ବିଫଳ ହୋଇନି ମିଶନ୍ ମୁନ୍ । ଲ୍ୟାଣ୍ଡର ବିକ୍ରମ ସହ ସମ୍ପର୍କ ସ୍ଥାପନ ପାଇଁ ଜାରି ରହିଛି ଉଦ୍ୟମ, ୭ ବର୍ଷ ଯାଏଁ କାର୍ଯ୍ୟକ୍ଷମ ରହିବ ଚନ୍ଦ୍ରଯାନ-୨ ।

1,444

କନକ ବ୍ୟୁରୋ : ଚନ୍ଦ୍ରପୃଷ୍ଠରେ ଅବତରଣ ସମୟରେ ଲ୍ୟାଣ୍ଡର ‘ବିକ୍ରମ’ ସହ ସଂପର୍କ ଚ୍ଛିନ୍ନ ହେବା ଘଟଣା ଭାରତୀୟ ମହାକାଶ କାର୍ଯ୍ୟକ୍ରମ ପାଇଁ ଝଟକା ହୋଇଛି ସତ, କିନ୍ତୁ ଚନ୍ଦ୍ରଯାନ-୨ ବିଫଳ ହୋଇନାହିଁ । ଏହି ଅଭିଯାନ ୯୫ ଭାଗ ସଫଳ ହୋଇଛି । ଚନ୍ଦ୍ରକକ୍ଷରେ ପରିକ୍ରମା କରୁଥିବା ଚନ୍ଦ୍ରଯାନ-୨ ସଫଳତାର ସହିତ କାମ କରୁଛି ଏବଂ ଏହା ୭ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ । ଏହି ଉପଗ୍ରହରୁ ଚନ୍ଦ୍ରପୃଷ୍ଠ ସଂପର୍କରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସଂଗ୍ରହ କରାଯାଇପାରିବ । କେବଳ ଏତିକି ନୁହେଁ ‘ବିକ୍ରମ’ ସହିତ ପୁଣି ସଂପର୍କ ସ୍ଥାପନ କରିବା ଲାଗି ମଧ୍ୟ ଉଦ୍ୟମ ଜାରି ରହିଛି ।

ଗତକାଲି ମଧ୍ୟରାତିରେ ‘ବିକ୍ରମ’ ବିଫଳତାକୁ ନେଇ ସାରା ଦେଶରେ ନିରାଶା ଛାଇ ଯାଇଥିବା ବେଳେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ‘ଇସ୍ରୋ’ ପକ୍ଷରୁ ଆଜି ଏକ ବିବୃତି ଜାରି କରାଯାଇ ଉପରୋକ୍ତ ଆଶ୍ବାସନା ଦିଅ‌ାଯାଇଛି । ଏଥିରେ କୁହାଯାଇଛି ଯେ ଚନ୍ଦ୍ରଯାନ-୨ ହେଉଛି ଅତ୍ୟନ୍ତ ଜଟିଳ ଅଭିଯାନ । ଏହି କାର୍ଯ୍ୟକ୍ରମରେ ଯେଉଁ ଜ୍ଞାନକୌଶଳର ଉପଯୋଗ କର‌ାଯାଇଛି ତାହା ପୂର୍ବ କାର୍ଯ୍ୟକ୍ରମ ତୁଳନାରେ ଭିନ୍ନ ଏବଂ ଉନ୍ନତ ଧରଣର । ଏହାର ପ୍ରତିଟି ପର୍ଯ୍ୟାୟ ଯେତିକି ରୋଚକ ଥିଲା ସେତିକି ବିପଦପୂର୍ଣ୍ଣ ମଧ୍ୟ ଥିଲା । ଚନ୍ଦ୍ରଯାନ-୨ରେ ଅରବିଟର, ଲ୍ୟାଣ୍ଡର ଓ ରୋଭର ଯାନକୁ ଏକାଠି କରାଯାଇଥିଲା ।

ବିକ୍ରମର ବିଫଳତା ସଂପର୍କରେ ଇସ୍ରୋ ମୁଖ୍ୟ କେ. ଶିବନ୍‌ କହିଛନ୍ତି ଯେ ଚନ୍ଦ୍ରପୃଷ୍ଠରୁ ୨.୧ କିଲୋମିଟର ଦୂରତା ପର୍ଯ୍ୟନ୍ତ ଲ୍ୟାଣ୍ଡର ସ୍ବାଭାବିକ କାର୍ଯ୍ୟ କରୁଥିଲା। ଏହାପରେ ଗ୍ରାଉଣ୍ଡ ଷ୍ଟେସନ ସହିତ ଲ୍ୟାଣ୍ଡରର ଯୋଗାଯୋଗ ତୁଟି ଯାଇଥିଲା। ଅବତରଣର ଅଳ୍ପ କିଛି ମିନିଟ ପୂର୍ବରୁ ଲ୍ୟାଣ୍ଡର ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ତଥ୍ୟର ବିଶ୍ଳେଷଣ କରାଯାଉଛି । ତେବେ ଏହାସହିତ ପୁଣି ସଂପର୍କ ସ୍ଥାପନ ଲାଗି ଉଦ୍ୟମ କରାଯାଉଛି । ଆସନ୍ତା ୧୪ ଦିନ ପର୍ଯ୍ୟନ୍ତ ଉଦ୍ୟମ ଜାରି ରହିବ ବୋଲି ‌ସେ କହିଛନ୍ତି । ବିକ୍ରମ ଯେଉଁଠି ଥିଲେ ମଧ୍ୟ ଏହାକୁ ଖୋଜି ବାହାର କରିବା ଲାଗି ଅରବିଟରର ସହାୟତା ନିଆଯିବ ।

ସୂଚନାଯୋଗ୍ୟ ଯେ ଚନ୍ଦ୍ରଯାନ-୨ରେ ଚନ୍ଦ୍ରପୃଷ୍ଠରେ ଅବତରଣ ପାଇଁ ପଠାଯାଇଥିବା ଲ୍ୟାଣ୍ଡର ‘ବିକ୍ରମ’ ଅବତରଣ କରିବାର ମାତ୍ର ୨.୧ କିଲୋ ମିଟର ଦୂରରୁ ବେଙ୍ଗାଲୁରୁସ୍ଥିତ ଇସ୍ରୋର ଟେଲିମେଟ୍ରି ଟ୍ରାକିଂ ଆଣ୍ଡ କମାଣ୍ଡ ନେଟୱାର୍କ ସହିତ ଯୋଗାଯୋଗ ରକ୍ଷା ହୋଇ ପାରି ନଥିଲା । ପୂର୍ବ ନିର୍ଦ୍ଧାରିତ ସମୟର ଅଳ୍ପ କିଛି ମିନିଟ୍‌ ପୂର୍ବରୁ ଏହି ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ଲ୍ୟାଣ୍ଡର ବିକ୍ରମ ଭିତରେ ରୋଭର ‘ପ୍ରଜ୍ଞାନ’ ରହିଥିଲା । ବିକ୍ରମ ଚନ୍ଦ୍ରପୃଷ୍ଠରେ ସୂକ୍ଷ୍ମ ଅବତରଣ କରିଥିଲେ ପ୍ରଜ୍ଞାନ ସେଥିରୁ ବାହାରି ଥାନ୍ତା । ଏହା ଚନ୍ଦ୍ରପୃଷ୍ଠର ଅଧ୍ୟୟନ କରି ଇସ୍ରୋର ବୈଜ୍ଞାନିକମାନଙ୍କୁ ବିଭିନ୍ନ ତଥ୍ୟ ପଠାଇ ଥାଆନ୍ତା ।

ଭାରତର ବୈଜ୍ଞାନିକମାନେ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମକୁ ନିଜସ୍ବ ପ୍ରଯୁକ୍ତିରେ ପ୍ରସ୍ତୁତ କରିଥିଲେ । ଭାରତର ମହାକାଶ କାର୍ଯ୍ୟକ୍ରମର ଜନକ ଡ. ବିକ୍ରମ ଏ ସାରାଭାଇଙ୍କ ନାମରେ ଏହାର ନାମକରଣ କରାଯାଇଥିଲା । ଲ୍ୟାଣ୍ଡରଟି ଚନ୍ଦ୍ରପୃଷ୍ଠରେ ଯେଭଳି ସୂକ୍ଷ୍ମ ଅବତରଣ କରିପାରିବ ସେଥିପାଇଁ ସମସ୍ତ ପ୍ରସ୍ତୁତି କରାଯାଇଥିଲା । ଏହା ଚନ୍ଦ୍ରପୃଷ୍ଠରେ ଗୋଟିଏ ଚନ୍ଦ୍ର ଦିବସ ବା ପୃଥିବୀରେ ୧୪ ଦିନ ପାଇଁ କାର୍ଯ୍ୟକ୍ଷମ ରହିଥା’ନ୍ତା । ବିକ୍ରମ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପରେ ସେଥିରେ ଥିବା ୬ ଚକ ବିଶିଷ୍ଟ ରୋଭର (ପ୍ରଜ୍ଞାନ)ଟି ସେଥିରୁ ବାହାରକୁ ବାହାରି ଥାଆନ୍ତା । ଅବତରଣ ସ୍ଥଳରୁ ୫୦୦ ମିଟର ପର୍ଯ୍ୟନ୍ତ ପ୍ରଜ୍ଞାନ ଯାତ୍ରା କରିଥାଆନ୍ତା ।

ଡିଡି ନ୍ୟୁଜ୍‌କୁ ସାକ୍ଷାତକାର ଦେଇ ଇସ୍ରୋ ମୁଖ୍ୟ ଶିବନ୍ କହିଛନ୍ତି, ବିକ୍ରମ ସହିତ ପୁଣି ଯୋଗାଯୋଗ ସ୍ଥାପନ ପାଇଁ ଉଦ୍ୟମ କରାଯାଉଛି । ଚନ୍ଦ୍ରଯାନ-୨ ମିସନ୍ ୯୫ ପ୍ରତିଶତ ସଫଳ ହୋଇଛି । ଚନ୍ଦ୍ରଯାନ-୨ ଅର୍ବିଟର ୭ ବର୍ଷ ପର୍ଯ୍ୟନ୍ତ କାମ କରିପାରିବ ବୋଲି ସେ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି, ଗଗନଯାନ ସମେତ ଇସ୍ରୋର ସମସ୍ତ ମିସନ୍ ନିର୍ଦ୍ଧାରିତ ସମୟ ମଧ୍ୟରେ ହେବ । ତେବେ ଇସ୍ରୋର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଲ୍ୟାଣ୍ଡର ସହିତ କୌଣସି ଯୋଗାଯୋଗ ନାହିଁ। ଯୋଗାଯୋଗ ନାହିଁ ଅର୍ଥାତ୍ ଏହା ହଜିଗଲା ଭଳି ଘଟଣା । ତେଣୁ ଆଶା ନାହିଁ । ପୁଣି ଯୋଗାଯୋଗ ସ୍ଥାପନ କରିବା ଅତ୍ୟନ୍ତ କଷ୍ଟକର ବୋଲି ସେ କହିଛନ୍ତି ।