କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶ ବିଧାନସଭାର ବିରୋଧିଦଳ ନେତା ଏନ୍ ଚନ୍ଦ୍ରବାବୁ ନାଇଡୁ ସୋମବାରଦିନ ତିରୁପତି ବିମାନବନ୍ଦର ଭିତରେ ଧାରଣାରେ ବସିଥିବା ଦେଖିବାକୁ  ମିଳିଛି । ସେ ସେଠାରୁ ତିରୁପତି ଓ ଚିତ୍ତୁର ସହର ଯାତ୍ରା କରିବାକୁ ଥିବା ବେଳେ ପୋଲିସ ତାଙ୍କୁ ଅଟକାଇଥିଲା । ଏହା ପରେ ପୋଲିସଙ୍କ ସହ ଯୁକ୍ତିତର୍କ କରି ଶ୍ରୀ ନାଇଡୁ ସେହିଠାରେ ହିଁ ଧାରଣାରେ ବସିଯାଇଥିଲେ ।
ସୂଚନା ମୁତାବକ ଶ୍ରୀ ନାଇଡୁ ତିରୁପତିରେ ଏକ ବିରୋଧ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସି ତିରୁପତି ବିମାନ ବନ୍ଦରରେ ପହଂଚିଥିଲେ । ହେଲେ ସ୍ଥାନୀୟ ନଗର ନିଗମ ନିର୍ବାଚନ ଓ କରୋନା ମହାମାରୀକୁ ଦୃଷ୍ଟିରେ ରଖି ସ୍ଥାନୀୟ ପୋଲିସ ଏହି କାର୍ଯ୍ୟକ୍ରମକୁ ଅନୁମତି ଦେଇ ନଥିଲା  ।

Advertisment


ତରୁପତି ନଗର ନିଗମ ଅଧିକାରୀମାନେ ରବିବାର ଦିନ ଜଣେ ଟିଡିପି ନେତାଙ୍କ ଚା’ ଦୋକାନ ଭାଙ୍ଗି ଦେଇଥିଲା । କୁହାଯାଉଛି କି ଯେଉଁ ଲୋକର ଚା ଦୋକାନ ଭଙ୍ଗାଗଲା ତାଙ୍କ ସ୍ତ୍ରୀ ଟଡିପିରୁ ପ୍ରାର୍ଥୀ ହୋଇଛନ୍ତି । ଏହି ଘଟଣାକୁ ନେଇ ଟଡିପି ନେତା ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱରେ ସେଠାରେ ବିରୋଧ ପ୍ରଦର୍ଶନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ଏହି ବିରୋଧ ପ୍ରଦର୍ଶନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଚନ୍ଦ୍ରବାବୁ ନାଇଡୁ ଆସିଥିବା ବେଳେ ବିମାନବନ୍ଦରରେ ତାଙ୍କୁ ନିଜ ହେପାଜତକୁ ନେବାକୁ ଚେଷ୍ଟା କରିଥିଲା ସ୍ଥାନୀୟ ପୋଲିସ ।

ଏନେଇ ସ୍ଥାନୀୟ ପୋଲିସଙ୍କୁ ଚନ୍ଦ୍ରବାବୁ ନାଇଡୁ ପଚାରିଥିଲେ କି ‘ମୁଁ ୧୪ ବର୍ଷ ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଲି, ଏବେ ବିରୋଧୀଦଳର ନେତା ଅଛି , ଏହାପରେ ମୋତେ କ’ଣ ବିରୋଧ ପ୍ରଦର୍ଶନ କରିବାକୁ ଅନୁମତି ମିଳିବ ନାହିଁ ’ । ପୋଲିସ କର୍ମୀ ମାନଙ୍କ ସହ ଯୁକ୍ତି ତର୍କ ପରେ ଶ୍ରୀ ନାଇଡୁ ବିମାନବନ୍ଦର ଭିତରେ ଧାରଣାରେ ବସିଥିଲେ ।