ବ୍ରହ୍ମପୁର ଲୋକସଭା ପାଇଁ ପ୍ରାର୍ଥୀ ବଦଳାଇଲା ବିଜେଡି । ସିନେଷ୍ଟାର ସିଦ୍ଧାନ୍ତଙ୍କ ବଦଳରେ ଚନ୍ଦ୍ରଶେଖରଙ୍କୁ ଟିକେଟ ଦେଲେ ନବୀନ

1,026

କନକ ବ୍ୟୁରୋ : ଘୋଷଣା ହୋଇଛି ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ପ୍ରଥମ ଦୁଇଟି ପର୍ଯ୍ୟାୟ ପାଇଁ ବିଜେଡି ୯ ଲୋକସଭା ଓ ୫୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ବିଜେପୁର ଓ ହିଞ୍ଜିଳି ଦୁଇଟି ଆସନରୁ ନିର୍ବାଚନ ଲଢିବାକୁ ମନସ୍ଥ କରିଛନ୍ତି ।ତେବେ ୯ଟି ଲୋକସଭା ଆସନ ମଧ୍ୟରୁ ୮ଟି ଆସନରେ ନିଜର ପ୍ରାର୍ଥୀ ପରିବର୍ତ୍ତନ କରିଛି ବିଜେଡି । କେବଳ ବଲାଙ୍ଗୀର ଆସନକୁ ଛାଡିଦେଲେ ଘୋଷଣା ହୋଇଥିବା ବାକି ଆସନ ଗୁଡିକରେ ପ୍ରାର୍ଥୀ ବଦଳାଇଛି ବିଜେଡି ।

ଆଉ ବିଜେଡିର ଏହି ଘୋଷଣା ସହ ସିନେଷ୍ଟାରରୁ ୨ ଥର ସାଂସଦ ହୋଇଥିବା ସିଦ୍ଧାନ୍ତ ମହାପାତ୍ରଙ୍କ ଟିକେଟ କାଟି ଦିଆଯାଇଛି । ବ୍ରହ୍ମପୁର ଆସନରୁ ଦଳ ଚନ୍ଦ୍ରଶେଖର ସାହୁଙ୍କୁ ସାଂସଦ ପ୍ରାର୍ଥୀ କରିଛି ।ପୂର୍ବରୁ ଚନ୍ଦ୍ରଶେଖର କଂଗ୍ରେସ କ୍ୟାମ୍ପ ଛାଡି ବିଜେଡିରେ ଯୋଗ ଦେଇଥିଲେ । ତେବେ ନବୀନ ନିବାସରେ ଟିକେଟ କସରତ ହେଉଥିବା ବେଳେ ସିଦ୍ଧାନ୍ତ ମହାପାତ୍ରଙ୍କ ଟିକେଟ କଟିବା ନେଇ ଚର୍ଚ୍ଚା ହୋଇଥିଲା । ଏପରିକି ଗତକାଲି ସିଦ୍ଧାନ୍ତ ମହାପାତ୍ର ଟିକେଟକୁ ନେଇ କହିଥିଲେ, ଦଳର ସୁପ୍ରିମୋ ଯାହା ନିଷ୍ପତି ନେବେ ତାହାକୁ ମାନିବେ । ଏପରିକି ଦଳର ଶୃଙ୍ଖଳିତ କର୍ମୀ ଭାବେ ଦଳ ପକ୍ଷରୁ ପ୍ରଚାର କରିବେ ବୋଲି ମଧ୍ୟ ସ୍ପଷ୍ଟ କରିଥିଲେ ସିଦ୍ଧାନ୍ତ ।

ଏହାପୂର୍ବରୁ ୨୦୦୯ରେ ଓଲିଉଡ ଷ୍ଟାର ସିଦ୍ଧାନ୍ତ ମହାପାତ୍ର କଂଗ୍ରେସ ସରକାରରେ କେନ୍ଦ୍ରମନ୍ତ୍ରୀ ଥିବା ଚନ୍ଦ୍ରଶେଖର ସାହୁଙ୍କୁ ମାତ୍ ଦେଇ ବିଜେଡି ସବୁଜ ବାନା ଉଡାଇଥିଲା । ଆଉ ଏହାପରେ ଲଗାତାର ଦୁଇଥର ବିଜେଡି ଟିକେଟରେ ବିଜୟୀ ହୋଇ ଆସୁଥିଲେ ସିଦ୍ଧାନ୍ତ ମହାପାତ୍ର ।