ଚଣ୍ଡିଖୋଲର ଚର୍ଚ୍ଚିତ ଚଣ୍ଡିମନ୍ଦିର…ବାରୁଣାବନ୍ତ ପାହାଡ ଖୋଲରେ ବିରାଜମାନ ଚଣ୍ଡିମାତା…ଦୀର୍ଘ ୮୫ବର୍ଷ ହେବ ମନ୍ଦିରରେ ଜଳିଆସୁଥିବା ଧୂନିରେ ତିଆରି ହେଉଛି ମା’ଙ୍କ ପ୍ରସାଦ

513

କନକ ବ୍ୟୁରୋ: ଯାଜପୁର ଜିଲ୍ଳା ଚଣ୍ଡିଖୋଲର ଅନ୍ୟତମ ଶକ୍ତିପୀଠ ଚଣ୍ଡିମନ୍ଦିର । ପର୍ଯ୍ୟଟକମାନଙ୍କ ପାଇଁ ପାଲଟିଛି ଆକର୍ଷଣୀୟ ସ୍ଥାନ । ପ୍ରାକୃତିକ ପରିବେଶ ସାଙ୍ଗକୁ ଘଂଚ ଜଙ୍ଗଲରେ ଶୋଭା ପାଉଛି ମା’ ଚଣ୍ଡିଙ୍କ ପୀଠ । ମା’ ଚଣ୍ଡିଙ୍କ ନାମରେ ନାମିତ ଚଣ୍ଡିଖୋଲ ଛକର ହୋଇଛି ନାମକରଣ ।

ଏ ହେଉଛି ଯାଜପୁର ଜିଲ୍ଳା ଚଣ୍ଡିଖୋଲର ପ୍ରସିଦ୍ଧ ଶକ୍ତି ପୀଠ ମା’ ଚଣ୍ଡିଙ୍କ ମନ୍ଦିର । ଚଣ୍ଡିଖୋଲ ଛକଠାରୁ ଡୁବୁରୀ ରାସ୍ତାରେ ତିନି କିଲୋମିଟର ଭିତରକୁ ଗଲେ ପଡେ ଚଣ୍ଡିମାତାଙ୍କ ମନ୍ଦିର । ବାରୁଣାବନ୍ତ ପାହାଡ ଖୋଲରେ ସବୁଜ ବନାନୀ ଭିତରେ ମା’ ଚଣ୍ଡି ବିରାଜମାନ ହୋଇଥିବାରୁ ମାଆଙ୍କ ନାଁ ଅନୁଯାୟୀ ଚଣ୍ଡିଖୋଲ ଛକର ନାମକରଣ ହୋଇଛି । ଏହାର ଶୁଦ୍ଧ ଝରଣାପାଣି ପର୍ଯ୍ୟଟକଙ୍କ ପାଇଁ ଖୁବ୍ ଆକର୍ଷଣୀୟ ହୋଇଥିବା ବେଳେ ଏଠାକାର ପାତିମାଙ୍କଡମାନେ ଏହାର ଶୋଭାକୁ ଦ୍ୱିଗୁଣିତ କରିଥାନ୍ତି ।

କିମ୍ବଦନ୍ତୀ ଅନୁଯାୟୀ ଭଗବାନ ରାମଚନ୍ଦ୍ର ଏଠାରେ ହନୁମାନଙ୍କ ଦ୍ୱାରା ମା’ଚଣ୍ଡିଙ୍କୁ ମହିରାବଣ କବଳରୁ ଉଦ୍ଧାରକରି ଏଠାରେ ପ୍ରତିଷ୍ଠା କରି ପୂଜାର୍ଚନା କରୁଥିଲେ । ତେଣୁ ମନ୍ଦିରର ଚାରିଆଡେ ରାମ୍ ରାମ୍ ବୋଲି ଲେଖା ଯାଇଛି । ଏହି ପୀଠରେ ମାଆ ଛିନ୍ତମସ୍ତା ଚଣ୍ଡିରୂପେ ପୂଜାପାଉଛନ୍ତି । ବଡ କଥା ହେଲା, ଦୀର୍ଘ ୮୫ବର୍ଷ ହେବ ଏଠାରେ ଜଳୁଥିବା ଧୂନିରୁ ଅଗ୍ନୀନେଇ ମା’ଙ୍କର ପ୍ରସାଦ ପ୍ରସ୍ତୁତି କରାଯାଇଥାଏ । ତେବେ ପର୍ଯ୍ୟଟନ ଋତୁ ଚାଲିଥିବାରୁ ଏଠାକୁ ମା’ଙ୍କ ଦର୍ଶନ ସହିତ ପ୍ରାକୃତିକ ପରିବେଶକୁ ଉପଭୋଗ କରିବା ପାଇଁ ଲୋକଙ୍କ ଭିଡ ଜମିଛି । ମାତ୍ର ଦୀର୍ଘଦିନ ହେବ ମନ୍ଦିର ପରିସରରେ ଥିବା ଅତିଥିଶାଳା ଗୁଡିକ ରଙ୍ଗ ହୋଇନଥିବା ବେଳେ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ପାଲଟିଥିବା ମାଛକୁଣ୍ଡିଟି ଏବେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି ।

ତେବେ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଚଣ୍ଡିଖୋଲର ଚଣ୍ଡିମନ୍ଦିର ସ୍ୱତନ୍ତ୍ର ସ୍ଥାନ ହାସଲ କରିଥିବା ବେଳେ ଏହାର ସୁରକ୍ଷା ଓ ସୌନ୍ଦଯ୍ୟକରଣ ଦିଗରେ ଯତ୍ନବାନ ହେଲେ ଏହାର ଗୁରୁତ୍ୱ ଓ ଗାରିମା ବଜାୟ ରହନ୍ତା ବୋଲି ମତ ପ୍ରକାଶ ପାଇଛି ।