ଜହ୍ନ ରାଇଜରେ ପାଦ ଥାପିବ ଭାରତ ! ଇତିହାସ ରଚିବାକୁ ଯାଉଛି ଇସ୍ରୋ । ଐତିହାସିକ ମୁହୂର୍ତ୍ତକୁ ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା ।

196

କନକ ବ୍ୟୁରୋ : ମହାକାଶ ବିଜ୍ଞାନରେ ଏମିତି ଏକ ଇତିହାସ ରଚିବାକୁ ଯାଉଛି ଇସ୍ରୋ, ଯାହାକୁ ଅପେକ୍ଷା କରିଛି ସାରା ବିଶ୍ୱ । ଚନ୍ଦ୍ରପୃଷ୍ଠରେ ଧୀର ଅବତରଣ କରିବ ଚନ୍ଦ୍ରଯାନ-୨ । ବିଶ୍ୱର ମାତ୍ର ୩ଟି ଦେଶ, ଆମେରିକା, ରୁଷ ଓ ଚୀନ ଯେଉଁ ସଫଳତାର ସ୍ୱାଦ ଚାଖିଛନ୍ତି, ଚତୁର୍ଥ ରାଷ୍ଟ୍ର ଭାବେ ସେହି ବିରଳ ସଫଳତା ପାଇବାକୁ ଯାଉଛି ଭାରତ । କେବଳ ଏତିକି ନୁହେଁ, ପ୍ରଥମ ଥର ପାଇଁ ଚନ୍ଦ୍ରର ଦକ୍ଷିଣ ମେରୁର ରହସ୍ୟ ଖୋଲିବ ଚନ୍ଦ୍ରଯାନ-୨ । ପ୍ରାୟ ୩୫ କିଲୋମିଟର ନିକଟ ଓ ୧୧୦ କିଲୋମିଟର ଦୂର ଅଣ୍ଡାକାର କକ୍ଷପଥରେ ଚନ୍ଦ୍ର ଚାରିପଟେ ଘୁରୁଛି ବିକ୍ରମ ଲାଣ୍ଡର । ଲାଣ୍ଡର ଓ ପ୍ରଜ୍ଞାନ ରୋଭରର ଯନ୍ତ୍ରାଂଶ ଯାଂଚ କରିଛନ୍ତି ଇସ୍ରୋର ବୈଜ୍ଞାନିକ ।

ଐତିହାସିକ ମୁହୂର୍ତ୍ତକୁ ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ଯେଉଁ ମୁହୂର୍ତ୍ତର ଅପେକ୍ଷା ଥିଲା, ଆସୁଛି ସେହି ପ୍ରତୀକ୍ଷିତ ସମୟ । ଯାହାକୁ କେବଳ ଭାରତବାସୀ ନୁହଁନ୍ତି, ଯାହା ଉପରେ ନଜର ରଖିଛନ୍ତି ସାରାବିଶ୍ୱର ବୈଜ୍ଞାନିକ । ଆଜି ମଧ୍ୟ ରାତିରେ ଚନ୍ଦ୍ରର ମାଟି ଉପରେ ଧୀର ଅବତରଣ କରିବ ବିକ୍ରମ ଲାଣ୍ଡର ।

ରାତି ୧ଟା ୪୦ରୁ ୧ଟା ୫୫ ମିନିଟ୍ । ୧୫ ମିନିଟର ଜଟିଳ କସରତ । ୩୫ କିଲୋମିଟର ଉପରୁ ଚନ୍ଦ୍ରପୃଷ୍ଠକୁ ଯେତେବେଳେ ଲାଣ୍ଡର ବିକ୍ରମ ଖସିବା ଆରମ୍ଭ କରିବ, ସେହି ୧୫ ମିନିଟ୍ ଉପରେ ନିର୍ଭର କରିବ ଇସ୍ରୋର ଏହି ମହତକାଂକ୍ଷୀ ମିସନର ସଫଳତା । ପ୍ରତି ସେକେଣ୍ଡରେ ୨ ମିଟର ବେଗରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଧୀରେ ଧୀରେ ଅବତରଣ କରିବ ଲାଣ୍ଡର । ଯାହାକୁ ସଫ୍ଟ ଲ୍ୟାଣ୍ଡିଂ ବୋଲି କୁହାଯାଉଛି ।

ଅବତରଣ କରିବାର ୨ ଘଂଟା ପରେ । ଅର୍ଥାତ ରାତି ୩ଟା ୫୫ ମିନିଟରେ ଖୋଲିବ ଲାଣ୍ଡରର ଦ୍ୱାର । ଆଉ ଲାଣ୍ଡର ବିକ୍ରମ ଭିତରେ ଥିବା ୬ ଗୋଡ଼ ବିଶିଷ୍ଟ ରୋଭର ପ୍ରଜ୍ଞାନ ବାହାରକୁ ଆସିବ । ଏହା ସହ ଭାରତ ମହାକାଶ ବିଜ୍ଞାନ ଗବେଷଣାର ସବୁଠୁ ବଡ଼ ସଫଳତା ଅଭିମୁଖେ ଆରମ୍ଭ ହେବ ଯାତ୍ରା ।

ଭୋର ୫ଟା ୦୫ରେ ଖୋଲିବ ରୋଭରର ସୋଲାର ପ୍ୟାନେଲ । ଭୋର ୫ଟା ୧୦ରେ ଚନ୍ଦ୍ରପୃଷ୍ଠରେ ଚାଲିବ ରୋଭର । ସୋଲାର ପ୍ୟାନେଲରୁ ଶକ୍ତି ନେଇ ପ୍ରତି ସେକେଣ୍ଡ ମାତ୍ର ୧ ସେଂଟିମିଟର ଗତିରେ ରୋଭର ପ୍ରଜ୍ଞାନ ଅନୁଧ୍ୟାନ କରିବ । ୧୪ ଦିନରେ ୫୦୦ ମିଟର ପର୍ଯ୍ୟନ୍ତ ଗତି କରିବା ସହ ଇସ୍ରୋକୁ ରୋଭର ପଠାଇବ ଫଟୋ । ଚନ୍ଦ୍ରର ମୃତିକା ପରୀକ୍ଷଣ ସହ ଚନ୍ଦ୍ରପୃଷ୍ଠରେ ଜଳ କଣିକା ଅଛି କି ନାହିଁ, ପରୀକ୍ଷା ନିରୀକ୍ଷା କରି ତଥ୍ୟ ପଠାଇବ ରୋଭର ପ୍ରଜ୍ଞାନ । ଇସ୍ରୋର ଏହି ଚନ୍ଦ୍ର ମିସନ୍ ସଫଳ ହେଲେ ମହାକାଶ ବିଜ୍ଞାନରେ ନୂଆ ଇତିହାସ ରଚିବ ଦେଶ । ସଫଳ ହେବ ଚନ୍ଦ୍ରାଯାନ-୨ର ପ୍ରାୟ ୪୮ ଦିନ ଯାତ୍ରା ।