କନକ ବ୍ୟୁରୋ: ଏବେ ସାରା ଦେଶରେ ଚଣ୍ଡିଗଡ ୟୁନିଭର୍ସିଟିକୁ ନେଇ ଚର୍ଚ୍ଚା ।ଏଠାରେ ଏପରି ଏକ ଘଟଣା ଘଟିଛି ଯାହା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟର ବାଳିକା ହଷ୍ଟେଲର ୬୦ ଜଣ ଛାତ୍ରୀଙ୍କ ଏମଏମଏସ୍ ଭାଇରାଲ ହୋଇଛି । ଏହି ଘଟଣାକୁ ନେଇ ୮ଜଣ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିବାବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଅତି ଗୁରୁତର ଥିବା ଜଣାପଡିଛି ।

Advertisment

ଏହି ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଛି । ସବୁଠାରୁ ବଡ କଥା ହେଉଛି ଏହାର କାର୍ପଟଦାର ହେଉଛି ବାଳିକା ହଷ୍ଟେଲର ଜଣେ ଛାତ୍ରୀ । ସୂଚନା ମୁତାବକ, ଅଭିଯୁକ୍ତ ଛାତ୍ରୀ ଜଣକ ଅନେକ ଦିନ ଧରି ଅନ୍ୟ ଛାତ୍ରୀମାନଙ୍କର ଏମଏମଏସ କରି ସିମଲାରେ ରହୁଥିବା ଜଣେ ଯୁବକ ପାଖକୁ ପଠାଉଥିଲା । ଯୁବକ ଜଣକ ଏହି ଭିଡିଓ ଗୁଡିକୁ ସୋସିଆଲ ମିଡିଆରେ ଅପଲୋଡ କରିଦେଇଥିଲା । ଇଣ୍ଟରନେଟରେ ଛାତ୍ରୀମାନେ ନିଜ ନିଜ ଏମଏମଏସ୍ ଦେଖିବା ପରେ ୟୁନିଭର୍ସିଟିରେ ହଙ୍ଗାମା ସୃଷ୍ଟି ହୋଇଥିଲା ।

ଇଣ୍ଟରନେଟ୍ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ୮ ଜଣ ଛାତ୍ରୀ ଏହାକୁ ସହ୍ୟ କରିନପାରି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଛାତ୍ରମାନଙ୍କୁ ବିଭିନ୍ନ ଡାକ୍ତରଖାନାକୁ ନିଆଯାଇଛି। ଏମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଏହି ଘଟଣାକୁ ନେଇ ଛାତ୍ର ସଙ୍ଗଠନ ଜୋରଦାର ପ୍ରଦର୍ଶନ କରିଛି । ହେଲେ ବିଶ୍ୱବିଦ୍ୟାଳୟ ମ୍ୟାନେଜିଙ୍ଗ କମିଟି ଏହାକୁ ଚପାଇ ଦେବାକୁ ଚେଷ୍ଟା କରୁଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ।

ଶନିବାର ବିଳମ୍ବିତ ରାତିରେ ଉତ୍ତେଜିତ ଛାତ୍ରମାନେ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟକୁ ଘେରି ଯାଇ ‘ୱି ଫର୍ ଜଷ୍ଟିସ୍’ ନାରା ଦେଇଥିଲେ । କୁହାଯାଉଛି ଯେ ଭିଡିଓ ତିଆରି କରିଥିବା ଯୁବତୀଙ୍କୁ ହଷ୍ଟେଲର ଏକ ରୁମରେ ବନ୍ଦ ରଖାଯାଇଛି, ତାଙ୍କ ବିରୋଧରେ ୟୁନିଭର୍ସିଟି କର୍ତ୍ତୃପକ୍ଷ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି ।

ହଙ୍ଗାମା ଏତେ ତୀବ୍ର ହୋଇଯାଇଥିଲା ଯେ, ସୁରକ୍ଷାକର୍ମୀ ମୁଖ୍ୟ ଫାଟକ ବନ୍ଦ କରିଥିବାବେଳେ ପୋଲିସ ଫୋର୍ସକୁ ଘଟଣାସ୍ଥଳକୁ ଡକାଯାଇଛି। ଉତ୍ତେଜିତ ଛାତ୍ରମାନେ ପିସିଆର ଗାଡିକୁ ମଧ୍ୟ ଓଲଟାଇ ଦେଇଥିଲେ ଏବଂ ପୋଲିସକୁ ଲାଠିଚାର୍ଜ କରିବାକୁ ପଡିଥିଲା।