ଏନଡିଏକୁ ରିଟର୍ଣ୍ଣ କରିପାରନ୍ତି ଚନ୍ଦ୍ରବାବୁ ନାଇଡୁ । ଖୁବଶୀଘ୍ର ହେଇପାରେ ମେଣ୍ଟ ଘୋଷଣା । ସିଟ୍ ସେୟାରିଂକୁ ନେଇ ଶେଷ ହେଇସାରିଛି ଆଲୋଚନା ।

202

କନକ ବ୍ୟୁରୋ: ଖୁବଶୀଘ୍ର ଏନଡିଏକୁ ପୁଣି ରିଟର୍ଣ୍ଣ କରିପାରନ୍ତି ଟିଡିପି ନେତା ଚନ୍ଦ୍ରବାବୁ ନାଇଡୁ । ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ଚନ୍ଦ୍ରବାବୁ ନାଇଡୁ ଏନଡିଏରେ ସାମିଲ ହେବା ସହିତ ବିଜେପି ସହ ମିଶି ନିର୍ବାଚନ ଲଢିପାରନ୍ତି ବୋଲି ସୂଚନା ମିଳୁଛି । ତେବେ ବର୍ତ୍ତମାନ ବିଜେପିର ଶୀର୍ଷ ନେତାଙ୍କ ସହିତ ସିଟ୍ ସେୟାରିଂକୁ ନେଇ ଆଲୋଚନା ଚାଲିଛି । ଆଉ ଆଲୋଚନାରେ ଚନ୍ଦ୍ରବାବୁ ନାଇଡୁ ସମ୍ମତି ପ୍ରକାଶ କରିଥିବା ବିଶେଷ ସୂତ୍ରରୁ ଜଣାପଡିଛି ।

ଚର୍ଚ୍ଚା ମୁତାବକ, ଆନ୍ଧ୍ରପ୍ରଦେଶର ୨୫ଟି ଲୋକସଭା ଆସନ ମଧ୍ୟରୁ ବିଜେପି ୫ଟି ସିଟରେ ଲଢିବ । ଏହାବାଦ ଟିଡିପିକୁ ୧୮ଟି ସିଟ୍ ଏବଂ ପବନ କଲ୍ୟାଣଙ୍କ ଜନ ସେନା ପାର୍ଟିକୁ ମଧ୍ୟ ୨ଟି ସିଟ୍ ମିଳିବା ନେଇ ଚର୍ଚ୍ଚା ହେଉଛି । ଲୋକସଭା ସିଟ୍ ସେୟାରିଂର ଏହି ଫର୍ମୁଲାକୁ ଟିଡିପି ଗ୍ରହଣ କରିଥିବା କୁହାଯାଉଛି । ଆଉ ଖୁବଶୀଘ୍ର ଏନେଇ ବିଧିବଦ୍ଧ ଘୋଷଣା ମଧ୍ୟ ହେଇପାରେ ।

ଚନ୍ଦ୍ରବାବୁ ନାଇଡୁ ଗତ କିଛି ଦିନ ଧରି ଲଗାତାର ବିଜେପି ଶୀର୍ଷ ନେତାଙ୍କୁ ଭେଟୁଛନ୍ତି । ଯାହା ତାଙ୍କର ଏନଡିଏକୁ ରିଟର୍ଣ୍ଣ ଚର୍ଚ୍ଚାକୁ ଖୋରାକ୍ ଯୋଗାଉଛି । ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ମଧ୍ୟ ଚନ୍ଦ୍ରବାବୁ ନାଇଡୁଙ୍କୁ ଟିଡିପି ଏନଡିଏରେ ସାମିଲ ଥିଲା । ଚନ୍ଦ୍ରବାବୁ ନାଇଡୁ କେନ୍ଦ୍ରମନ୍ତ୍ରୀ ମଧ୍ୟ ରହିଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭା ନିର୍ବାଚନ ଜିତିବାକୁ ଜୋରଦାର କସରତ କରୁଛନ୍ତି । ନିକଟରେ ସେ ୪୦୦ ସିଟ୍ ଜିତିବାର ଦାବି ମଧ୍ୟ କରିସାରିଛନ୍ତି । ତାଙ୍କ କହିବା ମୁତାବକ, ବିଜେପି ଆଗାମୀ ନିର୍ବାଚନରେ ୩୭୦ ସିଟ୍ ଜିତିବ ଏବଂ ଏନଡିଏ ୪ ଶହରୁ ଅଧିକ ସିଟ୍ ଜିତି ଲଗାତାର ୩ୟ ଥର ପାଇଁ ସରକାର ଗଢିବ । ଆଉ ମୋଦୀଙ୍କ ଏହି ଭିଜନକୁ ସଫଳ କରିବାକୁ ଏବେ ଆରମ୍ଭ ହେଇଛି ରଣନୀତି । ବିଶେଷକରି ଦକ୍ଷିଣ ଭାରତରେ ବିଜେପିକୁ କିଭଳି ଫାଇଦା ମିଳିବ ସେ ନେଇ ଅଙ୍କକଷା ଚାଲିଛି ।

ଦକ୍ଷିଣ ଭାରତର ୫ଟି ରାଜ୍ୟ ଯଥାକ୍ରମେ କେରଳ, ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ମୋଟ ୧୨୯ଟି ଲୋକସଭା ସିଟ୍ ରହିଛି । ଏହା ମଧ୍ୟରୁ ଆନ୍ଧ୍ରରୁ କେବଳ ୨୫ଟି ସିଟ୍ ଆସୁଛି । ନିକଟ ଅତୀତରେ ହେଇଥିବା ସର୍ଭେ ମୁତାବକ ଟିଡିପି ଏଠାରେ ୧୭ଟି ସିଟ୍ ଜିତିବାର ଅନୁମାନ କରାଯାଉଛି । ସେପଟେ ଜଗନଙ୍କ ୱାଇଏସଆରସିପି ୮ଟି ସିଟ୍ ଜିତିବ ବୋଲି କୁହାଯାଉଛି । ତେଣୁ ଏଭଳି ସ୍ଥିତିରେ ଚନ୍ଦ୍ରବାବୁ ନାଇଡୁ ଏନଡିଏରେ ସାମିଲ ହେବା, ପଦ୍ମ ଶିବିରକୁ ଲାଭ ଦେବ ବୋଲି ରାଜନୈତିକ ପଣ୍ଡିତମାନେ ଆକଳନ କରୁଛନ୍ତି ।