ଏନଡିଏର ସଂସଦୀୟ ଦଳ ନେତା ହେଲେ ମୋଦୀ । ଚନ୍ଦ୍ରବାବୁ ନାଇଡୁ ଓ ନୀତିଶ କହିଲେ, ଦେଶ ପାଇଁ କାମ କରନ୍ତୁ ଆମର ରହିବ ପୂରା ସମର୍ଥନ । 

1,356

କନକ ବ୍ୟୁରୋ : ଏନଡିଏ ବୈଠକରେ ଆଜି ସଂସଦୀୟ ଦଳ ନେତା ଭାବେ ମୋଦୀଙ୍କ ନାଁରେ ବାଜିଛି ମୋହର । ଏହାସହ ୩ୟ ଥର ପାଇଁ ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ସ୍ପଷ୍ଟ ହୋଇଛି । ଆସନ୍ତା ୯ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦୀ । ସହଯୋଗୀ ଦଳ ଭାବେ ଜେଡିୟୁ ଓ ଟିଡିପି ସମର୍ଥନ ଜଣାଇବା ସହ ନିଜ ଅଭିଭାଷଣରେ ମୋଦୀଙ୍କୁ ନେଇ କହିଛନ୍ତି ବଡ କଥା ।

ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି, ମୋଦୀ ୧୦ ବର୍ଷ ହେବ ପ୍ରଧାନମନ୍ତ୍ରୀ ଅଛନ୍ତି ଏବଂ ଏବେ ପୁଣିଥରେ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ପୂରା ଦେଶର ସେବା କରିବାକୁ ଯାଉଛନ୍ତି । ପୂରା ଭରସା ରହିଛି, ଯାହା କିଛି ବି କାମ ବଳକା ରହିଛି ତାହାକୁ ପୂରା କରିବେ । ବିହାରର ସମସ୍ତ କାମକୁ ପୂରା କରିବେ । ଆମେ ସବୁଦିନ ମୋଦୀଙ୍କ ସାଥୀରେ ରହିବୁ । ଆମେ ଦେଖିଛୁ କିଛି ଲୋକ ଏଥର ଜିତି ଯାଇଛନ୍ତି କିନ୍ତୁ ଆଗାମୀ ଥର ଯେତେବେଳେ ଆସିବୁ ସମସ୍ତଙ୍କୁ ହରାଇ ଆସିବୁ । ବରୋଧୀ ଦେଶ ପାଇଁ ଆଜି ଯାଏଁ କୌଣସି କାମ କରିନାହାନ୍ତି । ଦେଶ ବହୁତ ଆଗକୁ ବଢିବ, ବିହାରର ସବୁ କାମ ପୂରା ହୋଇଯିବ ।

ସେହିଭଳି ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି, ବହୁମତ ହାସଲ କରିଥିବାରୁ ସମସ୍ତଙ୍କୁ ଶୁଭକାମନା । ନିର୍ବାଚନ ସମୟରେ ୩ ମାସ ପ୍ରଧାନମନ୍ତ୍ରୀ ମୋଦୀ ଟିକିଏ ବି ବିଶ୍ରାମ କରିନାହାନ୍ତି । ଦିନରାତି ପ୍ରଚାର କରିଛନ୍ତି । ଯେଉଁ ଭାବନା ସହ ପ୍ରଧାନମନ୍ତ୍ରୀ ପ୍ରଚାର ଆରମ୍ଭ କରିଥିଲେ ସେହି ଭାବନା ସହ ପ୍ରଚାର ଶେଷ ମଧ୍ୟ କରିଥିଲେ । ଆନ୍ଧ୍ରପ୍ରଦେଶରେ ୩ଟି ସଭା ଓ ଗୋଟିଏ ବଡ ରାଲି କରିଥିଲେ । ଯାହା ଜରିଆରେ ଆନ୍ଧ୍ରପ୍ରଦେଶରେ ନିର୍ବାଚନ ଜିତିବା ସହଜ ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦୀ ଦେଶ ପାଇଁ କାମ କରନ୍ତୁ, ଆମର ପୂରା ସମର୍ଥନ ରହିବ । ଗତ ୧୦ ବର୍ଷରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ମୋଦୀ ଦେଶକୁ ବିଶ୍ୱ ଶକ୍ତି ଭାବେ ଉଭା କରିଛନ୍ତି । ଦେଶର କାୟାକଳ୍ପ ବଦଳାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଦେଶର ଗୌରବ ବିଦେଶରେ ବୃଦ୍ଧି କରିଛନ୍ତି । ଭାରତ ପାଖରେ ସଠିକ୍ ସମୟରେ ସଠିକ୍ ନେତା ଭାବେ ପ୍ରଧାନମନ୍ତ୍ରୀ ମୋଦୀ ରହିଛନ୍ତି । ଭାରତ ଆଗାମୀ ଦିନରେ ବିଶ୍ୱର ନେତୃତ୍ୱ ନେବ ।