍ବରୁ ହିଁ ଖସିପଡିଥିଲା । ତେଣୁ ଏଥର ଯେପରି କୌଣସି ସମସ୍ୟା ନରହିବ ସେଥିପାଇଁ ଚନ୍ଦ୍ରଯାନରେ ଅନେକ ପ୍ରକାର ସେନସର ଓ କ୍ୟାମେରା ଲାଗିଛି । ଏହାଛଡା ବିକ୍ରମ ଲ୍ୟାଣ୍ଡରରେ ଏଥର ୨ଟି ପରିବର୍ତ୍ତନ କରାଯାଇଛି । ପ୍ରଥମତଃ ଏଥିରେ ସେଫ୍ଟି ମୋଡ ସିଷ୍ଟମ ରଖାଯାଇଛି । ଯାହା କୌଣସି ପ୍ରକାର ଦୁର୍ଘଟଣାରୁ ବିକ୍ରମ ଲ୍ୟାଣ୍ଡରକୁ ବଞ୍ଚାଇବ । ସେଥିପାଇଁ ବିକ୍ରମ ଲ୍ୟାଣ୍ଡରରେ ୨ଟି ଅନବୋର୍ଡ କମ୍ପ୍ୟୁଟର ଲଗାଯାଇଛି । ଯାହା ବିକ୍ରମ ଲ୍ୟାଣ୍ଡର ପ୍ରତି ଆସୁଥିବା ପ୍ରତିଟି ବିପଦ ବାବଦରେ ଆଗୁଆ ସୂଚନା ଦେବ । ଆଜି ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡିଂ କରିବା ପରେ ବିକ୍ରମ ନିଜର କାମ ଆରମ୍ଭ କରିଦେବ । ବିକ୍ରମ ଲ୍ୟାଣ୍ଡର ମଧ୍ୟରୁ ରୋଭର ବାହାରିବା ସହ ଚନ୍ଦ୍ରପୃଷ୍ଠର ୫୦୦ ମିଟର ପର୍ଯ୍ୟନ୍ତ ଚାଲିବା ସହ ସେଠାକାର ବାତାବରଣ ବାବଦରେ ଇସ୍ରୋକୁ ସୂଚନା ଦେବ । ଏହାସହ ରୋଭର ନିଜର ଚକ ଜରିଆରେ ଭାରତର ରାଷ୍ଟ୍ରୀୟ ଚିହ୍ନ ଅଶୋକ ସ୍ତମ୍ଭ ଓ ଇସ୍ରୋର ଲୋଗୋର ଛାପ ଛାଡିବ ।