କନକ ବ୍ୟୁରୋ : ଚନ୍ଦ୍ରର ରହସ୍ୟ ଉପରୁ ଉଠିବ ପରଦା । ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ରୋଭରର ଗତିବିଧିକୁ ନେଇ ନୂଆ ଭିଡିଓ ଜାରି କରିଛି ଇସ୍ରୋ । ଏହି ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି କିପରି ଚନ୍ଦ୍ରପୃଷ୍ଠରେ ରୋଭର ଗତି କରୁଛି । ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଥିବା ରହସ୍ୟକୁ ନେଇ ଅଧିକ ତଥ୍ୟ ସଂଗ୍ରହ କରୁଛି ରୋଭର ପ୍ରଜ୍ଞାନ । ଏହି ଭିଡିଓ ଲ୍ୟାଣ୍ଡରରୁ ନିଆଯାଇଛି । ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମର ଧୀର ଅବତରଣ ଓ ଏହାପରେ ପର୍ଯ୍ୟାୟ କ୍ରମେ ସମସ୍ତ ଗତିବିଧିର ଫଟୋ ଓ ଭିଡିଓ ଜାରି କରୁଛି ଇସ୍ରୋ । ପୃଥିବୀର ୧୪ ଦିନ ଅର୍ଥାତ ଗୋଟିଏ ଚନ୍ଦ୍ର ଦିନ ରୋଭର କାର୍ଯ୍ୟ କରିବ । ରାତି ହେବା ପର୍ଯ୍ୟନ୍ତ ସୌରଶକ୍ତିରେ କାର୍ଯ୍ୟ କରିବ ରୋଭର । ରାତି ହେଲେ ମିଳିବନି ସୌରଶକ୍ତି, ପ୍ରତିକୂଳ ହେବ ତାପମାତ୍ରା । ଏହି ୧୪ ଦିନ ମଧ୍ୟରେ ଅନେକ କିଛି କାର୍ଯ୍ୟ ସଂପାଦନ କରିବ ରୋଭର । ସମସ୍ତଙ୍କ ଆଶା ରହିଛି, ଚନ୍ଦ୍ରର ଦକ୍ଷିଣ ମେରୁର ରହସ୍ୟ ଉପରୁ ପର୍ଦ୍ଦା ଉଠାଇବାରେ ସମର୍ଥ ହେବ । ଚନ୍ଦ୍ରପୃଷ୍ଠ କେଉଁ ରାସାୟନିକ ଉପାଦାନରେ ଗଢ଼ା, ତା’ର ତର୍ଜମା କରୁଛି ରୋଭର । ଚନ୍ଦ୍ରର ମାଟି ଓ ଶିଳା ପରୀକ୍ଷା କରି ତଥ୍ୟ ପଠାଇବ ରୋଭର ।