ପବିତ୍ର ମାଘ ସପ୍ତମୀ : ଚନ୍ଦ୍ରଭାଗାରେ ବୁଡ ପକାଉଛନ୍ତି ହଜାର ହଜାର ଶ୍ରଦ୍ଧାଳୁ

202

କନକ ବ୍ୟୁରୋ : ଆଜି ପବିତ୍ର ମାଘ ସପ୍ତମୀ । ଏହି ଅବସରରେ ଚନ୍ଦ୍ରଭାଗାରେ ଆରମ୍ଭ ହୋଇଛି ଶ୍ରଦ୍ଧାଳୁଙ୍କ ବୁଡ । ଆଜି ଲକ୍ଷାଧିକ ଲୋକଙ୍କ ଭିଡ ଦେଖିବାକୁ ମିଳିଛି ଚନ୍ଦ୍ରଭାଗା ତୀର୍ଥରେ । ସୂର୍ଯ୍ୟପୂଜାକୁ ଆଧାର କରି ଏହି ବୁଡ ଅନୁଷ୍ଟିତ ହେଉଛି । ତୀର୍ଥ ପୁଷ୍କରିଣୀରେ ବୁଡ ପକାଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କଲେ ପରିବାରର ସୁଖ ସଂବୃଦ୍ଧି ଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି । ବୁଡ ପକାଇବା ପାଇଁ ରାଜ୍ୟର କୋଣ ଅନୁକୋଣ ସମେତ ରାଜ୍ୟ ବାହାରୁ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ମେଳା ପଡିଆରେ ନଡିଆ ବରଡା ଓ ଜରିପାଲରେ ଅସ୍ଥାୟୀ ଘର କରି ବହୁ ଶ୍ରଦ୍ଧାଳୁ ରହିଥିବା ଦେଖିବାକୁ ମିଳିଛି ।

ଚନ୍ଦ୍ରଭାଗା ମାଘ ସପ୍ତମୀ ବୁଡରେ ମହାପ୍ରଭୁ ସୂର୍ଯ୍ୟନାରାୟଣ ଓ ମହାଦେବଙ୍କୁ ଏକତ୍ର ପୂଜା କରିବାର ନିଆରା ପରମ୍ପରା ରହିଛି । ସେପଟେ ରାଜ୍ୟ ଓ ରାଜ୍ୟ ବାହାରୁ ଶତାଧିକ ସାଧୁସନ୍ଥ ଏହି ମେଳାରେ ଭିଡ ଜମାଇଛନ୍ତି । ଲଗ୍ନ ଅନୁସାରେ ଆଜି ଭୋର ୪ଟାରୁ ଏହି ବୁଡ ଆରମ୍ଭ ହୋଇଛି । ମାଘ ସପ୍ତମୀ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୩୦ ପ୍ଲାଟୁନ ପୋଲିସଫୋର୍ସ ମୁତୟନ ହୋଇଥିବା ବେଳେ ବେଳାଭୂମିରେ ଲାଇଫଗାର୍ଡ ମଧ୍ୟ ମୁତୟନ ହୋଇଛନ୍ତି ।