ଚାନ୍ଦିପୁର ଗୁପ୍ତଚରଙ୍କ ରିମାଣ୍ଡ ମଞ୍ଜୁର : ୫ ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରିବ କ୍ରାଇମବ୍ରାଞ୍ଚ

ଖୋଲିବ ପାକିସ୍ତାନ ଲିଙ୍କ ଓ ହନି ଟ୍ରାପର ଗୁମର

120

କନକ ବ୍ୟୁରୋ : ଡିଆରଡିଓରେ ଗୁପ୍ତଚରୀ ମାମଲାରେ ଗିରଫ ହୋଇଥିବା ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ଅଭିଯୁକ୍ତମାନଙ୍କୁ କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟକୁ ଆଣି ପଚରାଉଚରା କରିବ କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍ । ସମସ୍ତ ଦିଗକୁ ନେଇ ପୁଣି ପ୍ରଥମରୁ ତଦନ୍ତ କରିବ ଟିମ୍ । କାହାକୁ ତଥ୍ୟ ଦେଉଥିଲେ, କେମିତି ଡାଟା ପଠାଉଥିଲେ, ଏଥିରେ ତାଙ୍କ ସମ୍ପର୍କୀୟଙ୍କ ସମ୍ପୃକ୍ତି ଅଛି କି ନାହିଁ ଏସବୁ ଦିଗ ଉପରେ ତଦନ୍ତ କରିବ ସ୍ୱତନ୍ତ୍ର ଟିମ୍ ।

ଜଣେ ଅତିରିକ୍ତ ଏସିପି, ଜଣେ ସାଇବର ଇନସପେକ୍ଟର, ଆଉ ଜଣେ ଏସଆଇଙ୍କୁ ନେଇ ଗଠନ ହୋଇଛି ଟିମ୍ । ତେବେ ଆବଶ୍ୟକ ପଡିଲେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସହଯୋଗ ନିଆଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା । କେନ୍ଦୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ଚାହିଁଲେ ଅଭିଯୁକ୍ତମାନଙ୍କୁ ପଚରାଉଚରା କରିପାରିବ । ଅଭିଯୁକ୍ତମାନଙ୍କୁ ୭ ଦିନିଆ ରିମାଣ୍ଡ ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିଥିବା ବେଳେ ଆଜି ବାଲେଶ୍ୱର କୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଗୁପ୍ତ ତଥ୍ୟ ପାକିସ୍ତାନକୁ ପଠାଉଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରଯାଇଛି ।