ଚନ୍ଦ୍ରଯାନ-୨ର ଅବତରଣ ପାଇଁ ଆରମ୍ଭ ହେଲା କାଉଣ୍ଟଡାଉନ୍ । ଇତିହାସ ରଚିବାକୁ ଆଉ ମାତ୍ର ୧୦୦ କିମିର ଦୂର, ଚନ୍ଦ୍ରର ନିକଟତର ହେଉଛି ଚନ୍ଦ୍ରଯାନ-୨ ।

295

କନକ ବ୍ୟୁରୋ : ଇସ୍ରୋ ଯେପରି ସିଗନାଲ ଦେଉଛି, ସେହି ଅନୁରୂପ କାମ କରୁଛି ଚନ୍ଦ୍ରଯାନ-୨ । ଗତକାଲି ଅର୍ବିଟରରୁ ଅଲଗା ହେବା ପରେ ଲାଣ୍ଡରର କକ୍ଷପଥକୁ ବଦଳାଇ ଦେଇଛି ଇସ୍ରୋ । ଚନ୍ଦ୍ରର ୧୦୯ କିଲୋମିଟର ନିକଟ ଓ ୧୨୦ କିଲୋମିଟର ଦୂର ଅଣ୍ଡାକାର କକ୍ଷପଥରେ ଘୁରିବୁଲିବା ଆରମ୍ଭ କରିଛି ବିକ୍ରମ ଲାଣ୍ଡର । ଆସନ୍ତାକାଲି ଦ୍ୱିତୀୟ ଥର ପାଇଁ ଲାଣ୍ଡରର କକ୍ଷପଥ ବଦଳିବ । ଚନ୍ଦ୍ରର ଆହୁରି ନିକଟତର ହେବା ସହ ଦକ୍ଷିଣ ମେରୁରେ ଅବତରଣ ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ସେପ୍ଟେମ୍ବର ୬ ଓ ୭ ତାରିଖ ରାତିର ସେହି ଐତିହାସିକ ମୁହୂର୍ତ ପାଇଁ ଆରମ୍ଭ ହେଲା କାଉଂଟଡାଉନ୍ ।

ସେପ୍ଟେମ୍ବର ୩ ତାରିଖ । ସକାଳ ୮ଟା ୫୦ ମିନିଟ୍ । କକ୍ଷ ପରିବର୍ତନ କଲା ଲାଣ୍ଡର ବିକ୍ରମ । କକ୍ଷପଥ ବଦଳାଇବାକୁ ଲାଣ୍ଡରର ଇଂଜିନକୁ ଇସ୍ରୋର କଂଟ୍ରୋଲ ରୁମରୁ ତିନି ସେକେଣ୍ଡ ଖୋଲିବା ପାଇଁ ସିଗନାଲ୍ ଦେଇଥିଲେ ଇସ୍ରୋର ବୈଜ୍ଞାନିକ । ବୈଜ୍ଞାନିକମାନେ ଯେପରି ଚାହୁଁଥିଲେ, ସେହି ଅନୁରୂପ କାମ କରିଥିଲା ଲାଣ୍ଡର । କକ୍ଷର ପରିବର୍ତନ ହୋଇଥିଲା ଏବଂ ସଫଳତାର ଆଉ ଏକ ପାହାଚ ଅତିକ୍ରମ କରିଛି ଇସ୍ରୋ । ସୋମବାର ଦିନ ଅର୍ବିଟରରୁ ଲାଣ୍ଡରକୁ ଅଲଗା କରିବା ପରେ ବଦଳାଇ ଦିଆଯାଇଛି ଏହାର କକ୍ଷପଥ ।

ସେପ୍ଟେମ୍ବର ୪ ତାରିଖ । ଦ୍ୱିତୀୟ ଥର ବଦଳିବ ଲାଣ୍ଡରର କକ୍ଷପଥ । ଚନ୍ଦ୍ରର ଆହୁରି ନିକଟତର ହେବ ବିକ୍ରମ । ପ୍ରାୟ ୩୫ କିଲୋମିଟର ନିକଟ ଓ ୧୧୦ କିଲୋମିଟର ଦୂର ଅଣ୍ଡାକାର କକ୍ଷପଥରେ ପ୍ରାୟ ତିନି ଦିନ ଧରି ଚନ୍ଦ୍ର ଚାରିପଟେ ଘୁରିବ ବିକ୍ରମ ଲାଣ୍ଡର । ଏହି ସମୟରେ ଲାଣ୍ଡର ଓ ପ୍ରଜ୍ଞାନ ରୋଭରର ଯନ୍ତ୍ରାଂଶ ଯାଂଚ କରିବେ ଇସ୍ରୋର ବୈଜ୍ଞାନିକ । ସବୁ କିଛି ଠିକ୍ ଥିଲେ ଆରମ୍ଭ ହେବ ଅବତରଣ ପାଇଁ ପ୍ରସ୍ତୁତି ।

ସେପ୍ଟେମ୍ବର ୭ ତାରିଖ । ଐତିହାସିକ ମୁହୂର୍ତ୍ତକୁ ଅପେକ୍ଷା । ଯେଉଁ ମୁହୂର୍ତର ଅପେକ୍ଷା ଥିଲା ଆସିବ ସେହି ପ୍ରତୀକ୍ଷିତ ସମୟ । ଯାହାକୁ କେବଳ ଭାରତବାସୀ ନୁହଁନ୍ତି ନଜର ରଖିଛି ସାରାବିଶ୍ୱ । ୬ ଓ ୭ ତାରିଖ ମଧ୍ୟ ରାତିରେ ଚନ୍ଦ୍ରର ମାଟି ଛୁଇଁବ ବିକ୍ରମ ଲାଣ୍ଡର ।

ରାତି ୧ଟା ୪୦ରୁ ୧ଟା ୫୫ ମିନିଟ୍ । ୧୫ ମିନିଟର ଜଟିଳ କସରତ । ୩୫ କିଲୋମିଟର ଉପରୁ ଚନ୍ଦ୍ରପୃଷ୍ଠକୁ ଯେତେବେଳେ ଲାଣ୍ଡର ବିକ୍ରମ ଖସିବା ଆରମ୍ଭ କରିବ, ସେହି ୧୫ ମିନିଟ୍ ଉପରେ ନିର୍ଭର କରିବ ଇସ୍ରୋର ମହତକାଂକ୍ଷୀ ମିସନର ସଫଳତା । ପ୍ରତି ସେକେଣ୍ଡରେ ୨ ମିଟର ବେଗରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ଲାଣ୍ଡର । ଅବତରଣ କରିବାର ୨ ଘଂଟା ପରେ ଅର୍ଥାତ ୩ଟା ୫୫ ମିନିଟରେ ଲାଣ୍ଡରର ଦ୍ୱାର ଖୋଲିଯିବ । ଆଉ ଏହା ଭିତରେ ଥିବା ୬ ଗୋଡ଼ ବିଶିଷ୍ଟ ରୋଭର ପ୍ରଜ୍ଞାନ ବାହାରକୁ ଆସିବ ।

ଭୋର ୫ଟା ୦୫ରେ ଖୋଲିବ ରୋଭରର ସୋଲାର ପ୍ୟାନେଲ୍ । ଭୋର ୫ଟା ୧୦ରେ ଚନ୍ଦ୍ରପୃଷ୍ଠରେ ଚାଲିବ ରୋଭର । ସୋଲାର ପ୍ୟାନେଲରୁ ଶକ୍ତି ନେଇ ପ୍ରତି ସେକେଣ୍ଡ ମାତ୍ର ୧ ସେଂଟିମିଟର ଗତିରେ ରୋଭର ପ୍ରଜ୍ଞାନ ଅନୁଧ୍ୟାନ କରିବ । ୧୪ ଦିନରେ ୫୦୦ ମିଟର ପର୍ଯ୍ୟନ୍ତ ଗତି କରିବା ସହ ଇସ୍ରୋକୁ ତଥ୍ୟ ଓ ଫଟୋ ପଠାଇବ ରୋଭର । ଇସ୍ରୋର ଏହି ଚନ୍ଦ୍ର ମିସନ୍ ସଫଳ ହେଲେ ମହାକାଶ ବିଜ୍ଞାନରେ ଇତିହାସ ରଚିବ ଦେଶ । ବିଶ୍ୱର ୪ ଟି ପ୍ରମୁଖ ଦେଶ ମଧ୍ୟରେ ସ୍ଥାନ ପାଇବ ଭାରତ ।