ବିଜେଡିରେ ସାମିଲ ହେଲେ ପୂର୍ବତନ କଂଗ୍ରେସ ବିଧାୟକ ଚନ୍ଦ୍ରଶେଖର ମାଝୀ । କାଲି ହାତ ଛାଡିଥିଲେ, ଆଜି ଶଙ୍ଖ ଧରିଲେ ।

200

କନକ ବ୍ୟୁରୋ : ଏବେଠୁ ବଢିଲାଣି ପଞ୍ଚାୟତ ନିର୍ବାଚନ ତାତି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆରମ୍ଭ ହେଲା ଦଳଡିଆଁ ପର୍ବ । ଆଉ ଏହି କ୍ରମରେ ଆଜି କଂଗ୍ରେସ ହାତ ଛାଡି ବିଜେଡିରେ ଶଙ୍ଖ ଫୁଙ୍କିଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ ଚନ୍ଦ୍ରଶେଖର ମାଝୀ । କୋରାପୁଟ କୋଟପାଡରୁ ପୂର୍ବରୁ ବିଧାୟକ ଥିବା ଚନ୍ଦ୍ରଶେଖର ଆଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ନିଜ କର୍ମୀ ଓ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି ଚନ୍ଦ୍ରଶେଖର ।

୨୦୧୪ରେ କଂଗ୍ରେସ ଟିକେଟରେ କୋରାପୁଟ କୋଟପାଡରୁ ବିଧାୟକ ହୋଇଥିଲେ ଚନ୍ଦ୍ରଶେଖର । କିନ୍ତୁ ୨୦୧୯ରେ ସ୍ଥିତି ବଦଳିଯାଇଥିଲା । ପ୍ରଥମ ଥର ପାଇଁ କଂଗ୍ରେସ ଗଡରେ ଶଙ୍ଖ ଧ୍ୱନି ଶୁଭିଥିଲା । ୨୦୧୯ ନିର୍ବାଚନରେ ଚନ୍ଦ୍ରଶେଖରଙ୍କୁ ମାତ୍ ଦେଇଥିଲେ ବିଜେଡିର ପଦ୍ମିନୀ ଡିଆନ । କିନ୍ତୁ ଏହାସତ୍ତେ୍ୱ ମଧ୍ୟ ୬୦ ହଜାରରୁ ଅଧିକ ଭୋଟ ପାଇଥିଲେ ଚନ୍ଦ୍ରଶେଖର । କୋଟପାଡ କଂଗ୍ରେସର ଗଡ ରହିଥିବା ବେଳେ ବିଜେଡି ପ୍ରଥମ ଥର ପାଇଁ ଏଠାରେ ବିଜୟ ବାନା ଉଡାଇଥିଲା । ଆଉ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସଙ୍ଗଠନକୁ ଆହୁରି ସୁଦୃଢ କରିବାକୁ ବିଜେଡି ଚନ୍ଦ୍ରଶେଖରଙ୍କୁ ଦଳରେ ସାମିଲ କରିଛି । ଆଉ ଏହାସହ ଦୀର୍ଘବର୍ଷ ଧରି କଂଗ୍ରେସର ଦୁର୍ଗ ରହି ଆସିଥିବା କୋଟପାଡରେ ଦଳ ଏକପ୍ରକାର ଦୁର୍ବଳ ହୋଇଛି ।

ଏହାପୂର୍ବରୁ ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିଲେ ଚନ୍ଦ୍ରଶେଖର ମାଝୀ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଥିଲେ ଚନ୍ଦ୍ରଶେଖର । ଆଉ ଏହାସହ ବ୍ୟକ୍ତିଗତ କାରଣ ପାଇଁ କଂଗ୍ରେସରୁ ଇସ୍ତଫା ଦେଉଥିବା ନେଇ ଉଲ୍ଲେଖ କରିଥିଲେ ଚନ୍ଦ୍ରଶେଖର । ଏପରିକି କଂଗ୍ରେସ ଦଳ ନିକଟରେ ସର୍ବଦା କୃତଜ୍ଞ ରହିବି ବୋଲି କହିଥିଲେ ଚନ୍ଦ୍ରଶେଖର । ବିଜେଡିରେ ଚନ୍ଦ୍ରଶେଖରଙ୍କ ସାମିଲ ହେବା ଦ୍ୱାରା କେବଳ ଦଳ ଶକ୍ତିଶାଳୀ ହୋଇଛି ତାହା ନୁହେଁ ବରଂ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଏବେଠୁ ବଳ କଷିବା ଆରମ୍ଭ କରିଥିବା ନେଇ ସଂକେତ ଦେଇଛି ।