ଚାନ୍ଦିପୁର ଘାଟି ଗୁପ୍ତଚରୀ ମାମଲା । ୫ ଅଭିଯୁକ୍ତଙ୍କୁ ଆଜିଠୁ କ୍ରାଇମବ୍ରାଞ୍ଚ ସ୍ୱତନ୍ତ୍ର ଟିମର ପଚରା ଉଚରା।

135

କନକ ବ୍ୟୁରୋ: ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ଗୁପ୍ତଚରୀ ମାମଲାରେ ଗିରଫ ୫ ଅଭିଯୁକ୍ତଙ୍କୁ କଟକ ମୁଖ୍ୟାଳୟଙ୍କୁ ଆଣିଛି କ୍ରାଇମବ୍ରାଞ୍ଚ । ପାକିସ୍ତାନକୁ ଜାତୀୟ ସୁରକ୍ଷା ସମ୍ପର୍କିତ ତଥ୍ୟ ପଠାଇବା ମାମଲାରେ ଗିରଫ ଅଭିଯୁକ୍ତଙ୍କୁ ଆଜିଠୁ ଜେରା କରିବ କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍ । ପାକିସ୍ତାନକୁ କେମିିତି ଗୋପନୀୟ ତଥ୍ୟ ପଠାଉଥିଲେ, କାହାକୁ ତଥ୍ୟ ଦେଉଥିଲେ, କେମିତି ଡାଟା ପଠାଉଥିଲେ, କେଉଁଠୁ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଆସୁଥିଲା, ଏଥିରେ ତାଙ୍କ ସମ୍ପର୍କୀୟଙ୍କ ସମ୍ପୃକ୍ତି ଅଛି ନା ନାହିଁ ସେସବୁ ଛାନଭିନ ହେବ । ଦରକାର ହେଲେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସହଯୋଗ ନିଆଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ।

ତେବେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ଚାହିଁଲେ ଅଭିଯୁକ୍ତମାନଙ୍କୁ ପଚରାଉଚରା କରିପାରିବ । କେମିତି ଶତ୍ରୁ ରାଷ୍ଟ୍ର ସହ ଯୋଗାଯୋଗ କରୁଥିଲେ, ଏହି ଘଟଣାରେ ଆଉ କିଏ କିଏ ସଂପୃକ୍ତ, ଗୋଟି ଗୋଟି କରି ଏସବୁ ପ୍ରଶ୍ନ ଉତ୍ତର ଖୋଜିବ କ୍ରାଇମବ୍ରାଞ୍ଚ । ଗତକାଲି ବାଲେଶ୍ୱର କୋର୍ଟ ୭ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେବା ପରେ ୫ଜଣ ଅଭିଯୁକ୍ତଙ୍କୁ କଡା ସୁରକ୍ଷା ବଳୟରେ କଟକ ମୁଖ୍ୟାଳୟକୁ ଅଣାଯାଇଛି । ଗିରଫ ଅଭିଯୁକ୍ତଙ୍କୁ ଜେରା ପାଇଁ ଜଣେ ଅତିରିକ୍ତ ଏସପି, ଜଣେ ସାଇବର ଇନ୍ସପେକ୍ଟର ଓ ଜଣେ ଏସଆଇଙ୍କୁ ନେଇ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ସମସ୍ତ ଦିଗକୁ ନେଇ ପୁଣି ପ୍ରଥମରୁ ତଦନ୍ତ କରିବ ଏହି ଟିମ୍ । କ୍ଷେପଣାସ୍ତ୍ର ଘାଟି ତଥ୍ୟ ଲିକ୍ କରିବା ମାମଲାରେ ଠିକା କର୍ମଚାରୀ ବସନ୍ତ ବେହେରା, ହେମନ୍ତ ମିସ୍ତ୍ରୀ, ତାପସ ନାୟକ, ସେକ୍ ମୁସାଫିରଙ୍କ ସହ ଗାଡ଼ି ଡ୍ରାଇଭର ସଚିନ୍ ଛେଟାଙ୍କୁ ଗିରଫ କରାଯାଇଛି ।