ଆଜି ବିଜେଡିରେ ମିଶିବେ ଚନ୍ଦ୍ରଶେଖର ସାହୁ : ବ୍ରହ୍ମପୁର ମିଶ୍ରଣ ପର୍ବରେ ବିଜେଡି ସୁପ୍ରିମୋଙ୍କ ଉପସ୍ଥିତିରେ ସମର୍ଥକଙ୍କ ସହ ଯୋଗ ଦେବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ

61

କନକ ବ୍ୟୁରୋ : ଆଜି ବିଜେଡିରେ ଦଳବଳ ସହ ଯୋଗଦେବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ । ବ୍ରହ୍ମପୁରରେ ମିଶ୍ରଣ ପର୍ବରେ ଚନ୍ଦ୍ରଶେଖର ଓ ତାଙ୍କ ସମର୍ଥକ ବିଜେଡିରେ ମିଶିବା କାର୍ଯ୍ୟକ୍ରମ ରହିଛି । ଗଞ୍ଜାମ କଂଗ୍ରେସର ପ୍ରଭାବଶାଳୀ ନେତା ଚନ୍ଦ୍ରଶେଖର ସାହୁଙ୍କ ସହ ଯୁବନେତା ବିକ୍ରମ ପଣ୍ଡା, ଜିଲ୍ଲା କଂଗ୍ରେସ ସଭାପତି ଭଗବାନ ଗନ୍ତାୟତଙ୍କ ପରେ ବ୍ରହ୍ମପୁର ମହାନଗର ନିଗମର ୧୦ ଜଣ କର୍ପୋରେଟର କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଏହି ନେତାମାନେ ବିଜେଡିରେ ଯୋଗ ଦେବା ଏକପ୍ରକାର ସ୍ପଷ୍ଟ ହୋଇଯାଇଥିବାବେଳେ ଆଜି କେବଳ ଔପଚାରିକତା ବାକି ରହିଛି । ଏଥିସହ ଗଂଜାମର ରାଜନୈତିକ ସମୀକରଣରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି ।

ଗୋଟିଏ ପଟେ ଚନ୍ଦ୍ରଶେଖର ସାହୁ ଓ ବିକ୍ରମ ପଣ୍ଡାଙ୍କ ଭଳି କଂଗ୍ରେସର ତୁଙ୍ଗ ନେତା ଦଳରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଉଛନ୍ତି । ଅନ୍ୟପଟେ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ରାଜନୈତିକ ଭବିଷ୍ୟତ କଣ ହେବ, ଏହାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଯୁବନେତା ବିକ୍ରମ ପଣ୍ଡା ବିଜେଡିରେ ମିଶିଲେ ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ସ୍ଥିତି ଟଳମଳ ହେବ । କାରଣ ୨୦୧୪ରେ ନବୀନଙ୍କ ପ୍ରବଳ ହାୱା ସତ୍ୱେ ମାତ୍ର ୧ ହଜାରରୁ ସାମାନ୍ୟ ଅଧିକ ଭୋଟରେ ବିକ୍ରମ ପଣ୍ଡାଙ୍କୁ ହରାଇଥିଲେ ଚ୍ୟାଉ ପଟ୍ଟନାୟକ ।